ସ୍ବସ୍ତିଙ୍କ ସ୍ବର୍ଣ୍ଣିମ ସଫଳତା: ରୁପା ପରେ ଜିତିଲେ ସୁନା

ଭୁବନେଶ୍ବର: ଗୁଆହାଟୀରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ସାଇକେଲ ଚାଳନାରେ ଓଡ଼ିଶାକୁ ମଙ୍ଗଳବାର ଆଉ ଏକ ସ୍ବର୍ଣ୍ଣିମ ସଫଳତା ମିଳିଛି। ଦୀନେଶ କୁମାରଙ୍କ ପରେ ସ୍ବସ୍ତି ସିଂହ ଏହି ଖେଳରୁ ରାଜ୍ୟ ପାଇଁ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସୋମବାର ୨୧ ବର୍ଷରୁ କମ୍‌ ବାଳିକାର ମାସ୍ ଷ୍ଟାର୍ଟ ୬୦ କିଲୋମିଟର ସାଇକେଲ ଚାଳନାରେ ସ୍ବସ୍ତି (୨ ଘଣ୍ଟା ୧୧:୫୨.୨୧ ସେକେଣ୍ଡ) ରୌପ୍ୟ ପଦକ ଜିତିଥିଲେ। ମଙ୍ଗଳବାର ନିଜ ବୟସବର୍ଗର ସ୍କ୍ରାଚ୍ ରେସ୍‌ରେ ପ୍ରଥମ ସ୍ଥାନ ଅଧିକାର କରି ବ୍ୟକ୍ତିଗତ ଭାବେ ଦ୍ବିତୀୟ ପଦକ ଏବଂ ପ୍ରଥମ ସ୍ବର୍ଣ୍ଣ ଜିତି ନେଇଛନ୍ତି। ଏହି ବର୍ଗରେ ପ୍ରତିଯୋଗୀମାନେ ଗୋଟିଏ ଥରରେ ୭.୫ କିଲୋମିଟର ଦୂରତାକୁ ଅତିକ୍ରମ କରିଥାଆନ୍ତି। ସ୍ବସ୍ତି ୧୪ ମିନିଟ୍ ୫୩.୨୩୨ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ କର୍ଣ୍ଣାଟକର କୀର୍ତ୍ତି ରଙ୍ଗାସ୍ବାମୀ ସି ତାଙ୍କଠାରୁ ୦.୨୪୬ ସେକେଣ୍ଡ କମ୍ ସମୟ ନେଇ ରୌପ୍ୟ ଏବଂ ଆସାମର ଛାୟାନିକା ଗୋଗୋଇ ୦.୪୫୨ ସେକେଣ୍ଡ ସମୟ ଅଧିକ ନେଇ କାଂସ୍ୟ ପଦକ ଜିତିଥିଲେ। ରାଉରକେଲା ଝିଅ ସ୍ବସ୍ତି ଏହା ପୂର୍ବରୁ ଜାତୀୟସ୍ତରରେ ଏକାଧିକ ପଦକ ଜିତିବା ସହ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ନିଜକୁ ଜଣେ ସଫଳ ସାଇକ୍ଲିଷ୍ଟ ଭାବେ ପ୍ରତିଷ୍ଠିତ କରିସାରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏସିଆନ୍ କପ୍ ଟ୍ରାକ୍ ସାଇକ୍ଲିଂରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେପଟେ ରାଉରକେଲାର ଅନ୍ୟତମ ସୁଯୋଗ୍ୟ ସନ୍ତାନ ଦୀନେଶ ୩୦ କିଲୋମିଟର ବ୍ୟକ୍ତିଗତ ରୋଡ୍ ଟାଇମ୍ ଟ୍ରାଏଲ୍ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ନିଜର ଏହି ସଫଳତା ଲାଗି ସ୍ବସ୍ତି ପ୍ରଶିକ୍ଷକ ସୁଶୀଲ ଦାସ ଏବଂ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍‌କୁ ଧନ୍ୟବାଦ ଦେଇଛନ୍ତି।

ଧନମତୀଙ୍କୁ କାଂସ୍ୟ
ଖେଲୋ ଇଣ୍ଡିଆ ଯୁବକ୍ରୀଡ଼ାରେ ଓଡ଼ିଶାକୁ ମଙ୍ଗଳବାର ମହିଳା ଜାଭେଲିନରୁ ମଧ୍ୟ ଗୋଟିଏ ପଦକ ମିଳିଛି। ୧୭ ବର୍ଷରୁ କମ୍ ବର୍ଗରେ ଧନମତୀ ଖେସ୍ କାଂସ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟର ସ୍ବର୍ଣ୍ଣ ପଦକ ଉତ୍ତରପ୍ରଦେଶର ପ୍ରତୀକ୍ଷା ପଟେଲ ଏବଂ ରୌପ୍ୟ ପଦକ ହରିଆଣାର ଦୀପିକା ଜିତିଥିଲେ। ତେବେ ଅନ୍ୟ ଓଡ଼ିଆ ଖେଳାଳିମାନେ ପଦକ ଜିତିବାକୁ ସକ୍ଷମ ହୋଇ ନଥିଲେ। ମନୀଷା ମେରେଲ (୫.୬୩ ମିଟର) ଲମ୍ବ ଡିଆଁରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଗୋଇଠି ମୋଡ଼ି ହୋଇ ଯାଇଥିବାରୁ ସେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରିନଥିଲେ। କାଜଲ ସୋମା ମାଝି (୫.୨୧ ମିଟର) ସପ୍ତମ ସ୍ଥାନରେ ନିଜ ଅଭିଯାନ ଶେଷ କରିଥିଲେ। ୨୧ ବର୍ଷରୁ କମ୍ ୧୦୦ ମିଟରରେ ମଧୁସ୍ମିତା ଦେବ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ୨୧ ବର୍ଷରୁ କମ୍ ବର୍ଗର ମହିଳା ୨୦୦ ମିଟର ଦୌଡ଼ରେ ମଧୁସ୍ମିତା (୨୫.୨୫ ସେକେଣ୍ଡ) ଚତୁର୍ଥ ଏବଂ ଦୀପାଳି ମହାପାତ୍ର (୨୫.୮୩ ସେକେଣ୍ଡ) ପଞ୍ଚମ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର