ସୁଶାନ୍ତ ଜିତିଲେ କାଂସ୍ୟ: ୧୨ ବର୍ଷରେ ୧୧ ଜାତୀୟ, ୩ ଅନ୍ତର୍ଜାତୀୟ ପଦକ

ବ୍ରହ୍ମପୁର: ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡ଼ାରେ ବ୍ରହ୍ମପୁର ଖାସ୍ପା ସାହିର ମୂଳ ବାସିନ୍ଦା ସୁଶାନ୍ତ ସାହୁ ଓଡ଼ିଶା ପାଇଁ ଭାରୋତ୍ତୋଳନରେ ଆଉ ଏକ ପଦକ ହାସଲ କରିଛନ୍ତି। ସେ ୬୭ କେଜି ବର୍ଗରେ ୧୧୯ କେଜି ସ୍ନାଚ୍ ଏବଂ ୧୫୧ କେଜି କ୍ଲିନ୍ ଆଣ୍ଡ ଜର୍କ ସହ ମୋଟ ୨୭୦ କେଜି ଭାରୋତ୍ତୋଳନ କରି କାଂସ୍ୟ ପଦକ ହାସଲ କରିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ସମାନ ଓଜନର ଭାରୋତ୍ତୋଳନ କରିଥିଲେ ମଧ୍ୟ ଶରୀର ଓଜନ ସୁଶାନ୍ତଙ୍କ ଅପେକ୍ଷା ସାମ‌ାନ୍ୟ କମ୍‌ ଥିବାରୁ ସେ ରୌପ୍ୟ ପଦକ ହାସଲ କରିଥିଲେ। ଶୁକ୍ରବାର ତିନି ଜଣ ଓଡ଼ିଆ ଭାରୋତ୍ତୋଳନରୁ ପଦକ ହାସଲ କରିଥି‌ଲେ। ସେମାନେ ହେଲେ-ପ୍ରମିଳା କିର୍ସାନି, ସ୍ନେହା ‌ସୋରେନ୍ (ଉଭୟେ କାଂସ୍ୟ) ଏବଂ ମୁନା ନାୟକ (ରୌପ୍ୟ)। ମୁନା ସର୍ଭିସେସ୍‌ ପାଇଁ ଖେଳି ପଦକ ଜିତିଥିବାରୁ ଓଡ଼ିଶାର ମୋଟ ପଦକ ସଂଖ୍ୟା ୪ରେ ପହଞ୍ଚିଛି। ଓଡ଼ିଶା ମହିଳା ରଗ୍‌ବି ଦଳ ଶୁକ୍ରବାର ସ୍ବର୍ଣ୍ଣିମ ସଫଳତା ପାଇଥିଲା।

୧୨ ବର୍ଷରେ ୧୧ ଜାତୀୟ, ୩ ଅନ୍ତର୍ଜାତୀୟ ପଦକ
ସୁଶାନ୍ତ ଦୀର୍ଘ ୧୨ ବର୍ଷ ହେବ ଭାରୋତ୍ତୋଳନ ସହ ‌ଯୋଡ଼ି ହୋଇ ରହିଥିବା ବେଳେ ୩ଟି ଅନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି। ବ୍ରହ୍ମପୁରର ବୀର ହନୁମାନ କ୍ଲବ୍‌ରେ ସେ ଅଭ୍ୟାସ ଆରମ୍ଭ କରିଥିଲେ। ୨୦୧୦ ମସିହାରେ କନିଷ୍ଠ ବର୍ଗରେ ପ୍ରଥମ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇ ୫୬ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୧ରେ ଅରୁଣାଚଳ ପ୍ରଦେଶରେ ପୁନଃ କନି‌ଷ୍ଠ ବର୍ଗ ଜାତୀୟ ଭାରୋତ୍ତୋଳନରେ ନିଜ ସଫଳତା ଦୋହରାଇ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ପ୍ରତିଯୋଗିତାର ଶ୍ରେ‌ଷ୍ଠ ଭାରୋତ୍ତୋଳକ ବିବେଚିତ ହୋଇଥିଲେ। ସେହିବର୍ଷ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନର କନି‌ଷ୍ଠ ବର୍ଗରେ ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ପରବର୍ଷ ମାଲେସିଆରେ କନିଷ୍ଠ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ମଧ୍ୟ ସେ ଭାରତ ପାଇଁ ପ୍ରତିନିଧିତ୍ବ କରି କାଂସ୍ୟ ପଦକ ହାସଲ କରିଥିଲେ। ସେ ବରିଷ୍ଠ ବର୍ଗରେ ଜାତୀୟସ୍ତରରେ ଏ ପର୍ଯ୍ୟନ୍ତ ୯ଟି ପଦକ (୩ ସ୍ବର୍ଣ୍ଣ, ୨ ରୌପ୍ୟ, ୪ କାଂସ୍ୟ) ହାସଲ କଲେଣି। ୨୦୧୨ରେ ଥାଇଲାଣ୍ଡରେ ଅନୁ‌ଷ୍ଠିତ ଏସୀୟ ବରିଷ୍ଠ ଭାରୋତ୍ତୋଳନରେ ସେ ୬୨ କେଜି ବର୍ଗରେ ରୌପ୍ୟ ପଦକ (ସ୍ନାଚ୍‌ରେ) ମଧ୍ୟ ହାସଲ କରିଥିଲେ। ୨୦୧୩ ମସିହାରୁ ସେ ରେଳବାଇରେ ଏମ୍‌ଏସ୍‌ସି ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କ୍ରୀଡ଼ା ଅଭ୍ୟାସ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର