ଭୁବନେଶ୍ବର: ଅଲିମ୍ପିକ୍ସ ଇତିହାସରେ ଭାରତ ସୀମିତ କିଛି ବ୍ୟକ୍ତିଗତ ପଦକ ଜିତିଥିବାବେଳେ ଭାରୋତ୍ତୋଳନ ଏହା ମଧ୍ୟରେ ଅନ୍ୟତମ। ତେବେ ଭାରତକୁ ଯେଉଁ ଦୁଇଟି ଭାରୋତ୍ତୋଳନ ପଦକ ମିଳିଛି ତାହା ଆସିଛି ମହିଳାଙ୍କ ଜରିଆରେ। ୨୦୦୦ ସିଡ୍ନି ଅଲିମ୍ପିକ୍ସରେ କର୍ଣ୍ଣମ ମାଲେଶ୍ବରୀ ୬୯ କିଲୋଗ୍ରାମରେ କାଂସ୍ୟ ଏବଂ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ସୈଖମ ମୀରାବାଇ ଚାନୁ ୪୯ କିଲୋଗ୍ରାମ ଓଜନ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ଏହି ସଫଳତା ସତ୍ତ୍ବେ ଭାରତରେ ଭାରୋତ୍ତୋଳନ ସେତିକି ଗୁରୁତ୍ବ ପାଇନାହିଁ କି ଲୋକପ୍ରିୟତା ଅର୍ଜନ କରିପାରିନାହିଁ। ଫଳରେ ଏଥର ପ୍ୟାରିସ୍ ଯାଇଥିବା ୧୧୭ ଜଣିଆ ଦଳରେ ଜଣେ ମାତ୍ର ୱେଟଲିଫ୍ଟର୍ ରହିଛନ୍ତି। ସେହି ଭାରୋତ୍ତୋଳିକା ଜଣଙ୍କ ହେଉଛନ୍ତି ଟୋକିଓର ରୂପା ଝିଅ ପାଲଟିଥିବା ମୀରାବାଇ ଚାନୁ। ତୃତୀୟ ଅଲିମ୍ପିକ୍ସ ଖେଳିବାକୁ ଯାଉଥିବା ୩୦ ବର୍ଷୀୟା ଚାନୁଙ୍କଠାରୁ ଏଥର ମଧ୍ୟ ପଦକ ଆଶା ରହିଛି। ଏଭଳି ଆଶା ପୋଷଣ କରିଛନ୍ତି ଦେଶର ପ୍ରଥମ ମହିଳା ଦ୍ରୋଣାଚାର୍ଯ୍ୟ ବିଜୟିନୀ ପ୍ରଶିକ୍ଷକ ହଂସା ମନରାଲ ଶର୍ମା। ଗତ ସପ୍ତାହରେ ଭୁବନେଶ୍ବର ଆସିଥିବାବେଳେ ‘ସମ୍ବାଦ’କୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ ୬୭ ବର୍ଷୀୟା ହଂସା କହିଥିଲେ ‘ମୀରାବାଇ ଚାନୁ ଏବେ ପ୍ୟାରିସ୍ ଅଲିମ୍ପିକ୍ସ ପଦକ ବ୍ରାକେଟ୍ରେ ଅଛନ୍ତି। ଅବଶିଷ୍ଟ କାର୍ଯ୍ୟ ମଞ୍ଚରେ କରିବାକୁ ପଡ଼ିବ। ସବୁକିଛି ଠିକ୍ଠାକ ରହିଲେ ଚାନୁ ନିଶ୍ଚିତ ପଦକ ନେଇ ଆସିବେ’।
ଦେଶରେ ଭାରୋତ୍ତୋଳନର ଅଗ୍ରଗତିକୁ ନେଇ ହଁସା କିନ୍ତୁ ସନ୍ତୁଷ୍ଟ ନାହାନ୍ତି। ପ୍ୟାରିସ୍ ପାଇଁ ମାତ୍ର ଜଣେ ଯୋଗ୍ୟତା ଅର୍ଜନ କରିଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ। ଦେଶରେ ଭାରୋତ୍ତୋଳନରେ ଗଣ ଅଂଶଗ୍ରହଣ ହେଉନଥିବାରୁ ଏଭଳି ହୋଇଛି। ୧୯୮୬ରୁ ଭାରତ ଭାରୋତ୍ତୋଳନରେ ଖେଳି ଆସୁଛି। ଏନ୍ କୁଞ୍ଜରାଣୀ ଦେବୀଙ୍କ ଅନ୍ତର୍ଜାତୀୟ ସଫଳତା ଓ କର୍ଣ୍ଣମ ମାଲେଶ୍ବରୀଙ୍କ ଅଲିମ୍ପିକ୍ସ ପଦକ ସତ୍ତ୍ବେ ଆମେ ଆଗକୁ ବଢ଼ିପାରିନାହୁଁ। ଅନ୍ୟ ଦେଶଗୁଡ଼ିକରେ ପ୍ରଥମ, ଦ୍ବିତୀୟ, ତୃତୀୟ ଲାଇନ୍ ପର୍ଯ୍ୟନ୍ତ ଖେଳାଳି ପ୍ରସ୍ତୁତ ରହୁଥିବା ବେଳେ ସେଭଳି ପ୍ରଚୁର ଖେଳାଳି ଗଢ଼ିପାରିନୁ। ବହୁସଂଖ୍ୟାରେ ଅଂଶଗ୍ରହଣ ହେଲେ ସବୁ ସମ୍ଭବ ହୋଇପାରନ୍ତା। ପ୍ରତିଭା ଚିହ୍ନଟ କରିବା ସହ ସେମାନଙ୍କୁ ଗଢ଼ି ତୋଳିବାରେ ମଧ୍ୟ ଅବହେଳା ରହିଛି। ହିନ୍ଦୁସ୍ତାନରେ କିଛି ବି ଅଭାବ ନାହିଁ। ଛୋଟ ଛୋଟ ଦେଶ ଅଲିମ୍ପିକ୍ସରେ ପଦକ ଜିତିପାରୁଛନ୍ତି, ଆମେ କାହିଁକି ନୁହେଁ। ଭାରୋତ୍ତୋଳନ ପ୍ରତିଭା ମେଟ୍ରୋପଲିଟାନ୍ ସହରରେ ନୁହେଁ ଗାଁରେ ଅଛନ୍ତି। ସେମାନଙ୍କୁ ଚୟନ କରି ଗଢ଼ିତୋଳିବା, ପ୍ରଶିକ୍ଷଣ, ନିଯୁକ୍ତି ଦିଆଗଲେ ଆମେ ଆଗକୁ ବଢ଼ିପାରିବା। ଏଥି ସହିତ ଠିକଣା ବ୍ୟକ୍ତି ଠିକଣା ଯାଗାରେ ନିଯୁକ୍ତ ରହିବା ମଧ୍ୟ ଆବଶ୍ୟକ। ଅନ୍ୟ ଦେଶଗୁଡ଼ିକ ଗୋଟିଏ ଅଲିମ୍ପିକ୍ସ ସରିବା ମାତ୍ରେ ପରବର୍ତ୍ତୀ ଅଲିମ୍ପିକ୍ସ ପାଇଁ ଖେଳାଳି ଚୟନ କରି ୪ ବର୍ଷ ଧରି ସେମାନଙ୍କୁ ପ୍ରସ୍ତୁତ କରିଥାନ୍ତି। ଦଳରେ କୌଣସି ପରବର୍ତ୍ତନ ବି କରାଯାଏ ନାହିଁ। ଅଲିମ୍ପିକ୍ସ ଆସିବାର ମାସେ ଦୁଇ ମାସ ଆଗରୁ ପ୍ରସ୍ତୁତି ହେଲେ କିଛି ହେବାର ନାହିଁ ବୋଲି ହଁସା ପ୍ରକାଶ କରିଥିଲେ।
ଓଡ଼ିଶାରେ ଭାରୋତ୍ତୋଳନ ପାଇଁ ଭଲ ପ୍ରୋତ୍ସାହନ, ପରିବେଶ ଓ ଉତ୍ସାହ ରହିଛି। ସରକାର ବି ସମର୍ଥନ କରୁଛନ୍ତି। ବିଜୟ ଶତପଥୀ, କେ. ରବି କୁମାରଙ୍କ ଭଳି ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ବି ଏହି ରାଜ୍ୟରେ ରହିଛନ୍ତି। ରବି କୁମାର ଏବେ ଓଡ଼ିଶା ଭାରେତ୍ତୋଳନ ସଂଘର ସାଧାରଣ ସମ୍ପାଦକ ଦାୟିତ୍ବରେ ରହିବା ଆଉ ଏକ ସକରାତ୍କକ କଥା। ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ପଦକ ଜିତିବା ସହ ରବି କୁମାର ଲଣ୍ଡନ୍ ଅଲିମ୍ପିକ୍ସରେ ଖେଳିଥିବାରୁ ଖେଳାଳିର ଭଲମନ୍ଦ ବୁଝିବାକୁ ସେ ଉପଯୁକ୍ତ ବ୍ୟକ୍ତି। ଜଣେ କିଭଳି ଅଲିମ୍ପିକ୍ସ ପର୍ଯ୍ୟନ୍ତ ପହଞ୍ଚିଥାଏ ତାହା ତାଙ୍କୁ ଜଣା ଅଛି। ଓଡ଼ିଶାରେ ଏବେ ପ୍ରାୟ ୪୦୦ ସକ୍ରିୟ ଭାରୋତ୍ତୋଳକ ରହିଛନ୍ତି। ୫୭ଟି ତାଲିମକେନ୍ଦ୍ର ଅଛି। ଭୁବନେଶ୍ବର ଓ ବ୍ରହ୍ମପୁରରେ ଭାରୋତ୍ତୋଳନ ପାଇଁ ଛାତ୍ରାବାସ ବି ରହିଛି। ମୋର ବିଶ୍ବାସ ଖୁବ୍ ଶୀଘ୍ର ଦେଶକୁ ଭଲ ଭାରୋତ୍ତୋଳକ ଯୋଗାଇବାରେ ଭୁବନେଶ୍ବର ଏକ ନମ୍ବର ଯୋଗାଣକେନ୍ଦ୍ର ପାଲଟିଯିବ ବୋଲି ହଁସା ପ୍ରକାଶ କରିଥିଲେ। ଓଡ଼ିଶାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ଲିଗ୍ରୁ ବହୁ ଯୁବ ଖେଳାଳିଙ୍କ ପ୍ରଦର୍ଶନ ମୋତେ ବିଶ୍ବାସ ଦେଇଛି ଦେଶର ଭବିଷ୍ୟତ ଏମାନଙ୍କ ଭିତରେ ରହିଛି ବୋଲି ସେ ଶେଷରେ ପ୍ରକାଶ କରିଥିଲେ।