ଭୁବନେଶ୍ବର: ପଞ୍ଜାବ ଅମୃତସରର ଅଟାରିଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗ୍ (ନର୍ଥ ଜୋନ)ରେ ଓଡ଼ିଶା ଝିଅ ସ୍ବସ୍ତି ସିଂହ ପୁଣି ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମଙ୍ଗଳବାର ସ୍ବସ୍ତି ମହିଳା ଏଲିଟ୍ର ୨୦ କିଲୋମିଟର୍ ଇଣ୍ଡିଭିଜୁଆଲ୍ ଟାଇମ୍ ଟ୍ରାଏଲ୍ରେ ୩୪:୧୧.୧୯୮ ଟାଇମିଂ ସହ ଶୀର୍ଷରେ ରହିଥିଲେ। ହରିୟାଣାର ମିନାକ୍ଷୀ ଓ ମହାରାଷ୍ଟ୍ର ଯୋଡ଼ି ସଂସ୍କୃତି ସୁଧୀର ଖେସି ଶିୟା ଲାଲୱାନି ଯଥାକ୍ରମେ ଦ୍ବିତୀୟରୁ ଚତୁର୍ଥ ସ୍ଥାନ ଦଖଲ କରିଥିଲେ।
ଗତ ସପ୍ତାହରେ ହରିୟାଣାର ସୋନିପତରେ ଏହି ଲିଗ୍ର ୪୦ କିଲୋମିଟର୍ ମାସ୍ ଷ୍ଟାର୍ଟରେ ମଧ୍ୟ ସ୍ବସ୍ତି ସ୍ବର୍ଣ୍ଣ ପଦକ ଜିତିଥିଲେ। ଏବେ ଖେଲୋ ଇଣ୍ଡିଆ ଇତିହାସରେ ସ୍ବସ୍ତି ୫ ସ୍ବର୍ଣ୍ଣ ଓ ୧୬ତମ ପଦକ ପାଇଛନ୍ତି। ସ୍ବସ୍ତିଙ୍କୁ ପୁରସ୍କାର ବାବଦ ୧୦,୦୦୦ ଟଙ୍କା ମିଳିଛି। ନୂଆଦିଲ୍ଲୀ ‘ସାଇ’ କେନ୍ଦ୍ରରେ ଅଭ୍ୟାସରତ ସ୍ବସ୍ତି ଚଳିତ ବର୍ଷର ଖେଳାଯିବାକୁ ଥିବା ଜାତୀୟ ରୋଡ୍ ସାଇକ୍ଲିଂ ଓ ଅସନ୍ତା ବର୍ଷର ଏସୀୟ ସାଇକ୍ଲିଂ ପ୍ରତିଯୋଗିତା ଉପରେ ନଜର ରଖିଛନ୍ତି। ଚଳିତ ବର୍ଷ ପୁରୀରେ ଜାତୀୟ ପ୍ରତିଯୋଗିତା ସମ୍ଭାବନା ଥିବାରୁ ନିଜ ରାଜ୍ୟରେ ପ୍ରଥମ ଥର ଖେଳିବାର ସୁଯୋଗ ପାଇବି ବୋଲି କହିଛନ୍ତି ଓଏମ୍ସିରେ ସହକାରୀ ମ୍ୟାନେଜର୍ ନିଯୁକ୍ତ ହୋଇଥିବା ସ୍ବସ୍ତି।