ଗୁଆହାଟୀରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ସାଇକେଲ ଚାଳନାରେ ଓଡ଼ିଶାର ସ୍ୱସ୍ତି ସିଂହଙ୍କୁ ଦ୍ୱିତୀୟ ସ୍ୱର୍ଣ୍ଣ

ଭୁବନେଶ୍ବର : ଗୁଆହାଟୀରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ସାଇକେଲ ଚାଳନାରେ ଓଡ଼ିଶାର ସ୍ବସ୍ତି ସିଂହଙ୍କ ପଦକ ଅମଳ ଜାରି ରହିଛି। ୨୧ ବର୍ଷରୁ କମ୍‌ ବାଳିକା ବର୍ଗର ମାସ୍ ଷ୍ଟାର୍ଟ ୬୦ କିଲୋମିଟର ରୌପ୍ୟ ପଦଜ ଜିତି ଅଭିଯାନ ଆରମ୍ଭ କରିଥିବା ଏହି ରାଉରକେଲା ଝିଅ ୭୫୦୦ ମିଟର ସ୍କ୍ରାଚ୍ ରେସ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ବୁଧବାର ୩,୦୦୦ ମିଟର ବ୍ୟକ୍ତିଗତ ପର୍ସୁଟରେ ସେ ପୁଣି ଥରେ ସ୍ବର୍ଣ୍ଣିମ ସଫଳତା ଦୋହରାଇଛନ୍ତି। ଏହି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ତିନି ଦିନରେ ତିନିଟି ପଦକ ଜିତି ନେଇଛନ୍ତି ସ୍ବସ୍ତି। ବୁଧବାର ଅପରାହ୍ନରେ ହୋଇଥିବା ୩,୦୦୦ ମିଟର ବ୍ୟକ୍ତିଗତ ପର୍ସୁଟ ଫାଇନାଲ୍‌ରେ ସ୍ବସ୍ତି ୪ ମିନିଟ୍‌ ୨୦.୨୩୭ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ। ରାଜସ୍ଥାନର ମୋନିକା ଜାଟ୍ (୪:୨୫.୩୩୫) ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ଏବଂ କର୍ଣ୍ଣାଟକର କୀର୍ତ୍ତି ରଙ୍ଗସ୍ବାମୀ (୪: ୨୬.୮୪୯) ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ହାସଲ କରିଥିଲେ। ସ୍ବସ୍ତିଙ୍କ ବ୍ୟକ୍ତିଗତ ଦ୍ବିତୀୟ ସ୍ବର୍ଣ୍ଣ ସହ ସାଇକେଲ ଚାଳନାରୁ ଓଡ଼ିଶାର ମୋଟ ପଦକ ସଂଖ୍ୟା‌ ୪କୁ ବଢ଼ିଛି। ସ୍ବସ୍ତି ସେଥିମଧ୍ୟରୁ ଏକା ତିନିଟି ପଦକ ଜିତିଥିଲା ବେଳେ ଦୀନେଶ କୁମାର ଗୋଟିଏ ସ୍ବର୍ଣ୍ଣ ହାସଲ କରିଛନ୍ତି। ରାଉରକେଲା ପୁଅ ଦୀନେଶ ୩୦ କିଲୋମିଟର ବ୍ୟକ୍ତିଗତ ଟାଇମ୍ ଟ୍ରାଏଲ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଉଭୟ ସ୍ବସ୍ତି ଏବଂ ଦୀନେଶ ସୁଶୀଲ ଦାସଙ୍କ ପ୍ରଶିକ୍ଷଣରେ ଏହି ସଫଳତା ଅର୍ଜନ କରିଛନ୍ତି। ଏହି ଦୁଇ ଜଣଙ୍କ ସଫଳତାରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ମଧ୍ୟ ପ୍ରଚ୍ଛନ୍ନ ହାତ ରହିଛି।

ସମ୍ବନ୍ଧିତ ଖବର