‘ବଲ୍‌ ଦେଖ, ବଲ୍‌ ମାର’ ହେଉଛି ୧୪ ବର୍ଷୀୟ ଭାରତୀୟ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କ ମନ୍ତ୍ର। ହାର୍ଡ ହିଟର୍‌ ଭାବେ ପରିଚିତ ବିହାର ସମସ୍ତିପୁରର ଏହି ବାଳକ ଘରୋଇ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ ପରେ  ଭାରତୀୟ ୧୯ ବର୍ଷରୁ କମ୍‌ ଦଳ ସହ ଆଇପିଏଲ୍‌ର ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବାର ସୌଭାଗ୍ୟ ପାଇଛନ୍ତି। ଏଥିରେ ମଧ୍ୟ ସେ ନିଜର ବ୍ୟାଟିଂ ପାରଦର୍ଶିତା ଦେଖାଇ ସାରିଛନ୍ତି। ନିକଟରେ ସେ ‌ତାଙ୍କ ବି‌ସ୍ଫୋରକ ବ୍ୟାଟିଂ ଷ୍ଟାଇଲ୍‌ ପାଇଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

Advertisment

ସୂର୍ଯ୍ୟବଂଶୀଙ୍କୁ ନେଇ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଏକ ପ୍ରମୋସନାଲ୍‌ ଭିଡିଓ ସୁଟିଂ ଆରମ୍ଭ ହୋଇଛି। ଏହି ଭିଡିଓ ସୁଟିଂ ବେଳେ ସୂର୍ଯ୍ୟବଂଶୀ ନି‌ଜେ ବ୍ୟାଟିଂ କରୁଥିଲେ। ବୋଲିଂ ଏଣ୍ଡ୍‌ରେ ୫ ଜଣ କ୍ୟାମେରା କ୍ରିଉ କ୍ୟାମେରା ଧରି ସୁଟିଂ କରୁଥିଲେ। ଏହି ସମୟରେ ବୋଲର ବଲ୍ ପକାଉ ପକାଉ ସୂର୍ଯ୍ୟବଂଶୀ ଏକ ପ୍ରଚଣ୍ଡ ଷ୍ଟ୍ରେଟ୍‌ଡ୍ରାଇଭ୍‌ ମାରିଥିଲେ। ଏହା ମିଜାଇଲ୍‌ ଗଲା ପରି ବୋଲର୍‌କୁ ପଛରେ ପକାଇ କ୍ୟାମେରା କ୍ରିଉ ଆଡ଼େ ମାଡ଼ିଯାଇଥିଲା। ଏହା ଦେଖି କ୍ରିଉମାନେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ‌‌ସୌଭାଗ୍ୟବଶତଃ କେହି ଆହତ ହୋଇ ନଥିଲେ। ଏହାପରେ ସୂର୍ଯ୍ୟବଂଶୀ କ୍ରିଉମାନଙ୍କ ପାଖକୁ ଆସି କ୍ଷମା ମାଗିଥିଲେ।