ସମାରା: ଚଳିତ ଫିଫା ବିଶ୍ୱକପର ତୃତୀୟ କ୍ୱାର୍ଟର ଫାଇନାଲରେ ଆତ୍ମବିଶ୍ୱାସ ଭରା ଇଂଲଣ୍ଡ ଉତ୍ସାହୀ ସ୍ୱିଡେନକୁ ଭେଟିବ। ଉଭୟ ଦଳ ପାଖରେ ଏହି ମ୍ୟାଚ୍ ଜିତି ଇତିହାସ ରଚିବାର ସୁଯୋଗ ରହିବ। ସ୍ୱିଡେନ୍ ୧୯୯୪ ମସିହାରେ ତୃତୀୟ ସ୍ଥାନ ଅଧିକାର କରିବା ପରେ କେବେବି ବିଶ୍ୱକପର ସେମିଫାଇନାଲକୁ ଯାଇନାହିଁ। ସେପଟେ ଇଂଲଣ୍ଡ ୧୯୯୦ ମସିହାରେ ଚତୁର୍ଥ ସ୍ଥାନ ଅଧିକାର କରିବା ପରଠାରୁ ଥରେ ହେଲେ ବି ଏହି ପର୍ଯ୍ୟାୟ ଖେଳି ନାହିଁ। ସ୍ୱିଡେନ୍ ୨୪ ଏବଂ ଇଂଲଣ୍ଡ ୨୮ ବର୍ଷର ପ୍ରତୀକ୍ଷାକୁ ଦୂର କରିବା ଲକ୍ଷ୍ୟରେ ଏହି ମ୍ୟାଚକୁ ଓହ୍ଲାଇବେ। ସ୍ୱିଡେନ୍ ୧-୦ ଗୋଲ୍ରେ ସ୍ୱିଜରଲଣ୍ଡକୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ପେନାଲ୍ଟି ସୁଟଆଉଟରେ କଲମ୍ବିଆକୁ ୪-୩ ଗୋଲରେ ପରାସ୍ତ କରି ଶେଷ ୮ ଦଳ ମଧ୍ୟରେ ସ୍ଥାନ ସୁରକ୍ଷିତ କରିଛି। ଶନିବାର ସ୍ୱିଡେନ୍ ଦଳକୁ ସେବାସ୍ତିଆନ୍ ଲାରସନ ଫେରିବେ। ହେଲେ ଏହି ଦଳ ମିକେଲ ଲଷ୍ଟିଙ୍ଗଙ୍କ ସେବାରୁ ବଞ୍ଚିତ ହେବ। ଲଷ୍ଟିଙ୍ଗ ଲଗାତାର ଦୁଇଟି ହଳଦିଆ କାର୍ଡ ପାଇବା ପରେ ଏହି ମ୍ୟାଚ୍ରୁ ବାଦ ପଡ଼ିଛନ୍ତି। ଇଂଲଣ୍ଡ କିନ୍ତୁ ପୂର୍ଣ୍ଣ କ୍ଷମତା ସହ ପଡ଼ିଆକୁ ଓହ୍ଲାଇବ। ସ୍ୱିଡେନ୍ ଓ ଇଂଲଣ୍ଡ ପରସ୍ପରକୁ ୨୩ ଥର ଭେଟିଛନ୍ତି। ଉଭୟ ଦଳ ୭ଟି ଲେଖାଏଁ ମ୍ୟାଚ୍ ଜିତିଥିଲା ବେଳେ ୯ ମୁକାବିଲା ଅମୀମାଂସିତ ରହିଛି। ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ୧୯୨୩ ମସିହା ମେ ୨୧ ତାରିଖରେ ଖେଳା ଯାଇଥିଲା। ଯାହାକୁ ଇଂଲଣ୍ଡ ୪-୨ରେ ଜିତି ନେଇଥିଲା। ଶେଷ ଥର ପାଇଁ ଏହି ଦୁଇ ଦଳ ୨୦୧୨ ନଭେମ୍ବର ୧୪ରେ ମୁହାଁ ମୁହିଁ ହୋଇଥିଲେ। ଏହି ମ୍ୟାଚକୁ ସ୍ୱିଡେନ୍ ୪-୨ରେ ଜିତି ନେଇଥିଲା। ତେବେ ଅଗ୍ରଭାଗ ଖେଳାଳି ଜାମି ଭାର୍ଡି ଏହି ମହତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ଆହତ ହେବା ଇଂଲଣ୍ଡ ପାଇଁ ଶକ୍ତ ଧକ୍କା ହୋଇଛି।
ଇଂଲଣ୍ଡ ଓ ଇତିହାସ ମଝିରେ ସ୍ୱିଡେନ୍
/sambad/media/post_attachments/wp-content/uploads/2018/07/8-Sweden-v-England.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)