ଆଡିଲେଡ୍‌: ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ୍‌ ଶନିବାରଠୁ ବ୍ରିସ୍‌ବେନ୍‌ରେ ଆରମ୍ଭ ହେବ। କିନ୍ତୁ ଭାରତୀୟ ଦଳ ଏବେବି ଆଡିଲେଡ୍‌ରେ ସମୟ ବିତାଉଛନ୍ତି। କାରଣ ପିଙ୍କ୍‌ ବଲ୍‌ ଟେଷ୍ଟ୍‌ ମାତ୍ର ୩ ଦିନରେ ଶେଷ ହୋଇଯାଇଥିବାରୁ ଭାରତୀୟ ଖେଳାଳିମାନେ ବଳକା ସମୟଗୁଡ଼ିକରେ ଅଭ୍ୟାସ ଉପରେ ଧ୍ୟାନ ଦେଇଛନ୍ତି। ବିଶେଷକରି ପୂର୍ବରୁ ବୁଧବାର ଭାରତୀୟ ଖେଳାଳିମାନେ ବ୍ରିସ୍‌ବେନ୍‌ ଯିବା ପାଇଁ ସ୍ଥିର ହୋଇଛି। ତେଣୁ ଏହା ପୂର୍ବରୁ ‌ସମସ୍ତଙ୍କ ପାଖରେ ସମୟ ଥିବାରୁ ସେମାନେ ଦକ୍ଷିଣ ଅଷ୍ଟ୍ରେଲୀୟ ସହରରେ ବୁଲାବୁଲି କରିବା ସହ ନେଟ୍ସକୁ ନିୟମିତ କରିଛନ୍ତି। 

Advertisment

ବକ୍ସିଂ ଡେ’ ଟେଷ୍ଟ୍‌ର ପ୍ରଥମ ଦିନ ଟିକଟ୍‌ ଶେଷ
ମେଲ୍‌ବର୍ଣ୍ଣ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ୍‌ର ପ୍ରଥମ ଦିନର ସମସ୍ତ ଟିକେଟ୍‌ ବିକ୍ରି ହୋଇଯାଇଛି ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ମଙ୍ଗଳବାର ଘୋଷଣା କରିଛି। ଅଷ୍ଟ୍ରେଲିଆ କ୍ରିକେଟ୍‌ ଗ୍ରୀଷ୍ମରେ ଅଣ-ଆସେସ୍‌ ବକ୍ସିଂ ଡେ’ ଟେଷ୍ଟ୍‌ର ଉଦ୍‌ଘାଟନୀ ଦିବସରେ ୯୦,୦୦୦ ଆସନ ବିଶିଷ୍ଟ ଷ୍ଟାଡିୟମ୍‌ ପୂରଣ ହେବା ପ୍ରଥମ ଘଟଣା ହୋଇଛି। ଏହି ଦୁଇ ଦଳ ମଧ୍ୟରେ ସଂପ୍ରତି ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଟିକେଟ୍‌ ଚାହିଦା ଢେର ରହିଛି। ଆଡିଲେଡ୍‌ରେ ଖେଳାଯାଇଥିବା‌ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ଦିନ ରେକର୍ଡ ୩୬,୦୦୦ ଦର୍ଶକ ଉପସ୍ଥିତ ଥିଲେ।  ଯାହା ଏହି ଭେନ୍ୟୁରେ ୧୨ ବର୍ଷର ରେକର୍ଡ ଭାଙ୍ଗିଥିଲା। ଅପ୍‌ଟସ୍‌ ଷ୍ଟାଡିୟମ୍‌ରେ ମଧ୍ୟ ପ୍ରଥମ ଦୁଇ ଦିନ ‌ରେକର୍ଡ ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା। ପ୍ରଥମ ଦିନରେ ୩୧୩୦୨ ଓ ଦ୍ବିତୀୟ ଦିନରେ ୩୨୩୬୮ ଜଣ ଦର୍ଶକ ଥିଲେ। ଚାରି ଦିନରେ ମୋଟ ୯୬, ୪୬୩ ଜଣ ଦର୍ଶକ ଷ୍ଟାଡିୟମ୍‌କୁ ଆସି‌ଥିଲେ। ପର୍ଥରେ ମୋଟ ଦର୍ଶକରେ ଏହା ଦ୍ବିତୀୟ ସର୍ବୋଚ୍ଚ। ଏହି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ସଂପ୍ରତି ୧-୧ ସ୍ଥିତିରେ ରହିଛି। ତୃତୀୟ ଟେଷ୍ଟ୍‌ ୧୪ରୁ ବ୍ରିସ୍‌ବେନ୍‌ରେ ଖେଳାଯିବ।

ମଙ୍ଗଳବାର ଭାରତୀୟ ବ୍ୟାଟିଂକ୍ରମର ସମସ୍ତ ଖେଳାଳି ଆଡିଲେଡ୍‌ ଓଭାଲ୍‌ଠାରେ ଝାଳବୁହା ଅଭ୍ୟାସ କରିଥିଲେ। ପୂର୍ବ ମ୍ୟାଚ୍‌ରେ ହୋଇଯାଇଥିବା ତ୍ରୁଟିଗୁଡ଼ିକୁ ସୁଧାରିବା ପାଇଁ ରୋହିତ ଶର୍ମାଙ୍କ ନେତୃତ୍ବରେ ସମସ୍ତେ ଲାଗିପଡ଼ିଥିଲେ। ଯଶସ୍ବୀ ଜୟସ୍ବାଲ୍‌, କେଏଲ୍‌ ରାହୁଲ, ବିରାଟ କୋହଲି, ନୀତୀଶ କୁମାର ରେଡ୍ଡୀ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟାଟିଂ ଜାରି ରଖିଥିଲେ। ମ୍ୟାଚ୍‌ଗୁଡ଼ିକରେ ଯେଉଁକ୍ରମରେ ଭାରତୀୟ ଖେଳାଳିମାନେ ବ୍ୟାଟିଂକୁ ଆସୁଥିଲେ, ଠିକ୍‌ ସେହିଭଳି ନେଟ୍ସରେ ମଧ୍ୟ ଜଣକ ପରେ ଜଣେ ବ୍ୟାଟିଂକୁ ଓହ୍ଲାଉଥିଲେ। ରାହୁଲ୍‌ ଓ ଜୟସ୍ବାଲ୍‌ ଆରମ୍ଭରୁ ବ୍ୟାଟିଂ ଅଭ୍ୟାସ କରିଥିଲା ବେଳେ ରୋହିତ ଚତୁର୍ଥ ସ୍ଥାନରେ ଅଭ୍ୟାସ ପାଇଁ ଆସିଥିଲେ। ତେବେ ଭାରତର ବୋଲିଂକ୍ରମର ନେତୃତ୍ବ ନେଉଥିବା ଉପଅଧିନାୟକ ଯଶ୍‌ପ୍ରୀତ୍‌ ବୁମ୍‌ରା ନେଟ୍ସରେ ସାମିଲ ହୋଇ ନଥିଲେ। ତାଙ୍କ ଉପରେ ଅଧିକ ଚାପ ନଦେବା ପାଇଁ ଦଳ ଚାହୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଡିଲେଡ୍‌ ଟେଷ୍ଟ୍‌ର ଦ୍ବିତୀୟ ଦିନରେ ସେ ଆହତ ହୋଇଥିବାରୁ ଡାକ୍ତରୀଦଳ ତାଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି। ଏବେ ସେ ସୁସ୍ଥ ହେଲେଣି ଓ ସ୍ବାଭାବିକ ଭାବେ ବୋଲିଂ କରିପାରୁଥିବା ଦଳ ପକ୍ଷରୁ କୁହାଯାଇଛି। ସେହିପରି ବୁମ୍‌ରାଙ୍କ ସାଥୀ ବୋଲର୍‌ ମହମ୍ମଦ ସିରାଜ ମଧ୍ୟ ଆଜି ନେଟ୍ସକୁ ଆସି ନଥିଲେ। ବ୍ରିସ୍‌ବେନ୍‌ର ଟାଇମ୍‌ ଜୋନ୍‌ ଆଡିଲେଡ୍‌ଠୁ ସଂପୂର୍ଣ୍ଣ ଭିନ୍ନ। କ୍ବିନ୍ସଲାଣ୍ଡରେ ଭାରତୀୟ ସମୟ ଭୋର୍‌ ୫ଟା ୫୦ ମିନିଟ୍‌ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ପାଗ ମଧ୍ୟ ବହୁତ ଭଲ ରହିବ। ବେଳେ ବେଳେ ଘନ ବାଦଲ ଆସିପାରେ। ହେଲେ ତାହାକୁ ନେଇ ଆଦୌ ଭୟଭୀତ ହେବାର ନାହିଁ ବୋଲି ସ୍ଥାନୀୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।