ଦକ୍ଷିଣ ଏସୀୟ କ୍ରୀଡ଼ାରେ ସ୍ବାତୀଙ୍କୁ ରୌପ୍ୟ

ଭୁବନେଶ୍ବର: ନେପାଳରେ ଆୟୋଜିତ ହେଉଥିବା ଦକ୍ଷିଣ ଏସୀୟ କ୍ରୀଡ଼ା ବା ସାଗ୍ କ୍ରୀଡ଼ାରେ ରାଉରକେଲା ଝିଅ ସ୍ବାତୀ ସିଂହ ରୌପ୍ୟ ପଦକ ଜିତିଛନ୍ତି। ମହିଳା ସାଇକ୍ଲିଂର ୧୨୦ କିଲୋମିଟର ମାସ୍ ଷ୍ଟାର୍ଟ ଇଭେଣ୍ଟରେ ସେ ଏହି ସଫଳତା ଲାଭ କରିଛନ୍ତି। ତାଙ୍କ ପୂର୍ବରୁ ଓଡ଼ିଶାରୁ ବନ୍ଧୁକ ଚାଳନାରେ ଶ୍ରୀୟଙ୍କା ଷଡ଼ଙ୍ଗୀ ରୌପ୍ୟ, ଭାରୋତ୍ତୋଳନରେ ଝିଲ୍ଲି ଦଳବେହେରା ଓ ସ୍ନେହା ସୋରେନ ସ୍ବର୍ଣ୍ଣ, ଦୌଡ଼କୁଦରେ ଅମିୟ ମଲ୍ଲିକ ରୌପ୍ୟ ପଦକ ଜିତି ସାରିଛନ୍ତି। ଦଳଗତ ଭାବେ ଭାରତ ଏହି ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପଦକ ତାଲିକାର ଶୀର୍ଷ ସ୍ଥାନରେ ନିଜ ସ୍ଥିତି ଆହୁରି ସୁଦୃଢ଼ କରି ନେଇଛି। ସୂଚନାଯୋଗ୍ୟ ଯେ ସ୍ବାତୀ ପୂର୍ବରୁ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରି ଏକ ଡଜନେରୁ ଅଧିକ ଅନ୍ତର୍ଜାତୀୟ ପଦକ ଜିତି ସାରିଲେଣି। ଚଳିତବର୍ଷ ବିକାନେରରେ ଅନୁଷ୍ଠିତ ଜାତୀୟ ରୋଡ୍ ସାଇକ୍ଲିଂ ପ୍ରତିଯୋଗିତାରେ ମଧ୍ୟ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସ୍ବାତୀ ରାଜ୍ୟ ସାଇକ୍ଲିଂ ସଂଘର ଉପ ସଭାପତି ତଥା‌ ସାଇକ୍ଲିଂ ପ୍ରଶିକ୍ଷକ ସୁଶୀଲ ଦାସଙ୍କ ପ୍ରଶିକ୍ଷଣରେ ଏହି ସଫଳତା ପାଇଛନ୍ତି। ଏଥିଲାଗି ତାଙ୍କୁ ରାଉରକେଲା ଇସ୍ପାତ କାରଖାନା ତରଫରୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର