ନୂଆଦିଲ୍ଲୀରେ ଆୟୋଜିତ ଟ୍ରାକ୍ ଏସିଆ କପ୍ ସାଇକ୍ଲିଂ ପ୍ରତିଯୋଗିତାରେ ଏସୀୟ କାଂସ୍ୟ ଜିତି ନୂଆ ଜାତୀୟ କୀର୍ତ୍ତିମାନ କଲେ ସ୍ବସ୍ତି ସିଂହ

ଭୁବନେଶ୍ବର : ନୂଆଦିଲ୍ଲୀରେ ଆୟୋଜିତ ଟ୍ରାକ୍ ଏସିଆ କପ୍ ସାଇକ୍ଲିଂ ପ୍ରତିଯୋଗିତାରେ ରାଉରକେଲା ଜନ୍ମିତ ସ୍ବସ୍ତି ସିଂହ କାଂସ୍ୟ ପଦକ ଜିତିବା ସହ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୨ କିଲୋମିଟର ବ୍ୟକ୍ତିଗତ ପର୍ସ୍ବିଟରେ ସେ ଏହି ସଫଳତା ପାଇଛନ୍ତି। ଏହି ବର୍ଗର ସ୍ବର୍ଣ୍ଣ ପଦକ କାଜାକସ୍ତାନର କ୍ରିଷ୍ଟିନା ତିତୋଭସକାୟା (୨:୨୮.୩୩୬ ମିନିଟ୍) ଓ ଉଜବେକିସ୍ତାନର ୟାନିନା କୁଶକୋଭା (୨:୩୪.୨୧୬) ରୌପ୍ୟ ପଦକ ପାଇଥିଲେ।

ସାଇକ୍ଲିଂ ପ୍ରଶିକ୍ଷକ ତଥା ଓଡ଼ିଶା ସାଇକ୍ଲିଂ ସଂଘର ଉପସଭାପତି ସୁଶୀଲ ଦାସଙ୍କ ପ୍ରଶିକ୍ଷଣରେ ପୂର୍ବରୁ ମଧ୍ୟ ସ୍ବସ୍ତି ଏକାଧିକ ଅନ୍ତର୍ଜାତୀୟ ପଦକ ଜିତି ସାରିଛନ୍ତି। ଏସିଆ କପ୍ ସାଇକ୍ଲିଂରେ ସେ ନିଜ କୀର୍ତ୍ତିମାନକୁ ହିଁ ଭାଙ୍ଗିଛନ୍ତି। ଜୟପୁରରେ ଅନୁଷ୍ଠିତ ଜାତୀୟ କନିଷ୍ଠ ସାଇକ୍ଲିଂରେ ସ୍ବସ୍ତି ୨.୩୭ ମିନିଟ୍ ସମୟ ନେଇଥିଲା ବେଳେ ଏବେ ଏହାକୁ ୨ ମିନିଟ୍ ୩୫. ୧୬୧ ସେକେଣ୍ଡରେ ଶେଷ କରି ନିଜ କୀର୍ତ୍ତିମାନକୁ ନିଜେ ଟପିଛନ୍ତି। ବଲିଉଡ୍ ଅଭିନେତ୍ରୀ ଦିଶା ପଟ୍ଟାନୀଙ୍କ ଉପସ୍ଥିତିରେ ପଦକ ଗ୍ରହଣ କରିବା ତାଙ୍କ ଖୁସିକୁ ଦ୍ବିଗୁଣିତ କରିଥିଲା। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତା ଚଳିତମାସ ୯ରୁ ୧୧ ପର୍ଯ୍ୟନ୍ତ ତିନି ଦିନ ଧରି ଆୟୋଜିତ ହୋଇଥିଲା।

ସ୍ବସ୍ତିଙ୍କ ପରିବାର ଦୁଇ ପିଢ଼ି ହେବ ରାଉରକେଲାରେ ରହି ଆସୁଛନ୍ତି। ଓଡ଼ିଶା ସହ ତାଙ୍କର ନିବିଡ଼ ସଂପର୍କ ରହିଛି। ସେ ରାଉରକେଲାର ପାଣି ପବନରେ ବଢ଼ିଛନ୍ତି। ସେହିଠାରେ ମଧ୍ୟ ତାଙ୍କ ସାଇକ୍ଲିଂ ଦକ୍ଷତାର ବିକାଶ ହୋଇଛି। ସ୍ବସ୍ତିଙ୍କ ପିତା ଅମର ସିଂହ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ (ଆର୍‌ଏସ୍‌ପି)ରେ ଚାକିରି କରୁଛନ୍ତି। ତାଙ୍କ ଜେଜେ ବାପା ମଧ୍ୟ ଆରଏସପିରେ କାର୍ଯ୍ୟ କରିବା ସହ ରାଉରକେଲାରେ ରହୁଥିଲେ। ସ୍ବସ୍ତିଙ୍କ ବଡ଼ ଭାଇ ମଧ୍ୟ ଜଣେ ସାଇକ୍ଲିଷ୍ଟ।

୨୦୧୫ ମସିହାରେ ସାଇକ୍ଲିଂ ଟ୍ରାକ୍‌ରେ ଆନୁଷ୍ଠାନିକ ଭାବେ ପାଦ ଥାପିଥିବା ସ୍ବସ୍ତି ମାତ୍ର ୪ ବର୍ଷ ଭିତରେ ଏସୀୟସ୍ତରୀୟ ପ୍ରତିଯୋଗିତାରେ ପଦକ ଜିତି ଭାରତୀୟ ସାଇକ୍ଲିଂର ନୂଆ ସମ୍ଭାବନା ଭାବେ ଉଭା ହୋଇଛନ୍ତି। ୨୦୧୫ରେ ଟାଙ୍ଗୀର ଡ୍ରିମ୍ସ କଲେଜରେ ଆୟୋଜିତ ଚୟନ ଶିବିରରେ ସମସ୍ତଙ୍କୁ ପଛରେ ପକାଇ ରାଜ୍ୟ ମିଟ୍ ପାଇଁ ମନୋନୀତ ହୋଇଥିବା ସ୍ବସ୍ତି ପ୍ରଶିକ୍ଷକ ଶ୍ରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗୋଟିଏ ପରେ ଗୋଟିଏ ସଫଳତା ପାହାଚ ଚଢ଼ି ଚାଲିଛନ୍ତି। ଏହି କ୍ଷେତ୍ରରେ ଆରଏସପି ମଧ୍ୟ ତାଙ୍କୁ ସମସ୍ତ ସହାୟତା ପ୍ରଦାନ କରି ଆସୁଛି। ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ସ୍ବସ୍ତିଙ୍କ ଖେଳ ଜୀବନ ଆଗକୁ ବଢ଼ିବାରେ ମା’ ଉମା ଦେବୀଙ୍କର ମଧ୍ୟ ପ୍ରଚ୍ଛନ୍ନ ହାତ ରହିଛି।

ସମ୍ବନ୍ଧିତ ଖବର