ସୁଶାନ୍ତଙ୍କ ଭଲ ବଂଧୁ ସାମି, ସାମି ବି ଆତ୍ମହତ୍ୟା ଚିନ୍ତା କରିଥିଲେ

ଆଗରୁ ଜାଣିଥି‌ଲେ ବୁଝାଇଥା’ନ୍ତେ

ନୂଆଦିଲ୍ଲୀ: ଆତ୍ମହତ୍ୟା କରିଥିବା ବଲିଉଡ୍‌ର ଯୁବ ପ୍ରତିଭା ସୁଶାନ୍ତ ସିଂହ ରାଜପୁତଙ୍କ ଲୋକପ୍ରିୟତା କେବଳ ମନୋରଂଜନ ଦୁନିଆରେ ସୀମିତ ନ ଥିଲା, କ୍ରିକେଟ୍ ଜଗତରେ ବି ପସନ୍ଦର ବ୍ୟକ୍ତିତ୍ବ ପାଲଟି ଯାଇଥିଲେ। ବିଶେଷକରି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ଏମ୍‌ଏସ୍‌ ଧୋନି: ଦ ଅନ୍‌ଟୋଲ୍‌ଡ ଷ୍ଟୋରି’ ପାଇଁ କ୍ରିକେଟ ଦୁନିଆରେ ବି ଆଦୃତ ହୋଇଥିଲେ। ଛୋଟ ସହର ଓ ଛୋଟ ପରଦାରୁ ଆସି ବଡ଼ ପରଦାରେ ସଫଳତାର ଛାପ ଛାଡ଼ିଥିବା ସୁଶାନ୍ତଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟର୍‌ ସହମ୍ମଦ ସାମି। ସାମି କହିଛନ୍ତି ସୁଶାନ୍ତ ମୋର ଜଣେ ଭଲ ବଂଧୁ ଥିଲେ, କିନ୍ତୁ ସେ ମାନସିକ ଚାପରେ ଥିବା କଥା ଆଗରୁ ଜାଣିଥିଲେ ନିଶ୍ଚିତ ତାଙ୍କୁ ବୁଝାଇବା ପାଇଁ କଥା‌ବାର୍ତ୍ତା କରିଥା’ନ୍ତି। ବଡ଼ ଦୁର୍ଭାଗ୍ୟଜନକ କଥା ସୁଶାନ୍ତ ତାଙ୍କ ଜୀବନ ହାରିଦେଲେ। ମୋ ଜୀବନରେ ବି ଏଭଳି ଘଟିଥିଲା, କିନ୍ତୁ ମୋ ପରିବାର ମୋତେ ସମର୍ଥନ ଦେବାରୁ ମୁଁ ଅବସାଦରୁ ବାହାରିପାରିଥିଲି’ ବୋଲି ସାମି କହିଛନ୍ତି।

ଅଧିନାୟକ ଓ ସାଥୀଙ୍କ ପାଇଁ ଭାଗ୍ୟବାନ
ମୋତେ ଏଭଳି ପରିବାର, ଅଧିନାୟକ ଓ ସାଥୀ ଖେଳାଳି ମିଳିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମଣୁଛି। ସୂଚନାଯୋଗ୍ୟ, ବ୍ୟକ୍ତିଗତ ଜୀବନରେ ସାମିଙ୍କୁ ତାଙ୍କ ପତ୍ନୀ ହସିନ୍ ଜାହାଁ ବହୁ ହଇରାଣ ହରକତ କରିବା ସହ ମାମଲା ପରେ ମାମଲା ଲଗାଇଥିଲେ। ଏପରିକି ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ମଧ୍ୟ ଆଣିଥିଲେ ହସିନ୍‌। ବିସିସିଆଇ ମଧ୍ୟ ସାମିଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ତାଙ୍କ ନାମକୁ ବାଦ୍ ଦେଇଥିଲା। ମାତ୍ର କିଛି ଦିନ ପରେ ସେ ଦୋଷମୁକ୍ତ ହେବାରୁ ତୁରନ୍ତ ତାଙ୍କୁ ଚୁକ୍ତି ତାଲିକାରେ ରଖିଥିଲା। ଏହା ପରେ ସେ ଭାରତୀୟ ଦଳକୁ ପ୍ରତ୍ୟାବର୍ତନ କରି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତରେ ଚମତ୍କାର ପ୍ରଦର୍ଶନ କରି କ୍ରିକେଟ୍ ପଡିଆକୁ ଫେରିଥିଲେ। ‘ମାନସିକ ଚାପ ମଧ୍ୟ ଶାରୀରିକ ସ୍ଥିତିକୁ ପ୍ରଭାବିତ କରେ। ଏହି ସମୟରେ ଆପଣଙ୍କୁ ଅନ୍ୟର ସହାୟତା ନେବାକୁ ପଡ଼ିଥାଏ’’ ବୋଲି ସାମି ପ୍ରକାଶ କରିଥିଲେ।

ସାମି ବି ଆତ୍ମହତ୍ୟା ଚିନ୍ତା କରିଥିଲେ
ନିଜର ଅବସାଦ ସମୟର କାହାଣୀ କହିବା ଅବସରରେ ମହମ୍ମଦ ସାମି ଏ କଥା ମଧ ପ୍ରକାଶ କରିଥିଲେ ଯେ, ସେ ଦିନେ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲେ। ବିଶେଷ କରି ପତ୍ନୀ ହସିନ୍ ଜାହାଁଙ୍କ ସହ ସମ୍ପର୍କ ବିଗିଡ଼ିବା ଏବଂ ବିଛିନ୍ନ ହେବା ଏବଂ ଏକାଧିକ ମାମଲା ତାଙ୍କ ନାମରେ ହେବା ପରେ ମୁଁ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲି। ବ୍ୟକ୍ତିଗତ ଜୀବନ ବିଗିଡିଯାଇଥିବା ବେଳେ ପରିବାର ଲୋକ ହିଁ ମୋ ସହ କଥା‌ବାର୍ତା କରି ସବୁ ସମଧାନ କରି ଦେଇଥିଲେ। ମୁଁ ଏକୁଟିଆ ‌ବ୍ୟକ୍ତି ନୁହେଁ ବୋଲି ବୁଝାଇଥିଲେ। ନିଜର ଘନିଷ୍ଠ ବଂଧୁଙ୍କ ସହ କଥାହେବା ଏବଂ ପରାମର୍ଶ ପାଇବା ସବୁବେଳେ ଶ୍ରେଷ୍ଠ ଉପାୟ। ଆଧ୍ୟାତ୍ମିକ ଭାବନା ମଧ୍ୟ ଏଭଳି ଦୁଶ୍ଚିନ୍ତାରୁ ଜଣେ ବ୍ୟକ୍ତିକୁ ବାହାର କରିଥାଏ ବୋଲି ସାମି ପ୍ରକାଶ କରିଥିଲେ। ମାନସିକ ଚାପ ତଥା ଅବସାଦ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ, ଏହାକୁ ସମସ୍ତେ ହୃଦୟଙ୍ଗମ କରିବାର ବେଳ ଆସିଛି ବୋଲି ସାମି କହିଥିଲେ। ସମର୍ଥନ ଓ ଆପୋଷ ଆଲୋଚନା ମାଧ୍ୟମରେ ଏଭଳି ପ୍ରସଙ୍ଗରୁ ବାହାରି ହେବ। ମୋତେ ମୋ ପରିବାର ସହିତ ଅଧିନାୟକ ବିରାଟ କୋହଲିଙ୍କଠାରୁ ବି ସମର୍ଥନ ମିଳିଥିଲା। ପଡିଆ ବାହ‌ାରେ ବି‌ ସାଥୀ ଖେଳାଳିମାନେ‌ ମୋ ବିରକ୍ତି ଓ ବିତୃଷ୍ଣାକୁ ହଟାଇବାରେ ସହାୟକ ହୋଇଥିଲେ। ଏବେ ସେ ସମୟ ବିତିଯାଇଛି, ମୁଁ ଖୁସିରେ ଅଛି’ ବୋଲି ସାମି ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର