ସାରବ୍ରୁକେନ (ଜର୍ମାନି) : ପ୍ରମୁଖ ଭାରତୀୟ ପୁରୁଷ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡୀ ଓ ଚିରାଗ ସେଟ୍ଟୀ ହାଏଲୋ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ପୁରୁଷ ଯୁଗଳ କ୍ବାର୍ଟର ଫାଇନାଲ୍‌ରେ ହାରି ବିଦାୟ ନେଇଛନ୍ତି। ଏହି ଯୋଡ଼ି ସିଧାସଳଖ ୧୭-୨୧ ଓ ୧୪-୨୧ରେ ସପ୍ତମ ମାନ୍ୟତାପ୍ରାପ୍ତ ଇଂଲିସ୍‌ ଯୋଡ଼ି ବେନ୍‌ ଲାନେ ଓ ସିନ୍‌ ଭେଣ୍ଡିଙ୍କ ନିକଟରୁ ପରାସ୍ତ ହୋଇଥିଲେ। ସେହିପରି ମହିଳା ଏକକରେ ମାଲ୍‌ବିକା ବନ୍‌ସୁଦ୍‌ ମଧ୍ୟ ପରାଜୟ ବରଣ କରିଥିଲେ। ସେ ବିଶ୍ବ ମାନ୍ୟତାର ୨୧ ଇଣ୍ଡୋନେସିଆର ଗ୍ରିଗୋରିଆ ମରିସ୍କାଙ୍କଠାରୁ ହାରି ଯାଇଥିଲେ।

Advertisment

ହେଲେ ବିଶ୍ବ ମାନ୍ୟତାର ଏକାଦଶ ଭାରତୀୟ ତାରକା କିଦାମ୍ବି ଶ୍ରୀକାନ୍ତ ପୁରୁଷ ଏକକରେ ଏବଂ ତ୍ରିସା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଯୋଡ଼ି ମହିଳା ଯୁଗଳରେ ବିଜୟ ହାସଲ କରି ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଛନ୍ତି। ଶ୍ରୀକାନ୍ତ ୨୧-୧୩ ଓ ୨୧-୧୯ରେ ଇଣ୍ଡୋନେସିଆର ଜୋନାଥନ୍‌ କ୍ରିଷ୍ଟିଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲ୍‌ରେ ତାଙ୍କର ମୁକାବିଲା ବିଶ୍ବ ମାନ୍ୟତାର ଷଷ୍ଠ ଆନ୍ଥୋନୀ ସିନିସୁକା ଗିଣ୍ଟିଂଙ୍କ ସହ ହେବ। ଅନପକ୍ଷରେ ତ୍ରିସା-ଗାୟତ୍ରୀ ଚାଇନିଜ୍‌ ତାଇପେ ଯୋଡ଼ି ସୁ ୟା ଚିଙ୍ଗ୍‌ ଓ ଲିନ୍‌ ସ୍ବାନ୍‌ ଚିଙ୍ଗ୍‌ଙ୍କୁ ୨୧-୧୭, ୧୮-୨୧ ଓ ୨୧-୮ରେ ପରାସ୍ତ କରିଛନ୍ତି। ସେମିଫାଇନାଲ୍‌ରେ ତାଙ୍କର ମୁକାବିଲା ଅଷ୍ଟମ ମାନ୍ୟତା ଥାଇଲାଣ୍ଡ ଯୋଡ଼ି ବେନ୍ୟାପା ଏମ୍‌ସାର୍ଦ ଓ ନୁନ୍ତାକର୍ନ ଏମ୍‌ସାର୍ଦଙ୍କ ସହ ହେବ।