ଭୁବନେଶ୍ବର : ଯେଉଁ ସଫଳତା ଓଡ଼ିଶା ପାଇଁ ମିଳିପାରିନାହିଁ ସେଭଳି ସଫଳତା ଜଣେ ଓଡ଼ିଆଙ୍କ ଭାଗ୍ୟରେ ଜୁଟିଛି। ରାଜ୍ୟର ଅନ୍ୟତମ ଅନ୍ତର୍ଜାତୀୟ ମହିଳା କ୍ରିକେଟର୍ ସ୍ବାଗତିକା ରଥ ଏକ ବିରଳ ସଫଳତା ପାଇଛନ୍ତି। ପ୍ରଥମ ଓଡ଼ିଆ ଝିଅ ଭାବେ ଏକାଧିକ ଥର ଜାତୀୟ ସିନିୟର୍ ମହିଳା କ୍ରିକେଟ୍ ଦିନିକିଆ ଟ୍ରଫି ଜିତିବାର ଗୌରବ ପାଇଛନ୍ତି ସ୍ବାଗତିକା। ମିତାଲି ରାଜଙ୍କ ନେତୃତ୍ବାଧୀନ ରେଳବାଇ ଦଳରୁ ଖେଳୁଥିବା ସ୍ବାଗତିକା ରବିବାରର ଫାଇନାଲରେ ମଧ୍ୟ ନିଜ ପ୍ରଦର୍ଶନର ଛାପ ଛାଡିଛନ୍ତି। ରାଜକୋଟରେ ଅନୁଷ୍ଠିତ ଫାଇନାଲରେ ରେଳବାଇ ଦଳ ୭ ୱିକେଟରେ ଝାଡ଼ଖଣ୍ଡକୁ ପରାସ୍ତ କରି ପୁଣି ଥରେ ବିଜେତା ହୋଇଥିଲା। ଝାଡ଼ଖଣ୍ଡକୁ ନିର୍ଦ୍ଧାରିତ ୫୦ ଓଭରରେ ୧୬୭ ରନ୍ରେ ରୋକିବାରେ ସ୍ବାଗତିକା ସବୁଠୁ ମିତବ୍ୟୟୀ ବୋଲର (୯-୧-୨୮-୧) ଥିଲେ। ସ୍ନେହା ରାଣା ୩, ମେଘନା ସିଂହ ଓ ଏକତା ବିଷ୍ଟ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ରେଳବାଇ ଶଭିନେନି ମେଘାନା (୫୩) ଓ ପୁନମ ରାଉତ (୫୯)ଙ୍କ ଅର୍ଦ୍ଧଶତକ ବଳରେ ୩୭ ଓଭରରେ ୩ ୱିକେଟ୍ ହରାଇ ୧୬୯ ରନ୍ ସଂଗ୍ରହ କରିନେଇଥିଲା। ବ୍ୟକ୍ତିଗତ ଭାବେ ରେଳବାଇ ପାଇଁ ସ୍ବାଗତିକା ଚତୁର୍ଥ ଥର ପାଇଁ ଜାତୀୟ ଟ୍ରଫି ଜିତିଛନ୍ତି। ରେଳବାଇ ପାଇଁ ଖେଳି ସେ ୨ ଥର ଟ୍ବେଣ୍ଟି-୨୦ (୨୦୧୬-୧୭, ୨୦୧୯-୨୦) ଏବଂ ୨ ଥର ଦିନିକିଆ (୨୦୧୭-୧୮, ୨୦୨୦-୨୧) ଜିତି ବିରଳ ସଫଳତା ପାଇଛନ୍ତି।
ସ୍ବାଗତିକା ଜିତିଲେ ଜାତୀୟ ଦିନିକିଆ ଟ୍ରଫି
/sambad/media/post_attachments/wp-content/uploads/2021/04/1-Railways.jpg)