ଭୁବନେଶ୍ବର: ପଞ୍ଜାବ ଅମୃତସରର ଅଟାରିଠାରେ ବୁଧବାର ଶେଷ ହୋଇଥିବା ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗ୍ (ନର୍ଥ ଜୋନ)ରେ ଓଡ଼ିଶା ଝିଅ ସ୍ବସ୍ତି ସିଂହ ପୁଣି ଏକ ପଦକ ଜିତିବା ସହ ଏହି ପ୍ରତିଯୋଗିତାରେ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଏଥି ସହିତ ସ୍ବସ୍ତି ନିଜ ଖେଳ ଜୀବନର ପଦକ ସଂଖ୍ୟାକୁ ୫୦ରେ ପହଞ୍ଚାଇ ବିରଳ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ମଧ୍ୟରେ ୬ ଅନ୍ତର୍ଜାତୀୟ ପଦକ ଥିବାବେଳେ ଅନ୍ୟ ୪୪ଟି ପଦକ ସେ ଜାତୀୟ, ଜାତୀୟ କ୍ରୀଡ଼ା, ଖେଲୋ ଇଣ୍ଡିଆ ଓ ସର୍ବଭାରତୀୟ ପ୍ରତିଯୋଗିତାଗୁଡ଼ିକରୁ ଅର୍ଜନ କରିଛନ୍ତି। ଖେଲୋ ଇଣ୍ଡିଆରେ ସ୍ବସ୍ତି ସୋନିପତରେ ୪୦ କିଲୋମିଟର୍ ମାସ୍ ଷ୍ଟାର୍ଟରେ ସ୍ବର୍ଣ୍ଣ ଜିତିବା ପରେ ଅଟାରିରେ ମଙ୍ଗଳବାର ୨୦ କିଲୋମିଟର୍ ଇଣ୍ଡିଭିଜୁଆଲ୍ ଟାଇମ୍ ଟ୍ରାଏଲ୍ରେ ୩୪:୧୧.୧୯୮ ଟାଇମିଂ ସହ ଶୀର୍ଷରେ ରହିଥିଲେ। ବୁଧବାର ସେ ଏହି ରୋଡ୍ ଇଭେଣ୍ଟର ମାସ୍ ଷ୍ଟାର୍ଟରେ ରୌପ୍ୟ ପଦକ ଜିତିଛନ୍ତି।
ବୁଧବାର ସ୍ବସ୍ତି ୧ ଘଣ୍ଟା ୧୪ ମିନିଟ୍ ୩୯.୨୭୦ ସେକେଣ୍ଡ୍ ସମୟ ନେଇ ଦ୍ବିତୀୟରେ ରହିଥିଲେ। ଫଟୋ ଫିନିସ୍ରେ ସ୍ବର୍ଣ୍ଣ-ରୌପ୍ୟ ନିର୍ଣ୍ଣୟ ହୋଇଥିଲା। ‘ମାସ୍ ଷ୍ଟାର୍ଟ ପ୍ରତିଯୋଗିତା ସବୁବେଳେ ବିପଦପୂର୍ଣ୍ଣ ରହିଥାଏ। ମୁଁ ଅଧିକ କିଛି ରିକ୍ସ କିମ୍ବା ଅତିରିକ୍ତ ପ୍ରୟାସ କରିଥିଲେ ସ୍ବର୍ଣ୍ଣ ଜିତିପାରିଥାନ୍ତି। ଏହା ଏକ ଜୋନାଲ୍ ଇଭେଣ୍ଟ୍ ହୋଇଥିବାରୁ ଦୁର୍ଘଟଣାକୁ ଏଡ଼ାଇବାକୁ ମୁଁ ଏଭଳି କରିନାହିଁ। ସୁରକ୍ଷିତ ଖେଳି ରୌପ୍ୟ ପଦକ ଜିତିଥିବାରୁ ମୁଁ ଖୁସି’ ବୋଲି ରାଉରକେଲା ଝିଅ ସ୍ବସ୍ତି ପ୍ରକାଶ କରିଛନ୍ତି। ୨୦୧୫ରେ ସାଇକ୍ଲିଂକୁ କ୍ୟାରିୟର୍ କରିଥିବା ସ୍ବସ୍ତି ଖେଳ ଜୀବନରେ ମୋଟ ୨୦୦ ପଦକ ଜିତିବାକୁ ଆଶା ରଖିଛନ୍ତି। ମୋତେ ସମର୍ଥନ କରୁଥିବା ପ୍ରତି ବ୍ୟକ୍ତି, ଅନୁଷ୍ଠାନ ଓ ସରକାରଙ୍କୁ କୃତଜ୍ଞତା ଜଣାଉଛି। ସ୍ବସ୍ତି ଏବେ ପଟିଆଲାର ସାଇ ନ୍ୟାସନାଲ୍ ସେଣ୍ଟର୍ ଅଫ୍ ଏକ୍ସଲେନ୍ସରେ ତାଲିମ ନେଉଥିବାବେଳେ ସେପ୍ଟେମ୍ବର ୬ ଓ ୭ ତାରିଖରେ ଅମୃତସରଠାରେ ଖେଲୋ ଇଣ୍ଡିଆର ମହିଳା ସାଇକ୍ଲିଂ ଲିଗ୍ର ଟ୍ରାକ୍ ଇଭେଣ୍ଟ୍ (ନର୍ଥ ଜୋନ୍)ରେ ଅଂଶଗ୍ରହଣ କରିବେ।