ଭୁବନେଶ୍ବର: ଓଡ଼ିଶା ସାଇକ୍ଲିଷ୍ଟ୍ ସ୍ବସ୍ତି ସିଂହ ମିଟ୍ ରେକର୍ଡ ସହ ଚଳିତ ୩୮ତମ ଜାତୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ତାଙ୍କ ସାଥୀ ରେଜିଆ ଦେବୀ କାଂସ୍ୟ ଜିତି ୩୦୦୦ ମିଟର ମହିଳା ବ୍ୟକ୍ତିଗତ ପର୍ସ୍ୟୁଟ୍ (ଟ୍ରକ୍ ସାଇକ୍ଲିଂ)ରେ ରାଜ୍ୟକୁ ଦୁଇଟି ପଦକ ଭେଟି ଦେଇଛନ୍ତି। ଫଳରେ ଉତ୍ତରାଖଣ୍ଡରେ ଚାଲିଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୧୭ (୫ ସ୍ବର୍ଣ୍ଣ, ୩ ରୌପ୍ୟ, ୯ କାଂସ୍ୟ)ରେ ପହଞ୍ଚିଛି। କିଟ୍ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଅନ୍ତର୍ଜାତୀୟ ସାଇକ୍ଲିଷ୍ଟ୍ ସ୍ବସ୍ତି ୪ ମିନିଟ୍ ୩.୨୫୫ ସେକେଣ୍ଡ୍ରେ ରେସ୍ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କ ଦଳୀୟ ସାଥୀ ତଥା କିଟ୍ ଛାତ୍ରୀ ରାଜିଆ ୪ ମିନିଟ୍ ୧୨.୩୭୦ ସେକେଣ୍ଡ୍ରେ ରେସ୍ ଶେଷ କରି ତୃତୀୟ ସ୍ଥାନରେ ରହି ପୋଡିୟମ୍ ଫିନିସ୍ କରିଥିଲେ। ଚଳିତ ଜାତୀୟ ପ୍ରତିଯୋଗିତାରେ ସ୍ବସ୍ତିଙ୍କ ଏହା ଦ୍ବିତୀୟ ପଦକ। ପୂର୍ବରୁ ସେ ୬୦ କିଲୋମିଟର ରୋଡ୍ ମାସ୍ ଷ୍ଟାର୍ଟ ସାଇକ୍ଲିଂରେ କାଂସ୍ୟ ଜିତିଥିଲେ।
ରେଜିଆଙ୍କୁ କାଂସ୍ୟ, ଫାଇନାଲ୍ରେ ମହିଳା ଫୁଟ୍ବଲ୍ ଦଳ, ମହିଳା ସନ୍ତରଣ ଦଳଗତରେ ଦ୍ବିତୀୟ ରନର୍ସ ଅପ୍
ସେହିଭଳି ଓଡ଼ିଶା ମହିଳା ଫୁଟ୍ବଲ୍ ଦଳ ଫାଇନାଲ୍ରେ ପହଞ୍ଚି ରାଜ୍ୟ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଛି। ମଙ୍ଗଳବାର ସେମିଫାଇନାଲ୍ରେ ଓଡ଼ିଶା ୫-୧ ଗୋଲ୍ରେ ଦିଲ୍ଲୀକୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ମାଳତୀ ମୁଣ୍ଡା (୪୫+୩, ୫୯ ମିନିଟ୍) ଦୁଇଟି ଏବଂ ପ୍ୟାରି ଖାଖା (୨୨ ମିନିଟ୍), ସୁମିତ୍ରା ହେମ୍ବ୍ରମ୍ (୬୮ ମିନିଟ୍) ଓ ଜବାମଣି ଟୁଡ଼ୁ (୯୦+୩ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ଦିଲ୍ଲୀର ରେବିକା ଜାମଥିଆନ୍ମାୱି (୫୩ ମିନିଟ୍) ଗୋଟିଏ ଗୋଲ୍ ଶୁଝି ଥିଲେ। ମାଳତୀଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଓଡ଼ିଶା ଫାଇନାଲ୍ରେ ହରିୟାଣାକୁ ଭେଟିବ। ହରିୟାଣା ଅନ୍ୟଏକ ସେମିଫାଇନାଲ୍ରେ ୪-୧ ଗୋଲ୍ରେ ପଶ୍ଚିମବଙ୍ଗକୁ ମାତ୍ ଦେଇଥିଲା। ସେହିପରି ଓଡ଼ିଶା ମହିଳା ବିଚ୍ ଭଲିବଲ୍ ଦଳ କ୍ବାର୍ଟରଫାଇନାଲ୍ ସ୍ଥାନ ନିଶ୍ଚିତ କରିଛି। ଦୁଇ କିଟ୍ ଛାତ୍ରୀ ଶିବାନୀ ପ୍ରିୟଦର୍ଶିନୀ ଓ ଆଶା ମୁଣ୍ଡାରିଙ୍କୁ ନେଇ ଗଠିତ ଓଡ଼ିଶା ଦଳ ୨-୦ ସେଟ୍ରେ କର୍ଣ୍ଣାଟକକୁ ହରାଇଛି। କିଟ୍ର ସବିତା ଟୋପ୍ପୋ ଦଳର ପ୍ରଶିକ୍ଷକ ଅଛନ୍ତି।
ପ୍ରଥମ ଥର ଲାଗି ଓଡ଼ିଶା ମହିଳା ସନ୍ତରଣ ଦଳ ଜାତୀୟ କ୍ରୀଡ଼ାରେ ଦଳଗତ ଭାବେ ଦ୍ବିତୀୟ ରନର୍ସ ଅପ୍ ହେବାର ଗୌରବ ଅର୍ଜନ କରିଛି। ଓଡ଼ିଶା ମହିଳା ଚଳିତ ଜାତୀୟ କ୍ରୀଡ଼ାରେ ଗୋଟିଏ ସ୍ବର୍ଣ୍ଣ, ୪ କାଂସ୍ୟ ସହ ମୋଟ ୫ ପଦକ ପାଇଥିଲେ। ପ୍ରତ୍ୟାଶା ରାୟ, ମନ୍ନତା ମିଶ୍ର, ସୃଷ୍ଟି ଉପାଧ୍ୟାୟ ଓ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନଙ୍କୁ ନେଇ ଗଠିତ ମହିଳା ୪ଗୁଣା ୧୦୦ ମିଟର ମିଡ୍ଲେ ରିଲେ ଦଳ ସ୍ବର୍ଣ୍ଣ ଜିତିଥିଲା। ଏହି ସ୍ବର୍ଣ୍ଣ ସହ ପ୍ରତ୍ୟାଶା ବ୍ୟକ୍ତିଗତ ୨୦୦ ମିଟର ବ୍ୟାକ୍ଷ୍ଟ୍ରୋକ୍, ୧୦୦ ମିଟର ବ୍ୟାକ୍ଷ୍ଟ୍ରୋକ୍ରେ କାଂସ୍ୟ ଜିତି ନିଜ ପଦକ ସଂଖ୍ୟା ୩ରେ ପହଞ୍ଚାଇଥିଲେ। ସେହିପରି ସ୍ବର୍ଣ୍ଣ ବିଜେତା ଦଳରେ ଥିବା ସୃଷ୍ଟି (୧୦୦ ମିଟର ବଟର୍ ଫ୍ଲାଏ) ଓ ଦିବ୍ୟଙ୍କା (୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍) ଗୋଟିଏ ଲେଖାଏଁ କାଂସ୍ୟ ଜିତି ଯୁଗଳ ପଦକ ଅର୍ଜନ କରିଥିଲେ। ଜାତୀୟ କ୍ରୀଡ଼ା ଦୌଡ଼କୁଦ ପ୍ରତିଯୋଗିତା ଲାଗି ଅନ୍ତର୍ଜାତୀୟ ଅଥ୍ଲେଟ୍ ସରସ୍ବତୀ ଚାନ୍ଦଙ୍କୁ ସପୋର୍ଟ ଷ୍ଟାଫ୍ ଭାବେ ଦାୟିତ୍ବ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଖେଳାଳିମାନଙ୍କୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।