ଶାନ୍ତନୁଙ୍କ ପ୍ରଥମ ରଣଜୀ ଶତକ ଓଡ଼ିଶା ପାଇଁ ବିଜୟ ସୁଯୋଗ, ଚିନ୍ତାରେ ପକାଇଛି ଖରାପ ଆଲୋକ

କଟକ: ଶାନ୍ତନୁ ମିଶ୍ରଙ୍କ ପ୍ରଥମ ରଣଜୀ ଶତକ ପରେ ବସନ୍ତ ମହାନ୍ତିଙ୍କ ସୁଇ˚ରେ ଉତ୍ତରାଖଣ୍ତ ଘାଇଲା ହୋଇଗଲାଣି। ଯାହାଫଳରେ ଓଡ଼ିଶାର ଲଗାତର ତୃତୀୟ ବିଜୟ ପାଇଁ ପୁଣି ଥରେ ଆଶା ଉଜ୍ବଳ ହୋଇଛି। ପ୍ରଥମ ପାଳିରେ ଓଡ଼ିଶାକୁ ୧୩୬ ରନ୍‌ର ଅଗ୍ରଣୀ ମିଳିବା ପରେ ଉତ୍ତରାଖଣ୍ତ ଦ୍ବିତୀୟ ପାଳି ଆରମ୍ଭରୁ ନିରାଶାଜନକ ରହିଛି। ଶୁକ୍ରବାରର ଷ୍ଟମ୍ପ୍ସ ଅପସାରଣ ବେଳକୁ ଭ୍ରମଣକାରୀ ଦଳ ୨୨ ଓଭର ଖେଳି ୪ ଵିକେଟ ବିନିମୟରେ ୫୪ ରନ୍‌ କରିଛି। ଦିନର ପାଗ ବୋଲରଙ୍କ ପାଇଁ ବେଶ୍‌ ସହାୟକ ହେଉଥିବାରୁ ଶୁକ୍ରବାର ଉତ୍ତରାଖଣ୍ତର ପାଳି ଶେଷ ହୋଇଯିବା ଭଳି ସମ୍ଭାବନା ରହୁଥିଲା। କିନ୍ତୁ ଖରାପ ଆଲୋକ ଓଡ଼ିଶା ଆଗରେ ପ୍ରତିବନ୍ଧକ ହୋଇ ରହିଛି। ଶନିବାର ଶେଷ ଦିନରେ ଯଦି ଆଲୋକ ସମସ୍ୟା ନରୁହେ, ତାହେଲେ ଓଡ଼ିଶା ପାଇଁ ବିଜୟ ସୁଯୋଗ ବଢିଯିବ। ନଚେତ୍‌ ଏମିତି ବି ଓଡ଼ିଶା ଖାତାରେ ୩ ପଏଣ୍ଟ ସୁରକ୍ଷିତ ହୋଇରହିଛି।

ତୃତୀୟ ଦିନରେ ପୁଣି ଥରେ ଖରାପ ଆଲୋକ ମ୍ୟାଚ୍‌ରେ ଅନେକ ବାଧା ସୃଷ୍ଟି କରିଥିଲା। ଯେଉଁଥିପାଇଁ ପ୍ରାୟ ୪୫ ମିନିଟ୍‌ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଦ୍ବିତୀୟ ଦିନ ଅର୍ଧଶତକ ଅର୍ଜନ କରି ଖେଳୁଥିବା ଶାନ୍ତନୁ ଶୁକ୍ରବାର ଧୀରେଧୀରେ ରନ୍‌ଗତି ବଢାଉଥିଲେ। କିନ୍ତୁ ଅନ୍ୟପଟରୁ ଦେବବ୍ରତ ପ୍ରଧାନ (୧୪), ସୂର୍ଯ୍ୟକାନ୍ତ ପ୍ରଧାନ (୧୧), ରାଜେଶ ମହାନ୍ତି (୧୭) ଦ୍ରୁତ ଖେଳିବାକୁ ଯାଇ ନିଜ ନିଜ ଵିକେଟ ହରାଇଥିଲେ। ବସନ୍ତଙ୍କ ସହ ପାଳି ଆଗଉଥିବା ବେଳେ ଶାନ୍ତନୁ ତାଙ୍କର ପ୍ରଥମ ଶତକ ହାସଲ କରିଥିଲେ। ତେବେ ଏକ ଖରାପ ସଟ୍‌ ଖେଳିବାକୁ ଯାଇ ସେ ଆଉଟ ହୋଇଥିଲେ। ସେ ୨୪୫ ବଲ୍‌ରୁ ୧୨ ଚୌକା ସହାୟତାରେ ୧୧୦ ରନ୍‌ କରିଥିଲେ। ଓଡ଼ିଶା ମୋଟ ୮୩.୫ ଓଭରରେ ୨୫୩ ରନ୍‌ କରିଥିଲା। ଓଡ଼ିଶାକୁ ଅଗ୍ରଣୀ ମିଳିବା ପରେ ଉତ୍ତରାଖଣ୍ତ ଦ୍ବିତୀୟ ପାଳି ଆରମ୍ଭରୁ ଭୁଶୁଡ଼ିଥିଲା। ଦ୍ବିତୀୟ ଓଭରରେ ବସନ୍ତ ମହାନ୍ତି ଯଥାକ୍ରମେ ତନ୍ମୟ ଶ୍ରୀବାସ୍ତବ (୨) ଓ ଅବନିଶ ସୁଧ (୦)ଙ୍କୁ ପାଭିଲିଅନ୍‌ ରାସ୍ତା ଦେଖାଇଥିଲେ। ପରବର୍ତ୍ତୀ ଓଭରରେ ଉନ୍ମୁକ୍ତ ଚାନ୍ଦ (୧୩) ଙ୍କୁ ରାଜେଶ ମହାନ୍ତି ଆଉଟ କରିବା ପରେ ଉତ୍ତରାଖଣ୍ତ ଉପରେ ଚାପ ବଢିଯାଇଥିଲା। ଫଳରେ ପ୍ରତ୍ୟେକ ବଲ୍‌କୁ ଉଭୟ ବ୍ୟାଟ୍ସମ୍ୟାନ ରକ୍ଷଣାତ୍ମକ ଭାବେ ଖେଳିବା ଆରମ୍ଭ କରିଥିଲେ। ତଥାପି ୨୧ତମ ଓଭରରେ ସୂର୍ଯ୍ୟକାନ୍ତଙ୍କ ଏକ ଆଉଟସୁଇ˚କୁ ବୁଝିନପାରି ସୌରଭ ରାଵତ (୧୫) ଦ୍ବିତୀୟ ସ୍ଲିପ୍‌ ଅଞ୍ଚଳକୁ କ୍ୟାଚ୍‌ ଟେକିଦେଇଥିଲେ। ଅପରାହ୍ନ ପ୍ରାୟ ୨ଟା ୪୦ ମିନିଟ୍‌ ବେଳକୁ ଖରାପ ଆଲୋକ ଯୋଗୁଁ ମ୍ୟାଚ୍‌ ବନ୍ଦ ରହିଥିଲା। ଏହାପରେ ଆଉ ଖେଳିବା ପାଇଁ ଆଲୋକ ପର୍ଯ୍ୟାପ୍ତ ନହେବାରୁ ସାଢେ ୪ଟା ବେଳେ ଷ୍ଟମ୍ସ ପ୍ରତ୍ୟାହାର କରିନିଆଯାଇଥିଲା।

ସ˚କ୍ଷିପ୍ତ ସ୍କୋର: ଉତ୍ତରାଖଣ୍ତ ପ୍ରଥମ ପାଳି ୪୮.୪ ଓଭରରେ ୧୧୭। ଓଡ଼ିଶା ପ୍ରଥମ ପାଳି ୮୩.୫ ଓଭରରେ ୨୫୩ (ଶାନ୍ତନୁ ମିଶ୍ର ୧୧୦, ବିପ୍ଲବ ସାମନ୍ତରାୟ ୩୭, ସନ୍ନି ୩/୪୫, ପ୍ରଦୀପ ଚାମୋଲି ୩/୪୮, ଧନରାଜ ଶର୍ମା ୨/୭୫)। ଉତ୍ତରାଖଣ୍ତ ଦ୍ବିତୀୟ ପାଳି ୨୨ ଓଭରରେ ୫୪/୪ (ଦିକ୍ଷା˚ଶୁ ନେଗି ୨୩*, ସୌରଭ ରାଵତ ୧୫, ଉନ୍ମୁକ୍ତ ଚାନ୍ଦ ୧୩, ବସନ୍ତ ମହାନ୍ତି ୨/୧୮, ରାଜେଶ ମହାନ୍ତି ୧/୧୯, ସୂର୍ଯ୍ୟକାନ୍ତ ପ୍ରଧାନ ୧/୧୫)।

ସମ୍ବନ୍ଧିତ ଖବର