ସ୍ବସ୍ତି ସିଂହ ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ବର: ଅନ୍ତର୍ଜାତୀୟ ସାଇକ୍ଲିଷ୍ଟ୍‌ ସ୍ବସ୍ତି ସିଂହ ପାଇବେ ୨୦୨୨ ମସିହାର ସମ୍ମାନଜନକ ଏକଲବ୍ୟ ପୁରସ୍କାର। ବିଗତ ଦୁଇ ବର୍ଷ ଭିତରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାରୁ ସ୍ବସ୍ତି ସିଂହଙ୍କୁ ରବିବାର ୩୦ତମ ଏକଲବ୍ୟ ପୁରସ୍କାର ବିଚାରକମଣ୍ଡଳି ଚୟନ କରିଛନ୍ତି। ସ୍ବସ୍ତିଙ୍କୁ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ। ସେହିଭଳି ଦୁଇ ଉଦୀୟମାନ ପ୍ରତିଭା ଅନ୍ତର୍ଜାତୀୟ ଫୁଟ୍‌ବଲର୍‌ ପ୍ୟାରି ଖାଖା ଓ ଅନ୍ତର୍ଜାତୀୟ ହକି ଖେଳାଳି ଶିଳାନନ୍ଦ ଲାକ୍ରାଙ୍କୁ ଉପ ବିଜେତା ସମ୍ମାନ ସହିତ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ ‘ଇମ୍ଫା’ ପରିଚାଳିତ ଇମ୍ପାକ୍ଟ ଦ୍ବାରା ୧୯୯୩ ମସିହାରୁ ଏହା ପ୍ରଦାନ କରାଯାଇ ଆସୁଛି। ୨୫ ବର୍ଷରୁ କମ୍‌ ଯୁବ ଖେଳାଳିଙ୍କ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ବିଜେତାମାନେ ପରବର୍ତୀ ସମୟରେ ଭାରତୀୟ ବରିଷ୍ଠ ଦଳରୁ ଖେଳିବା ଏବଂ ସଫଳତାର ଶିଖର ଛୁଇଁବାର ଅନେକ ଉଦାହରଣ ରହିଛି। ରବିବାର ବିଜେତାଙ୍କ ନାମ ଘୋଷଣା ଅବସରରେ ଇମ୍ପାକ୍ଟର ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର ସମିତି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ‘ଏହି ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୀୟମାନ ଖେଳାଳିଙ୍କୁ‌ ପ୍ରୋତ୍ସାହନ ଯୋଗାଇବା ଆମର ମୂଳ ଲକ୍ଷ୍ୟ। ଯାହାଫଳରେ ସେମାନେ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରି ରାଜ୍ୟ ଓ ଦେଶର ଗୌରବ ଅର୍ଜନ କରିପାର‌ିବେ’।

ସମ୍ବନ୍ଧିତ ଖବର