ଏଭରେଷ୍ଟ୍‌ ଶିଖରରେ ସ୍ୱର୍ଣ୍ଣଲତା: ସର୍ବୋଚ୍ଚ ଗିରିଶୃଙ୍ଗ ଉପରେ ପାଦ ଥାପିବାରେ ସପ୍ତମ ଓଡ଼ିଆ

ଭୁବନେଶ୍ୱର: ଓଡ଼ିଆ ଝିଅ ସ୍ୱର୍ଣ୍ଣଲତା ଦଳେଇଙ୍କ ଆଗରେ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ‘ଏଭରେଷ୍ଟ’ ହାର୍‌ ମାନିଛି। ଅସହ୍ୟ ଥଣ୍ଡା, ଅମ୍ଳଜାନର ଅଭାବ ଏବଂ ଝଡ଼ବତାଶକୁ ପ୍ରତିହତ କରି ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଜାଗଢ଼ିଆ ଗ୍ରାମର ଏହି ଆଦିବାସୀ ଯୁବତୀ ସୋମବାର ସକାଳେ ଏଭରେଷ୍ଟ ଶିଖରରେ ପାଦ ଥାପି ସଫଳତାର ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଏପରି କରିବାରେ କଳ୍ପନା ଦାସ, ଚେତନା ସାହୁଙ୍କ ପରେ ସେ ଓଡ଼ିଶାର ତୃତୀୟ ମହିଳା ହୋଇଛନ୍ତି। ହେଲେ ସ୍ୱର୍ଣ୍ଣଲତା ମାତ୍ର ୨୦ ବର୍ଷ ବୟସରେ ରାଜ୍ୟର ସର୍ବକନିଷ୍ଠ ମହିଳା ଏଭରେଷ୍ଟ ଆରୋହଣକାରୀ ହୋଇଛନ୍ତି। ଏଭରେଷ୍ଟ ଶୀର୍ଷକୁ ଛୁଇଁବାରେ କିନ୍ତୁ ସେ ରାଜ୍ୟର ସପ୍ତମ ପର୍ବତାରୋହୀ ହେବାର ଗୌରବ ଲାଭ କରିଛନ୍ତି।

ତାଙ୍କ ପୂର୍ବରୁ ୬ ଜଣ ଓଡ଼ିଆ କଳ୍ପନା ଦାସ, ଗଣେଶ ଜେନା, ଯୋଗବ୍ୟାସ ଭୋଇ, କ୍ୟାପଟେନ୍‌ ଦେବୀଦତ୍ତ ପଣ୍ଡା, ସ୍ୱର୍ଗତ ପ୍ରଦୀପ ସାହୁ ଏବଂ ତାଙ୍କ ପତ୍ନୀ ଚେତନା ସାହୁ ସଫଳତାର ସହ ଏଭରେଷ୍ଟ ଆରୋହଣ କରି ସାରିଛନ୍ତି। ସ୍ୱର୍ଣ୍ଣଲତାଙ୍କ ସହ ଉତ୍ତରାଖଣ୍ଡର ପୁନମ ଏବଂ ଟାଟା ଷ୍ଟିଲ ଦୁଃସାହସିକ ପ୍ରତିଷ୍ଠାନର କର୍ମଚାରୀ ସନ୍ଦୀପ ତୋଲିୟା ମଧ୍ୟ ସୋମବାର ଏଭରେଷ୍ଟ ବିଜୟୀ ତାଲିକାରେ ନିଜ ନାମକୁ ସାମିଲ କରିଛନ୍ତି। ସ୍ୱର୍ଣ୍ଣଲତା, ପୁନମ ଏବଂ ସନ୍ଦୀପ ଏଥିଲାଗି ବିଭିନ୍ନ ସ୍ଥାନରେ ରହି ଗତ ଏକ ବର୍ଷ ହେବ ପ୍ରସ୍ତୁତି ଚଳାଇଥିଲେ।
ସୂଚନା ଯୋଗ୍ୟ ଯେ ଓଡ଼ିଶାରେ ପର୍ବତାରୋହଣ ଭଳି ଦୁଃସାହସିକ କ୍ରୀଡ଼ାର ପ୍ରଚାର ପ୍ରସାର ଲାଗି ୨୦୧୬ରୁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ’ରେ ସାମିଲ ହୋଇ ସ୍ୱର୍ଣ୍ଣଲତା ଏକମାତ୍ର ପର୍ବତାରୋହୀ ଭାବେ ଏଭରେଷ୍ଟ ଅଭିଯାନରେ ଯିବା ଲାଗି ମନୋନୀତ ହୋଇଥିଲେ। ଏହା ପରେ ଏଭରେଷ୍ଟ ବେସକ୍ୟାମ୍ପ, ମାଉଣ୍ଟ ରୁଦୁଗାରିଆ ଓ ମାଉଣ୍ଟ ଆକନକାଗୁଆ ବେସ୍‌କ୍ୟାମ୍ପ ସହ ହିମାଳୟ ପାର୍ବତ୍ୟାଞ୍ଚଳରେ ଥିବା ବହୁ ଛୋଟ ବଡ଼ ଗିରିଶୃଙ୍ଗକୁ ସଫଳତାର ସହ ଆରୋହଣ କରିବା ପରେ ସ୍ୱର୍ଣ୍ଣଲତା ଏଭରେଷ୍ଟ ଉପରେ ପାଦ ଥାପିବା ଅଭିଯାନରେ ବାହାରିଥିଲେ। ଉତ୍ତରକାଶୀରେ ରହି ଏଥିଲାଗି ମାନସିକ ଏବଂ ଶାରୀରିକ ଭାବେ ପ୍ରସ୍ତୁତ ମଧ୍ୟ କରିଥିଲେ। ପ୍ରଥମ ଏଭରେଷ୍ଟ ବିଜୟୀ ମହିଳା ବଚ୍ଛେନ୍ଦ୍ର ପାଲଙ୍କ ମାର୍ଗଦର୍ଶନରେ ସେ ଏହି ସବୁ ପ୍ରସ୍ତୁତି କରିଥିଲେ। ଶେଷରେ ସୋମବାର ତାଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇଛି। ଏଭରେଷ୍ଟ ମଥାରେ ପାଦ ଥାପି ସ୍ୱର୍ଣ୍ଣଲତା ଗର୍ବର ସହ ତ୍ରିରଙ୍ଗା ଉଡ଼ାଇଛନ୍ତି।
ସ୍ୱର୍ଣ୍ଣଲତା ଏପ୍ରିଲ ୨୭ରେ ଦିଲ୍ଲୀରୁ କାଠମାଣ୍ଡୁ ଯିବା ପରେ ସେଠାରୁ ଜିରି ନାମକ ସ୍ଥାନରୁ ବାହାରି ହିମାଳୟ ବେସ୍‌କ୍ୟାମ୍ପରେ ପହଞ୍ଚିଥିଲେ। ସେଠାରେ ଏକମାସରୁ ଅଧିକ ସମୟ ରହି ହିମାଳୟର କଠିନ ପରିବେଶ ସହ ନିଜ ଖାପ ଖୁଆଇଥିଲେ। ପରେ ଏଭରେଷ୍ଟ ଅଭିଯାନରେ ବାହାରି ୧୫ ଦିନ ପରେ ବିଭିନ୍ନ ଘାତ ପ୍ରତିଘାତକୁ ଦୂର କରି ଏଭରେଷ୍ଟ ବିଜୟୀ ତାଲିକାରେ ନିଜ ନାମକୁ ଲିପିବଦ୍ଧ କରିଥିଲେ। ଏଥିଲାଗି ଟାଟା ଷ୍ଟିଲ୍‌ ଦୁଃସାହସିକ ପ୍ରତିଷ୍ଠାନ ବା ଟିଏସ୍‌ଏଏଫ୍‌ ତାଙ୍କୁ ବୈଷୟିକ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଥିଲା। ସ୍ୱର୍ଣ୍ଣଲତା ହେଉଛନ୍ତି ଜାଗଢ଼ିଆର ନାମକୁମାତ୍ର କୃଷକ ମହେଶ୍ୱର ଦଳେଇ ଏବଂ ପ୍ରମିଳା ଦଳେଇଙ୍କ ତୃତୀୟ ସନ୍ତାନ। ୪ ଭଉଣୀ ଏବଂ ଗୋଟିଏ ଭାଇଙ୍କ ମଧ୍ୟରେ ବଢ଼ିଥିବା ସ୍ୱର୍ଣ୍ଣଲତା ସଂପ୍ରତି ଯାଜପୁରର ଜେନାପୁର ମହାବିଦ୍ୟାଳୟରେ ତୃତୀୟ ବର୍ଷର କଳା ସ୍ନାତକ ଛାତ୍ରୀ। ଏହି ସଫଳତା ଲାଗି ତାଙ୍କୁ ଟାଟା ଷ୍ଟିଲ କର୍ପୋରେଟ୍‌ ସେବାର ଉପ ସଭାପତି ସୁନୀଲ ଭାସ୍କରନ୍‌ ଏବଂ ଟାଟା ଷ୍ଟିଲ ଦୁଃସାହସିକ କାର୍ଯ୍ୟକ୍ରମର ମୁଖ୍ୟ ବଚ୍ଛେନ୍ଦ୍ରୀ ପାଲ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର