ମହିଳା ଆଇପିଏଲ୍‌ରେ ସୁଶ୍ରୀ

ଭୁବନେଶ୍ବର: ବିସିସିଆଇ ‘ମହିଳା ଆଇପିଏଲ୍-୨୦୧୯’କୁ ଅନୁମତି ପ୍ରଦାନ କରିଛି। ତିନିଟି ଦଳକୁ ନେଇ ଖେଳା ଯିବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ ଚାରିଟି ମ୍ୟାଚ୍ ଖେଳାଯିବ। ଭାରତର ଶୀର୍ଷସ୍ତରୀୟ ମହିଳା କ୍ରିକେଟରଙ୍କ ସହ ଅନେକ ବିଦେଶୀ ମହିଳା କ୍ରିକେଟର ଏଥିରେ ଅଂଶଗ୍ରହଣ କରିବେ। ୬ ମେ’ରୁ ୧୧ ମେ ପର୍ଯ୍ୟନ୍ତ ପ୍ରତିଯୋଗିତା ଖେଳାଯିବ। ସବୁ ମ୍ୟାଚ୍ ଜୟପୁରର ସବାଇ ମାନସିଂହ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଫାଇନାଲ୍ ପୁରୁଷ ଆଇପିଏଲ ଫାଇନାଲର ଗୋଟିଏ ଦିନ ପୂର୍ବରୁ ଖେଳାଯିବ। ଏଥିରେ ଖେଳିବାକୁ ଥିବା ତିନିଟି ଦଳ ସୁପରନୋଭାସ୍, ଟ୍ରେଲବ୍ଲେଜର୍ସ ଓ ଭେଲୋସିଟି ଦଳ ମଧ୍ୟରୁ ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ଭେଲୋସିଟି ଦଳରେ ମିତାଲି ରାଜଙ୍କ ନେତୃତ୍ବରେ ଖେଳିବେ। ଏହି ପ୍ରତିଯୋଗିତା ଗତବର୍ଷ ମୁମ୍ବାଇଠାରେ ପ୍ରଥମ ଥର ପାଇଁ ପରୀକ୍ଷା ମୂଳକ ଭାବେ ଖେଳା ଯାଇଥିଲା। ଏଥିରେ ମାତ୍ର ଗ‌ୋଟିଏ ମ୍ୟାଚ୍ ଖେଳାଯାଇଥିଲା। ସୁପରନୋଭାଜ୍ ଏବଂ ଟ୍ରେଲ୍‌ବ୍ଲେଜର୍ସ ମୁହାଁ ମୁହିଁ ହୋଇଥିଲେ। ଏଥର ଭେଲୋସିଟି ପ୍ରଥମ ଥର ପାଇଁ ଖେଳିବ। ସୁଶ୍ରୀ ପୂର୍ବରୁ ଭାରତୀୟ ୧୯ ବର୍ଷରୁ କମ୍ ଓ ପୂର୍ବାଞ୍ଚଳ ଆଦି ଦଳରୁ ଖେଳି ସାରିଛନ୍ତି।

ସମ୍ବନ୍ଧିତ ଖବର