ସ୍ୱସ୍ତି ସିଂହ ଓ ପିଟର ତିର୍କି ପାଇବେ ଓସ୍‍ଜା ବାର୍ଷିକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର : ଓଡ଼ିଶା ହକି କିଂବଦନ୍ତି ପିଟର ତିର୍କି ଏବଂ ସଫଳ ସାଇକ୍ଲିଷ୍ଟ ସ୍ୱସ୍ତି ସିଂହ ୨୦୨୩ ବର୍ଷର ଓସ୍‍ଜା (ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ) ବାର୍ଷିକ କ୍ରୀଡା ପୁରସ୍କାର ହାସଲ କରିବେ। ଏକଲବ୍ୟ ପୁରସ୍କାର ବିଜୟିନୀ ସ୍ୱସ୍ତିଙ୍କୁ ୨୦୨୨ ମସିହାର ସଫଳତା ପାଇଁ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ ଏବଂ ପିଟର ତିର୍କିଙ୍କୁ ଜୀବନବ୍ୟାପୀ ସେବା ପାଇଁ ପୁରସ୍କାର ପ୍ରଦାନ କରାଯିବ। ଚଳିତ ମାସ ୨୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ସ୍ଥିତ ଓସିଏ ସମ୍ମିଳନୀ ଗୃହରେ ଓସ୍‌ଜାର ଅଷ୍ଟମ ପ୍ରତିଷ୍ଠା ଦିବସରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ‘ଓସ୍‍ଜା’ ସଭାପତି ସନ୍ଦୀପ ମିଶ୍ର ଓ ସମ୍ପାଦକ ‌ଦେବୀ ପ୍ରସନ୍ନ ମହାନ୍ତି ପ୍ରକାଶ କରିଛନ୍ତି। ଦୁଇ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ପ୍ରଶସ୍ତି ପତ୍ର, ଉତ୍ତରୀୟ ଏବଂ ୨୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇ ସମ୍ମାନୀତ କରାଯିବ।

ସର୍ବଭାରତୀୟ କ୍ରୀଡା ସାମ୍ବାଦିକ ସଂଘ (ଏସଜେଏଫଆଇ)ର ଅନୁବନ୍ଧିତ ସଂସ୍ଥା ଓସ୍‍ଜା ୨୦୧୮ରୁ ବାର୍ଷିକ ପୁରସ୍କାର ପ୍ରଦାନ କରୁଛି। ପ୍ରଥମ ବର୍ଷ ଆଥ୍‌ଲେଟ୍‌ ପୂର୍ଣ୍ଣିମା ହେମ୍ବ୍ରମ ଓ ବିଶିଷ୍ଟ ଫୁଟ୍‌ବଲର୍‌ ଦେବ ସିଂହ, ୨୦୧୯ରେ ହକି ତାରକା ଅମିତ ରୋହିଦାସ ଓ ଦ୍ରୋଣାଚାର୍ଯ୍ୟ ବିଜେତା ପ୍ରଶିକ୍ଷକ ବ୍ରଜଭୂଷଣ ମହାନ୍ତି, ୨୦୨୦ରେ ପାରା ବ୍ୟାଡମିଣ୍ଟନ୍‌ ତାରକା ପ୍ରମୋଦ ଭଗତ ଓ ଦୌଡ଼କୁଦ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ, ୨୦୨୧ରେ ଚେସ୍‌ ଗ୍ରାଣ୍ଡ ମାଷ୍ଟର ସ୍ୱୟମ୍ସ ମିଶ୍ର ଓ ଦୌଡ଼କୁଦ ପ୍ରଶିକ୍ଷକ ଅରୁଣ ଦାସ ଏବଂ ୨୦୨୨ରେ ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରା ଓ କିଂବଦନ୍ତି ବାସ୍କେଟ୍‌ବଲ୍‌ ଖେଳାଳି ତଥା ପ୍ରଶିକ୍ଷକ ଅରୂପାନନ୍ଦ ରାଉତରାୟଙ୍କୁ ଓସ୍‌ଜା ସମ୍ମାନ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର