ସୁଶୀଲଙ୍କୁ ରିମାଣ୍ଡରେ ନେଲା ଦିଲ୍ଲୀ ପୁଲିସ, ଭାରତୀୟ କ୍ରୀଡ଼ା ଜଗତରେ ଆଲୋଡ଼ନ

ଦିଲ୍ଲୀର ମୁଣ୍ଡକାରୁ ଗିରଫ

ନୂଆଦିଲ୍ଲୀ: ଉଦୀୟମାନ କୁସ୍ତି ତାରକା ସାଗର ଧନକର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା, ଭାରତର ସଫଳତମ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ରୋହିଣୀର ଏକ ଅଦାଲତ ୬ ଦିନ ପାଇଁ ପୁଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି। ଗତ ୨୦ ଦିନ ଧରି ଫେରାର ଥିବା ସୁଶୀଲଙ୍କୁ ଦିଲ୍ଲୀ ପୁଲିସ ରବିବାର ଅଦାଲତରେ ହାଜର କରିଥିଲା। ତା’ ସହ ଅଧିକ ପଚାରା ଉଚରା ପାଇଁ ତାଙ୍କୁ ୧୨ ଦିନ ରିମାଣ୍ଡରେ ନେବାକୁ ଦାବି କରିଥିଲା। ଅଦାଲତ କିନ୍ତୁ ୬ ଦିନର ରିମାଣ୍ଡ ପ୍ରଦାନ କରିଥିଲେ। ଅଦାଲତ ପରିସରରେ ସୁଶୀଲଙ୍କୁ ୨୦ ମିନିଟ୍ ପାଇଁ ଜେରା କରିବାକୁ ଅବଶ୍ୟ ପୁଲିସକୁ ଅନୁମତି ମିଳିଥିଲା। ସାଗର ହତ୍ୟାକାଣ୍ଡ ସ୍ଥଳରେ ଉପସ୍ଥିତ ଥିବା ଏବଂ ଏହି ବିଷୟ ଜାଣିଥିବା ସୁଶୀଲ ଏହି ଅବସରରେ ସ୍ବୀକାର କରିଥିବା ପୁଲିସ ଦାବି କରିଛି। ସୁଶୀଲଙ୍କ ସହ ତାଙ୍କ ସହଯୋଗୀ ଅଜୟ କୁମାରଙ୍କୁ ବି ପୁଲିସ ରିମାଣ୍ଡରେ ନେଇଛି।

ସୁଶୀଲ ଗିରଫ ହେବା ପରେ କିନ୍ତୁ ତାଙ୍କ ଜାଜ୍ଜ୍ବଲ୍ୟମାନ କ୍ରୀଡ଼ା ଜୀବନରେ କଳଙ୍କ ଲାଗିଛି। ଏକମାତ୍ର ଭାରତୀୟ ଭାବେ ଦୁଇଟି ଅଲିମ୍ପିକ୍ସ ପଦକ ଜିତିବାର ବିରଳ ସଫଳତା ପାଇଥିବା ଏହି ହରିୟାଣା କୁସ୍ତିଯୋଦ୍ଧା ହଠାତ୍ ଯେମିତି ଆକାଶରୁ ରସାତଳକୁ ଖସି ପଡ଼ିଛନ୍ତି। ଭାରତୀୟ କ୍ରୀଡ଼ା ଜଗତ ମଧ୍ୟ ଏହି ଘଟଣାକୁ ସହଜରେ ବିଶ୍ବାସ କରିପାରୁନି। ଜଣେ ବିଶ୍ବସ୍ତରୀୟ କୁସ୍ତି ତାରକା ଏକ ହତ୍ୟା ମାମଲାରେ ଛନ୍ଦି ହୋଇ ଗିରଫ ହେବା ସମଗ୍ର କ୍ରୀଡ଼ା ଦୁନିଆରେ ବି ଆ‌ଲୋଡ଼ନ ସୃଷ୍ଟି କରିଛି। ଅର୍ଜୁନ ପୁରସ୍କାର, ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର, ପଦ୍ମଶ୍ରୀ ଏହିଭଳି ମାଳମାଳ ସମ୍ମାନ ଏବଂ ପୁରସ୍କାର ଜିତିବା ସହ କୋଟି କୋଟି କୁସ୍ତିଯୋଦ୍ଧାଙ୍କ ପାଇଁ ପ୍ରେରଣା ପାଲଟିଥିବା ସୁଶୀଲଙ୍କ ସବୁ କ୍ରୀଡ଼ା କୌଶଳ ଶେଷରେ ପୁଲିସ ଆଗରେ ଫିକା ପଡ଼ି ଯାଇଛି। ସୁଶୀଲ ୨୦୦୮ ବେଜିଂ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିବା ପରେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିଲେ। ଏବେ କିନ୍ତୁ ତାଙ୍କପାଇଁ ଭାରତୀୟ କୁସ୍ତି ଲଜ୍ଜିତ ହୋଇଛି। ସୁଶୀଲ ଆଗାମୀ ପିଢ଼ି ପାଇଁ ଆଦର୍ଶ ଥିଲେ। ହେଲେ ନିଜ ହାତରେ ନିଜ ଗୋଡ଼ ହାଣିଲେ ବୋଲି ବହୁ କ୍ରୀଡ଼ା ତାରକା ମତ ଦେଇଛନ୍ତି। ସେ ନିଜ ଦୁଇଟି ଛୋଟ ଛୁଆଙ୍କ ପାଇଁ ଖରାପ ଉଦାହରଣ ରଖିଲେ ବୋଲି ଅନେକ କହିଛନ୍ତି। ସବୁଠାରୁ ବଡ଼ ଦୁଃଖର କଥା ହେଲା ସୁଶୀଲଙ୍କ ଅଧୋପତନ ବିଶ୍ବ କୁସ୍ତି ଦିବସ (ମେ’ ୨୩)ରେ ହିଁ ଘଟିଥିଲା। ପୁଲିସ ଏକ ଭିଡିଓକୁ ବି ଜବତ କରିଛି। ଏଥିରେ ସାଗରଙ୍କୁ ସୁଶୀଲ ମାରପିଟ କରୁଥିବା ଦେଖିବାକୁ ମିଳୁଛି। ସୁଶୀଲ କୁସ୍ତି ଦୁନିଆରେ ଧାକ୍ ଜମାଇବା ଲାଗି ଏହି ଭିଡିଓଟିକୁ ନିଜେ ଭାଇରାଲ କରିବାକୁ ଚାହୁଥିବା ଜଣାପଡ଼ିଛି।

ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସ ଗତ ତିନି ସପ୍ତାହ ହେବ ଲୁଚକାଳି ଖେଳୁଥିବା ସୁଶୀଲଙ୍କୁ ଉତ୍ତରପୂର୍ବ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ଗିରଫ କରିଥିଲା। ୩୭ ବର୍ଷୀୟ ସୁଶୀଲ ସାଗରଙ୍କ ମୃତ୍ୟୁ ପରେ ଫେରାର ହୋଇଯିବା ସହ ପୁଲିସକୁ ଚକ୍‌ମା ଦେବା ଲାଗି ପେସାଦାର ଗୁଣ୍ଡାଙ୍କ ଭଳି ପ୍ରତ୍ୟେକ ଦିନ ନିଜ ରହିବା ସ୍ଥାନ ବଦଳାଉଥିଲେ। ଗିରଫଦାରିରୁ ବଞ୍ଚିବା ଲାଗି ସବୁ ଉପାୟ କରୁଥିଲେ। ପୁଲିସର ଲୁକଆଉଟ୍ ନୋଟିସ୍‌କୁ ବେଖାତିର କରି ଅଗ୍ରିମ ଜାମିନ ପାଇଁ ବି ଆବେଦନ କରିଥିଲେ। ତେବେ ତାଙ୍କର ଏହି ଆବେଦନ ଖାରଜ ହୋଇ ଯାଇଥିଲା। ସୁଶୀଲଙ୍କ ଧରିବା ଲାଗି କିନ୍ତୁ ପୁଲିସ ସବୁ ପ୍ରକାର ଫନ୍ଦି ଫିକର କରୁଥିଲା। ଏପରିକି ତାଙ୍କ ବିଷୟରେ ସୂଚନା ଦେଲେ ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲା। ସୁଶୀଲଙ୍କ ସାଥୀ ଅଜୟ କୁମାର ପାଇଁ ମଧ୍ୟ ପୁଲିସ ୫୦,୦୦୦ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ମାମଲାରେ ଅଭିଯୁକ୍ତ ଥିବା ଅନ୍ୟ ୪ ଜଣଙ୍କୁ ପୁଲିସ ପୂର୍ବରୁ ଗିରଫ କରି ସାରିଛି।

ସୂଚନାଯୋଗ୍ୟ ଯେ ଦିଲ୍ଲୀର ମଡେଲ ଟାଉନଠାରେ ଥିବା ଏକ ଫ୍ଲାଟର ଭଡ଼ା ଆଦାୟକୁ ନେଇ ଚଳିତ ମାସ ୪ ତାରିଖରେ ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ସାଗର ଓ ତାଙ୍କର ଦୁଇ ଜଣ ବନ୍ଧୁଙ୍କୁ ସୁଶୀଲ ଓ ତାଙ୍କ ସହଯୋଗୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ଡାକ୍ତରଖାନାରେ ସାଗରଙ୍କ ମୃତ୍ୟୁ ହୋଇ ଯାଇଥିଲା। ସାଗରଙ୍କ ପରିବାର ନିଜ ଏତଲାରେ ସୁଶୀଲଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇବା ପରେ ପୁଲିସ ତାଙ୍କୁ ଗିରଫ କରିବା ଲାଗି ତନାଘନା ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିଫଳ ହୋଇଥିଲା। ପୁଲିସ ଦେଇଥିବା ସୂଚନା ମୁତାବକ ସାଗର ମୃତ୍ୟୁବରଣ କରିବାର ପରଦିନ ସୁଶୀଲ ଦିଲ୍ଲୀରୁ ହରିଦ୍ବାର ଚାଲି ଯାଇଥିଲେ। ଏହା ପରେ ପଞ୍ଜାବ, ଉତ୍ତରପ୍ରଦେଶ ଓ ହରିୟାଣାର ବିଭିନ୍ନ ସ୍ଥାନରେ ଲୁଚି ରହିଥିଲେ। ଏହିଭିତରେ କିନ୍ତୁ ପାଖରେ ଥିବା ସବୁ ପାଇସା ସରି ଯାଇଥିଲା। ଫଳରେ ଦିଲ୍ଲୀ ଫେରିବାକୁ ବାଧ୍ୟହୋଇଥିଲେ। ଗତକାଲି ରାତିରେ ଉତ୍ତରପୂର୍ବ ଦିଲ୍ଲୀରେ ଉଭୟ ସୁଶୀଲ ଓ ଅଜୟ ଏକ ସ୍କୁଟିରେ ଯାଉଥିଲା ବେଳେ ପୁଲିସ ସେମାନଙ୍କୁ କାବୁ କରି ନେଇଥିଲା। ଗିରଫରୁ ବର୍ତ୍ତିବା ଲାଗି ସୁଶୀଲଙ୍କୁ ୧୦ଟି ମୋବାଇଲ୍ ସିମ୍ ଯୋଗାଇ ଦେଇଥିବା ଜଣେ ଲୋକକୁ ମଧ୍ୟ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର