ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଆଥଲେଟ୍ ଅର୍ପିନ୍ଦର ସିଂହଙ୍କ ପରେ ଭାରତର ସ୍ୱପ୍ନା ବର୍ମନ ୧୧ତମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ପୂର୍ବରୁ ଅର୍ପିନ୍ଦର ଭାରତ ପାଇଁ ଦଶମ ସ୍ୱର୍ଣ୍ଣ ପଦକ ଆଣିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅର୍ପିନ୍ଦର ଅଷ୍ଟାଦଶ ଏସୀୟ କ୍ରୀଡ଼ାର ଟ୍ରିପଲ ଜମ୍ପ ପ୍ରତିଯୋଗିତାରେ ବୁଧବାର ଫାଇନାଲରେ ୧୬.୭୭ ମିଟର ଡେଇଁ ଏହି ପଦକ ଜିତିଛନ୍ତି। ଚଳିତ ଏସୀୟ କ୍ରୀଡ଼ାର ଆଥଲେଟିକ୍ସ ବର୍ଗରେ ଏହା ହେଉଛି ଭାରତର ୫ମ ସ୍ୱର୍ଣ୍ଣ ପଦକ। ଏହା ପୂର୍ବରୁ ତଜିନ୍ଦର ସଟପୁଟରେ, ନୀରଜ ଚୋପ୍ରା ଜାଭଲିନ ଥ୍ରୋରେ ଓ ମନଜୀତ ସିଂହ ୮୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଚଳିତ ଏସୀୟ କ୍ରୀଡ଼ାରେ ଭାରତକୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୫୪ଟି ପଦକ ମିଳିଛି। ଏଥିରେ ୧୧ଟି ସ୍ୱର୍ଣ୍ଣ ପଦକ ଓ ୨୦ଟି ରୌପ୍ୟ ପଦକ ସାମିଲ ଅଛି।
ପଶ୍ଚିମବଙ୍ଗର ସ୍ୱପ୍ନା ବର୍ମନ ମୋଟ ୭ଟି ସ୍ତର ଦେଇ ୬୦୨୬ ପଏଣ୍ଟ ପାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସ୍ୱପ୍ନା ୧୦୦ ମିଟର ହିଟ-୨ରେ ୯୮୧ ପଏଣ୍ଟ ପାଇଁ ୪ର୍ଥ ସ୍ଥାନ ହାସଲ କରିଥିଲେ। ଉଚ୍ଚ ଡିଅାଁରେ ୧୦୦୩ ପଏଣ୍ଟ ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗୋଲା ଫିଙ୍ଗାରେ ୭୦୭ ପଏଣ୍ଟ ପାଇ ୨ୟ ସ୍ଥାନରେ ଥିଲେ। ସେହିପରି ୨୦୦ ମିଟର ଦୌଡ଼ରେ ସେ ହିଟ-୨ରେ ୭୯୦ ପଏଣ୍ଟ ପାଇଥିଲେ। ୨୧ ବର୍ଷୀୟ ସ୍ୱପ୍ନା ଲମ୍ବ ଡିଆଁରେ ୮୬୫ ପଏଣ୍ଟ ପାଇ ୨ୟ ସ୍ଥାନର ଅଧିକାରିଣୀ ହୋଇଥିବା ବେଳେ ଜାଭଲିନ୍ ଥ୍ରୋରେ ତାଙ୍କୁ ୮୭୨ ପଏଣ୍ଟ(ପ୍ରଥମ ସ୍ଥାନ) ଓ ୮୦୦ ମିଟର ଦୌଡ଼ରେ ୮୦୮ ପଏଣ୍ଟ ପାଇ ୪ର୍ଥ ସ୍ଥାନ ହାସଲ କରିଥିଲେ।