ସ୍ପଟ୍‌ କିକ୍‌ରେ ଜିତିଲା ସ୍ୱିଡେନ୍‌

ନିଝନି ନୋଭୋଗୋରୋଡ: ଚଳିତ ଫୁଟ୍‌ବଲ୍‌ ବିଶ୍ୱକପ୍‌ରେ ଭିଡିଓ ଆସିଷ୍ଟ ରେଫରି ବା ଭାର୍‌ ପୁଣି ଥରେ କୌଣସି ଦଳର ଭାଗ୍ୟ ନିର୍ଣ୍ଣୟ କରିଛି। ପ୍ରଥମ ଥର ପାଇଁ ବ୍ୟବହୃତ ହେଉଥିବା ଏହି ନୂତନ ଜ୍ଞାନ କୌଶଳରେ ସ୍ୱିଡେନ୍‌ ସୋମବାର ପେନାଲ୍ଟି ପାଇବା ପରେ ଏହାକୁ ଗୋଲ୍‌ରେ ରୂପାନ୍ତର କରି ଏସୀୟ ପାଓ୍ଵାର ହାଉସ୍‌ ଦକ୍ଷିଣ କୋରିଆକୁ ୧-୦ରେ ହରାଇ ଦେଇଛି। ତା’ ସହ ଚମକପ୍ରଦ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛି। ଆଜି ମୁକାବିଲାର ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଧର ଅଷ୍ଟାଦଶ ମିନିଟ୍‌ରେ ସ୍ୱିଡେନ୍‌ ମଧ୍ୟଭାଗ ଖେଳାଳି ଭିକ୍ଟର କ୍ଲାସେନ୍‌ଙ୍କୁ କୋରିଆ ଖେଳାଳିମାନେ ବକ୍ସ ଭିତରେ ତଳେ ପକାଇ ଦେଇଥିଲେ। କୋରିଆ ଖେଳାଳି କିମ୍‌-ମିନ୍‌-ଉ ଏହି ଘଟଣାର ମୁଖ୍ୟ ଖଳ ନାୟକ ଥିଲେ।

ମାତ୍ର ଦୁଇ ମିନିଟ୍‌ ପୂର୍ବରୁ ବିପଜ୍ଜନକ ଖେଳ ପାଇଁ ହଳଦିଆ କାର୍ଡ ପାଇଥିବା କ୍ଲାସେନ ପଡ଼ିଯିବା କ୍ଷଣି ସ୍ୱିଡେନ୍‌ ଖେଳାଳିମାନେ ପେନାଲ୍ଟି ଦାବି କରିଥିଲେ। ଫଳରେ ରେଫରି ଭାର୍‌ ଉପଯୋଗ କରିବାକୁ ବାଧ୍ୟ ହୋଇଥିଲେ। ଏଥିରେ ସ୍ୱିଡେନ୍‌ ଖେଳାଳିମାନେ ବିଜୟୀ ହେବା ସହ ପେନାଲ୍ଟି ପାଇଥିଲେ। ଯାହାକୁ ଆନ୍ଦ୍ରେସ୍‌ ଗ୍ରାନ୍କଭିଷ୍ଟ ଗୋଲ୍‌ ପୋଷ୍ଟ ଭିତରକୁ ପୂରାଇ ସ୍ୱିଡେନକୁ ଆଗୁଆ କରି ଦେଇଥିଲେ। ପରବର୍ତୀ ୨୭ ମିନିଟ୍‌ ସହ ୪ ମିନିଟ୍‌ର ଆହତ ସମୟରେ କୋରିଆ ଏହି ଗୋଲ୍‌ଟିକୁ ଶୁଝି ପାରି ନଥିଲା। ଫଳରେ ସ୍ୱିଡେନ୍‌ ସେହି ଗୋଟିଏ ଗୋଲ୍‌ ବ୍ୟବଧାନରେ ବିଜୟୀ ହୋଇଥିଲା। କୋରିଆ ପରାଜିତ ହୋଇଥିଲେ ମଧ୍ୟ ଏହି ଦଳର ଗୋଲ୍‌ ରକ୍ଷକ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କ ପାଇଁ ସ୍ୱିଡେନ୍‌ ଅନ୍ୟୁନ ଦୁଇଟି ଗୋଲ୍‌ ପାଇବାରୁ ବଞ୍ଚିତ ହୋଇଥିଲା।

ସମ୍ବନ୍ଧିତ ଖବର