ଜୟପୁର: ଚଳିତ ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଭେଲୋସିଟିକୁ ବିଜୟ ଭେଟି ଦେଇଛନ୍ତି। ବିଜୟ ଲାଗି ୨ ରନ୍ ଆବଶ୍ୟକ ଥିଲା ବେଳେ ଦଳ ବିନା ରନ୍ରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସଙ୍କଟ ସମୟରେ ମାତ୍ର ଗୋଟିଏ ବଲ୍ ଖେଳିଥିବା ସୁଶ୍ରୀ ବିଜୟ ସୂଚକ ୨ ରନ୍ ସଂଗ୍ରହ କରିଥିଲେ। ତାଙ୍କର ଏହି ରନ୍ ବଳରେ ଭେଲୋସିଟି ୨ ଓଭର ପୂର୍ବରୁ ୩ ୱିକେଟ୍ରେ ଟ୍ରେଲ୍ବ୍ଲେଜର୍ସକୁ ପରାସ୍ତ କରିଥିଲା। ଏଥି ସହିତ ଭେଲୋସିଟି ପୂର୍ଣ୍ଣ ୨ ପଏଣ୍ଟ୍ରୁ ଅଭିଯାନ ଆରମ୍ଭ କରିଛି। ଅନ୍ୟପକ୍ଷରେ ଟ୍ରେଲ୍ବ୍ଲେଜର୍ସ ୨ ମ୍ୟାଚ୍ରୁ ପ୍ରଥମ ପରାଜୟ ବରଣ କରିଛି। ନିଜର ପ୍ରଥମ ମ୍ୟାଚ୍ରେ ଏହି ଦଳ ସୁପରନୋଭାସ୍କୁ ପରାସ୍ତ କରିଥିଲା।
ବୁଧବାର ଭେଲୋସିଟି ସମ୍ମୁଖରେ ଟ୍ରେଲବ୍ଲେଜର୍ସ ୧୧୩ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା। ଏହାକୁ ପିଛା କରିବାକୁ ଯାଇ ଭେଲୋସିଟି ପ୍ରଥମ ୱିକେଟ୍ ଭାବେ ୨୫ ରନ୍ରେ ମ୍ୟାଥ୍ୟୁସ (୫)ଙ୍କୁ ହରାଇଥିଲା। ଦଳୀୟ ସ୍କୋର୍ ୬୩ରେ ସେଫାଳି ବର୍ମା (୩୪, ୩୧ ବଲ୍, ୫ ଚୌକା, ୧ ଛକା)ଙ୍କୁ ହର୍ଲିନ୍ ଦେଓଲ୍ ଆଉଟ୍ କରି ଭେଲୋସିଟିକୁ ଦ୍ବିତୀୟ ଝଟ୍କା ଦେଇଥିଲେ। ଡାନିଏଲ୍ ୱାଟ୍ (୪୬, ୩୫ ବଲ୍, ୫ ଚୌକା, ୨ ଛକା) ଏବଂ ଅଧିନାୟକ ମିତାଲି ରାଜ (୧୭) ଯୋଡ଼ି ତୃତୀୟ ୱିକେଟ୍ ଭାଗୀଦାରିରେ ୪୭ ରନ୍ ସଂଗ୍ରହ କରି ଦଳକୁ ବିଜୟ ଆଡ଼କୁ ଅଗ୍ରସର କରିଥିଲେ। ତେବେ ବିଜୟ ପାଇଁ ମାତ୍ର ୨ ରନ୍ ଆବଶ୍ୟକ ଥିଲା ବେଳେ ଦଳ ୭ଟି ବଲ୍ ମଧ୍ୟରେ କୌଣସି ରନ୍ ଯୋଡ଼ିନପାରି ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏକଦା ଦଳୀୟ ସ୍କୋର୍ ୨/୧୧୧ ଥିଲା ବେଳେ ୧୭ତମ ଓଭରର ପଞ୍ଚମ ବଲ୍ରେ ୱାଟ୍ଙ୍କୁ ଦୀପ୍ତି ଶର୍ମାଙ୍କ ହାତରେ କ୍ୟାଚ୍ କରାଇ ରାଜେଶ୍ବରୀ ଗାଏକ୍ବାଡ୍ ତୃତୀୟ ଝଟ୍କା ଦେଇଥିଲେ। ଏହା ପରେ ପରେ ଭେଲୋସିଟିର ୱିକେଟ୍ ପତନ ଧାରା ଜାରି ରହିଥିଲା। ଏହି ଓଭରର ଶେଷ ବଲ୍ରେ ଭେଡା କୃଷ୍ଣମୂର୍ତ୍ତି ରନ୍ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହା ପର ଓଭରରେ ମିତାଲି ରାଜ୍ (୧୭), ଶିଖା ପାଣ୍ଡେ (୦) ଓ ଆମେଲିଆ କେର (୦)ଙ୍କୁ ବୋଲ୍ଡ କରି ଦୀପ୍ତି ଟ୍ରେଲ୍ବ୍ଲେଜର୍ସ ଦଳକୁ ବିଜୟ ସମ୍ଭାବନା ଦେଇଥିଲେ। ହେଲେ ଅଷ୍ଟାଦଶ ଓଭରର ଶେଷ ବଲ୍ରେ କ୍ରିଜ୍କୁ ଆସିଥିବା ଓଡ଼ିଆ ଝିଅ ସୁଶ୍ରୀ ୨ ରନ୍ ସଂଗ୍ରହ କରି ଭେଲୋସିଟିକୁ ବିଜୟ ଭେଟି ଦେଇଥିଲେ। ଦୀପ୍ତି ୪ ଏବଂ ରାଜେଶ୍ବରୀ ଓ ହର୍ଲିନ୍ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ। ଡାନିଏଲ୍ ୱାଟ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟ୍ରେଲ୍ବ୍ଲେଜର୍ସ ୬ ୱିକେଟ୍ ହରାଇ ୧୧୩ ରନ୍ କରିଥିଲା। ହର୍ଲିନ ସର୍ବାଧିକ ୪୩ (୪୦ ବଲ୍, ୫ ଚୌକା) ରନ୍ କରିଥିଲା ବେଳେ ସୁଜି ବେଟ୍ସ ୨୬ ରନ୍ର ଉପଯୋଗୀ ପାଳି ଖେଳିଥିଲେ। ଏକତା ବିଷ୍ଟ (୨/୧୩), କେର (୨/୨୧), ଶିଖା (୧/୧୮) ଓ ସୁଶ୍ରୀ (୧/୧୪) ୱିକେଟ୍ ବାଣ୍ଟି ନେଇଥିଲେ। ସୁଶ୍ରୀ ୩-୧-୧୪-୧ର ବୋଲିଂ ଚିତ୍ର ପାଇଥିଲା ବେଳେ ଅଭିଜ୍ଞ ଷ୍ଟିଫାନି ଟେଲର (୫)ଙ୍କୁ ନିଜ ବୋଲିଂରେ ଫେରନ୍ତା କ୍ୟାଚ୍ କରି ପାଭିଲିୟନ୍ ଫେରାଇଦେଇଥିଲେ।
ଭେଲୋସିଟିକୁ ଜିତାଇଲେ ସୁଶ୍ରୀ
ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ୍
/sambad/media/post_attachments/wp-content/uploads/2019/05/6-Sushree.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)