ପାୱାରଙ୍କ ପୁନଃନିଯୁକ୍ତି ପରେ ସନ୍ଦେହରେ ଚୟନକର୍ତା

ମୁମ୍ବାଇ : ପୂର୍ବତନ କ୍ରିକେଟର୍‌ ର‌ମେଶ ପାୱାରଙ୍କୁ ବିସିସିଆଇ ପୁଣି ଥରେ ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରଶିକ୍ଷକ ନିଯୁକ୍ତ କରିବା ପରେ ନୀତୁ ଡେଭିଡଙ୍କ ନେତୃତ୍ବାଧୀନ ଚୟନ ସମିତି ‌ସନ୍ଦେହ ଘେରକୁ ଚାଲିଆସିଛି। ଭବିଷ୍ୟତକୁ ନଜରରେ ରଖି ବିସିସିଆଇ ମହିଳା ଦଳ ଗଠନକୁ ଗୁରୁତ୍ବ ଦେଉଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳା ବେଳେ ଖେଳାଳି ଚୟନ ଠିକ୍‌ ଭାବେ ହୋଇନଥିବାର ସନ୍ଦେହ ଆସିଥିଲା। ଭାରତ ମଧ୍ୟ ମାର୍ଚ୍ଚ ମାସରେ ଖେଳାଯାଇଥିବା ଏହି ଶୃଙ୍ଖଳାକୁ ହାରିଯାଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଦଳରୁ ଶେଫାଳୀ ବର୍ମାଙ୍କୁ ଏବଂ ସମ୍ପୂର୍ଣ୍ଣ ଶୃଙ୍ଖଳାରୁ ଅଭିଜ୍ଞ ଦ୍ରୁତ ବୋଲର ଶିଖା ପାଣ୍ଡେଙ୍କୁ ବାଦ୍‌ ଦେଇଥିଲେ। ଶିଖାଙ୍କ ନିକଟରେ ଫିଟନେସ୍ ଅଭାବ ଥିବା ଦର୍ଶାଯାଇଥିବା ବେଳେ ଦିନିକିଆ ପାଇଁ ଶେଫାଳୀଙ୍କୁ ବିଶ୍ରାମ ଦିଆଯାଇଥିବା କୁହାଯାଇଥିଲା। ବର୍ଷକ ଭିତରେ ଭାରତ କେବଳ ଟି-୨୦ ଚାଲେଞ୍ଜ୍ ଖେଳିଥିବା ବେଳେ ଚୟନକର୍ତାମାନେ କେଉଁ ଆଧାରରେ ଏଭଳି ନିଷ୍ପତ୍ତି ନେଲେ ଅନେକ ଆଶ୍ଚର୍ଯ୍ୟ ହୋଇଥିଲେ।

ହାର୍ଡ ହିଟର୍‌ ରିଚା ‌ଘୋଷକୁ ସେମାନେ ଦିନିକିଆ‌ ସେଟ ଅପ୍‌ରେ ନେବାକୁ ପସନ୍ଦ କରିଥିଲେ। ପ୍ରିୟା ପୁନିଆଙ୍କୁ ନେଇ କିଛି ସଂରକ୍ଷଣ ରହିଥିଲା। ସେଫାଳୀ ଓ ରିଚା କେବଳ ଟି-୨୦ ପାଇଁ ଭଲ ବୋଲି ଧାରଣା ରହିଥିଲା। ସେମାନେ ଅତିରିକ୍ତ ୩୦ ରନ୍ ଯୋଡ଼ିପାରନ୍ତି। ଯୁବ ଖେଳାଳିଙ୍କୁ ଲମ୍ବା ଫର୍ମାଟରେ ସୁଯୋଗ ନମିଳିଲେ ସେମାନେ କିଭଳି ବଢ଼ିବେ। ଚୟନକର୍ତାମାନେ ମିତାଲି ରାଜ ଓ ଝୁଲନ ଗୋସ୍ବାମୀଙ୍କ ବାହାରୁ ଚିନ୍ତା କରିବା ଉଚିତ୍ ବୋଲି ଜଣେ ମତ ପ୍ରକାଶ କରିଥିଲେ। ଗତ ଚୟନକୁ ନେଇ ପ୍ରଶିକ୍ଷକ ଡବୁଲ୍ୟଭି ରମଣ ମଧ୍ୟ ଅସନ୍ତୁଷ୍ଟ ଥିଲେ। ଅନ୍ୟପକ୍ଷରେ ରମେଶ ପାୱାରଙ୍କ ନାମରେ ପୂର୍ବରୁ ମିତାଲି ରାଜ ଅଭିଯୋଗ ଆଣିଥିବାରୁ ‌ତାଙ୍କ ପୁନଃ ନିଯୁକ୍ତିକୁ ନେଇ ମଧ୍ୟ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

ଗାଙ୍ଗୁଲି, ଦ୍ରାବିଡ଼ଙ୍କୁ ଚିଠି ଲେଖିଲେ ରମଣ
ମୁମ୍ବାଇ : ଭାରତୀୟ ମହିଳା କ୍ରିକେଟ୍ ଦଳର ବିଦାୟୀ ପ୍ରଶିକ୍ଷକ ଡବୁଲ୍ୟଭି ରମଣ ଅସନ୍ତୁଷ୍ଟ ହୋଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ଼ଙ୍କୁ ଚିଠି ଲେଖିଛନ୍ତି। ଭାରତୀୟ ମହିଳା କ୍ରିକେଟ୍‌ରେ ତାରକା ମାନ୍ୟତା ଖେଳାଳିଙ୍କ ଯୁଗର ଅନ୍ତ ଘଟିବା ଉଚିତ୍ ବୋଲି ରମଣ ମତ ଦେଇଛନ୍ତି। ଅନୁମତି ଦେଲେ ସେ ମହିଳା କ୍ରିକେଟ୍ ପାଇଁ ତାଙ୍କ ପ୍ରସ୍ତାବ ଦେବେ ବୋଲି ମଧ୍ୟ ଇମେଲ୍‌ରେ ଉଲ୍ଲେଖ କରିଛନ୍ତି। ଗୁରୁବାର ବିସିସିଆଇର କ୍ରିକେଟ୍‌ ଉପଦେଷ୍ଠା ସମିତି (ସିଏସି) ରମଣଙ୍କ ବଦଳରେ ରମେଶ ପାୱାରଙ୍କୁ ପ୍ରଶିକ୍ଷକ ଭାବେ ପୁନଃ ନିଯୁକ୍ତି କରିବା ପରେ ରମଣ ଏଭଳି ଚିଠି ଲେଖିଛନ୍ତି। ଖେଳାଳିଙ୍କ ଠାରୁ ଦଳ ବହୁ ଉର୍ଧ୍ବରେ ବୋଲି ମୁଁ ସବୁବେଳେ ବିଶ୍ବାସ କରେ। କୌଣସି ବ୍ୟକ୍ତିକୁ ତାରକା ଆଖ୍ୟା ଦେଇ ଦଳରେ ନିଶ୍ଚିତ ରଖାଯିବା ଉଚିତ୍ ନୁହେଁ ବୋଲି ରମଣ ଲେଖିଛନ୍ତି। ଇମେଲ୍‌ରେ ରମଣ କାହାରି ନାମ ନେଇନଥିଲେ ମଧ୍ୟ ଦଳରେ ତାରକା ମାନ୍ୟତା କାରଣରୁ ଏହା ଭଲ ଅପେକ୍ଷା ଅଧିକ କ୍ଷତି କରୁଛି ବୋଲି ‌ଦର୍ଶାଇଛନ୍ତି। ରମଣଙ୍କ ପତ୍ର ପରେ ଗାଙ୍ଗୁଲିଙ୍କ ହସ୍ତକ୍ଷେପ ହେଲେ କିଛି କାର୍ଯ୍ୟାନୁଷ୍ଠାନ ହେବା ଆଶଙ୍କା ମଧ୍ୟ ରହିଛି। କିନ୍ତୁ ଗାଙ୍ଗୁଲି ନିଜ ସମୟରେ ଏଭଳି ତାରକା ସଂସ୍କୃତିରେ ବିଶ୍ବାସ ରଖି ଗ୍ରେଗ୍‌ ଚାପେଲଙ୍କ ସହ ବିବାଦର ସୂତ୍ରପାତ କରିଥିବାରୁ ରମଣଙ୍କ ଚିଠିର କିଛି ମୂଲ୍ୟ ରହିବ ନାହିଁ ବୋଲି ଜଣେ କ୍ରିକେଟ୍ ବିଶାରଦ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ମିତାଲି ରାଜ ଏବଂ ଝୁଲନ ଗୋସ୍ବାମୀଙ୍କ ତାରକା ଆଭିମୁଖ୍ୟ ଦଳ ଭିତରେ ବିଭେଦର ସୂତ୍ରପାତ କରିଥିବା ସନ୍ଦେହ କରାଯାଉଛି। ପୂର୍ବରୁ ମିତାଲିଙ୍କ ସହ ମଧ୍ୟ ବର୍ତମାନର ପ୍ରଶିକ୍ଷକ ରମେଶ ପାୱାରାଙ୍କ ମତଭେଦ ପଦାକୁ ଆସିଥିଲା।

ସମ୍ବନ୍ଧିତ ଖବର