ସ୍ବପ୍ନର କାରିଗର ‘ୱାନ୍ ଟିମ୍, ୱାନ୍ ଡ୍ରିମ୍‌’

ଭୁବନେଶ୍ବର (ସୁରେଶ ସ୍ବାଇଁ): ଚଳିତ ଓଡ଼ିଶା ପୁରୁ‌ଷ ବିଶ୍ବକପ୍‌ରେ ଭାରତ କ୍ବାର୍ଟରଫାଇନାଲ୍ ଯିବାର ସମ୍ଭାବନା ବଢ଼ାଇ ଦେଇଛି। ଯାହାକି ହକି ବିଶେଷଜ୍ଞମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ୪୩ ବର୍ଷର ପ୍ରତୀକ୍ଷା ବି ଭୁବନେଶ୍ବରରେ ଅନ୍ତ ଘଟିବ ବୋଲି ବିଶ୍ବାସ ଜନ୍ମାଇଛି ମନପ୍ରୀତ୍ ସିଂହ ବାହିନୀ। ଏଭଳି ବିଶ୍ବାସରେ ବି ବିଭୋର ହେବାରେ ଲାଗିଛନ୍ତି କୋଟି କୋଟି ଭାରତୀୟ ହକି ପ୍ରେମୀ। ଭାରତୀୟ ହକିର ଅସଲ ପ୍ରଶଂସକ ତଥା ସଂଗଠିତ ହକି ଫ୍ୟାନ୍ କ୍ଲବ୍ ‘ୱାନ୍ ଟିମ୍…ୱାନ୍‌ ଡ୍ରିମ୍‌…’ ବି ନିଜ ଅଭିଯାନର ପ୍ରଥମ ସଫଳତା ପାଇବାକୁ ବିଶ୍ବାସୀ ଓ ବ୍ୟାକୁଳ। ଭାରତୀୟ ହକିର ବାର୍ମି ଆର୍ମି ଭାବେ ପରିଚିତ ‘ୱାନ୍ ଟିମ୍…ୱାନ୍‌ ଡ୍ରିମ୍‌…’ (ଗୋଟିଏ ଦଳ, ଗୋଟିଏ ସ୍ବପ୍ନ) ହେଉଛି ୫୦ରୁ ଊର୍ଧ୍ବ ଖାଣ୍ଟି ହକି ପ୍ରଶଂସକଙ୍କ କ୍ଲବ୍ ଯିଏ ବିଶ୍ବବ୍ୟାପୀ ଭ୍ରମଣ କରି ଭାରତୀୟ ହକି ଦଳକୁ ଷ୍ଟାଡିୟମ୍‌ରୁ ଉତ୍ସାହିତ କରି ଆସୁଛନ୍ତି। ଭୁବନେଶ୍ବରରେ ବି ଡେରା ପକାଇ ସାରିଛନ୍ତି ଏହି ଦଳ। ଭାରତ ସହିତ ସମସ୍ତ ମ୍ୟାଚ୍‌କୁ ଢ଼େର ଉପଭୋଗ କରୁଛନ୍ତି ଏହି ବର୍ଷିୟାନ ହକିପ୍ରେମୀଙ୍କ କ୍ଲବ୍‌ର ସଦସ୍ୟ ଏବଂ ସଦସ୍ୟାମାନେ।
୨୦୧୦ ମସିହାରୁ ଆଜି ପର୍ଯ୍ୟନ୍ତ ନିରଂତର ନିଜସ୍ବ ଖର୍ଚରେ ଦେଶ ଦେଶ ବୁଲି ଭାରତୀୟ ଦଳକୁ ଉତ୍ସାହିତ କରୁଛନ୍ତି ଏହି ଏକ ନମ୍ବର ହକି ପ୍ରଶଂସକ କ୍ଲବ୍। ଏହି ନିସ୍ବାର୍ଥପର ଅନୁଷ୍ଠାନର ସବୁଠୁ ବରିଷ୍ଠ ସଦସ୍ୟ ହେଉଛନ୍ତି ବଲଦେବ ସିଂହ କଲସୀ। ଯିଏକି କାନାଡ଼ାରେ ରହୁଥିବା ଭାରତୀୟ ବଂଶୋଦ୍ଭବ। ବିଦ୍ୟାଳୟ ଜୀବନରେ ହକି ଖେଳିଥିଲେ, ବାସ୍‌ ଏତିକି ତାଙ୍କ ହକି ସମ୍ପୃକ୍ତି। କିନ୍ତୁ ବ୍ୟକ୍ତିଗତ ପ୍ରଚେଷ୍ଟାରେ ୧୨ ଲେଖାଏଁ ବିଶ୍ବକପ୍, ୧୨ ଅଲିମ୍ପିକ୍ସ ସହିତ ବହୁ ଚାମ୍ପିଅନ୍ସ ଟ୍ରଫି, ଏସୀୟ କ୍ରୀଡ଼ାର ହକି ପ୍ରତିଯୋଗିତାକୁ ପ୍ର‌ତ୍ୟକ୍ଷଭାବେ ଦେଖି ଆସିଛନ୍ତି। ଏହି ସ୍ବପ୍ନର ଦଳ ଗଢ଼ିବାରେ ସେ ମୁଖ୍ୟ ପ‌ୁରୋଧା। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ବି ପ୍ରୁସ୍ତୁତି କରି ସାରିଲେଣି ଏହି ପ୍ରଶଂସକ ଗୋଷ୍ଠୀ। ଭାରତୀୟ ହକି ଦଳକୁ‌ ଦେଶର ‘ଗୋଟିଏ ଦଳ’ ଏବଂ ବିଶ୍ବକପ୍, ଅଲିମ୍ପିକ୍ସ ପଦକ ଜିତିବା ‘ଏକମାତ୍ର ସ୍ବପ୍ନ’ ଭାବେ ନେଇଛନ୍ତି। ଆମ ରକ୍ତରେ ହକି, ଆମେ ଜୋସ୍‌ର ସହିତ ବିଶ୍ବ ଭ୍ରମଣ କରୁଛୁ ଭାରତୀୟ ହକି ଦଳକୁ ଷ୍ଟାଣ୍ଡରୁ ସମର୍ଥନ କରିବାକୁ। ଭାରତୀୟ ହକିକୁ ପଡ଼ିଆ ପାର୍ଶ୍ବରୁ ସମର୍ଥନ ଦେବାର ଆବଶ୍ୟକତା ରହିଛି ବୋଲି ‘ସମ୍ବାଦ’ ସହିତ କଥା ‌ହେବା ବେଳେ ପ୍ରକାଶ କରିଥିଲେ ୬୫ ବର୍ଷୀୟ ବଲ୍‌ଦେବ ସିଂହ। ଏହି ଗୋଷ୍ଠୀ ସହିତ ଅଧିକାଂଶ ପ୍ରବାସୀ ଭାରତୀୟ ହକି ପ୍ରେମୀ ହିଁ ଜଡ଼ିତ। ଯେଉଁମାନେ ନିଜ ବ୍ୟବସାୟ ଏବଂ ନିଯୁକ୍ତିରୁ ସମୟ ଓ ସଂଚୟ କରି ହକି ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଆମ ସହିତ ନ୍ୟୁଜିଲାଣ୍ଡ, ମାଲେସିଆ, କାନାଡ଼ା, ଆମେରିକା, ଅଷ୍ଟ୍ରେଲିଆ, ଓମାନ, ଫିନଲାଣ୍ଡ ସହିତ ଭାରତର ବିଭିନ୍ନ ପ୍ରାନ୍ତରୁ ସଦସ୍ୟ ରହିଛନ୍ତି। ଭାରତୀୟ ହକି ଦଳର ସୂଚୀ ଚୂଡାନ୍ତ ହେବା ମାତ୍ରେ ଆମେ ନିଜ ନିଜର ଗସ୍ତସୂଚୀ ପ୍ରସ୍ତୁତ କରିନ‌େଇଥାଉ ବୋଲି କାଲସୀ ପ୍ରକାଶ କରିଥିଲେ।
୧୯୭୨ ମ୍ୟୁନିକ ଅଲିମ୍ପିକ୍ସ କାଂସ୍ୟ, ୧୯୭୫ କୁଆଲାଲମ୍ପୁର ବିଶ୍ବକପ୍‌ ସ୍ବର୍ଣ୍ଣ, ୧୯୮୦ ମସ୍କୋ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜୟକୁ ମୁଁ ଦେଖି ଆସିଛି। ସେବେଠାରୁ ମୁଁ ବ୍ୟକ୍ତିଗତ ଭାବେ ଭାରତୀୟ ଦଳର ପ୍ରତିଟି ଅନ୍ତର୍ଜାତୀୟ ଅଂଶଗ୍ରହଣକୁ ଦେଖି ଆସୁଛି। ୧୯୭୫ ବିଶ୍ବକପ୍ ଦଳ ଉଚ୍ଚଶ୍ରେଣୀୟ ଥିଲା। ଅଶୋକ କୁମାର, ଅଜିତ ପାଲ ସିଂହ, ମାଇକେଲ କିଣ୍ଡୋ, ସୁରଜିତଙ୍କ ଖେଳ ଜରିଆରେ ଭାରତ ସେମିରେ ମାଲେସିଆକୁ ଏବଂ ଫାଇନାଲରେ ପାକିସ୍ତାନକୁ ହରାଇ ବିଶ୍ବକପ୍ ଜିତିବାର ଗୌରବମୟ ମୁହୂର୍ତକୁ ଏବେ ବି ସାଇତି ରଖିଛି ବୋଲି କାଲସୀ ପ୍ରକାଶ କରିଥିଲେ। ୧୯୭୬ ମସିହା ପରଠାରୁ ଘାସ ବଦଳରେ ସିନ୍ଥେଟିକ ଟର୍ଫରେ ଖେଳାଯିବା ହିଁ ଭାରତୀୟ ହକିର ପତନ କାରଣ ହୋଇଥିଲା। ଏବେ କିନ୍ତୁ ହକି ଇଣ୍ଡିଆ ଲିଗ୍‌ରେ ବିଦେଶୀ ଖେଳାଳିଙ୍କ ଅଂଶଗ୍ରହଣ ଆମକୁ ବିଶ୍ବଶକ୍ତିରେ ପରିଣତ କରିପାରିଛି। ଭୁବନେଶ୍ବରରେ ଆମେ ବିଶ୍ବକପ୍‌ ଜିତିବୁ ଏବଂ ଓଡ଼ିଶା ନିଶ୍ଚିତ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ ବୋଲି ଆଶା ପ୍ରକାଶ କରିଛନ୍ତି କାଲସୀ। ବଳଦେବଙ୍କ ବ୍ୟକ୍ତିଗତ ପ୍ରୟାସ ପରେ ୨୦୧୦ ନୂଆଦିଲ୍ଲୀ ହକି ବିଶ୍ବକପ୍ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା‌ ଅବସରରେ ଏହି ପ୍ରଶଂସକ ଗୋଷ୍ଠୀ ଏକତ୍ର ହୋଇ ‘ୱାନ୍ ଟିମ୍…ୱାନ୍‌ ଡ୍ରିମ୍‌…’କୁ ଆନୁଷ୍ଠାନିକ ଭାବେ ଗଢ଼ିଥିଲେ।

ସମ୍ବନ୍ଧିତ ଖବର