ଛାତ ଉପରେ ବ୍ୟାଡ୍‌ମିଣ୍ଟନ ଖେଳୁଛନ୍ତି ଦୁଇ ଭଉଣୀ
ମା’ଙ୍କଠୁ ରୋଷେଇ ଶିଖୁଛନ୍ତି ଓଡ଼ିଶାର ପ୍ରଥମ ମହିଳା ଆନ୍ତର୍ଜାତିକ ବ୍ୟାଡ୍‌ମିଣ୍ଟନ ଖେଳାଳି

Advertisment

କଟକ : ଓଡ଼ିଶାର ପ୍ରଥମ ମହିଳା ଆନ୍ତର୍ଜାତିକ ବ୍ୟାଡ୍‌ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଓ ସାନଭଉଣୀ ତଥା ଭାରତୀୟ କନିଷ୍ଠ ବ୍ୟାଡ୍‌ମିଣ୍ଟନ ଦଳର ସଦସ୍ୟ ଶ୍ବେତପର୍ଣ୍ଣା ପଣ୍ଡା ଏବେ ତାଲାବନ୍ଦ ବେଳେ ପରସ୍ପର ସହ ଅନେକ ସୁଖଦ ମୁହୂର୍ତ୍ତ ବିତାଉଛନ୍ତି। ପଣ୍ଡା ପରିବାରର ଦୁଇ ଗେହ୍ଲା ଝିଅଙ୍କ ସହ ବାପା ଓ ମା’ ମଧ୍ୟ ହସଖୁସିରେ ଏବେ ଦିନ କାଟୁଛନ୍ତି। ଫେବ୍ରୁଆରି ମାସରୁ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ କିଟ୍‌ ପକ୍ଷରୁ ପ୍ରତିନିଧିତ୍ବ କରିବାକୁ ନିଜ ଘର କଟକ ଆସିଥିବା ଋତୁପର୍ଣ୍ଣା ସେବେଠାରୁ ଆଉ ହାଇଦ୍ରାବାଦକୁ ଫେରିନାହାନ୍ତି। ଘରକୁ ଯିବା ପାଇଁ ଗତ ୫ ତାରିଖରେ ଟିକଟ ହୋଇଥିଲେ ବି କରୋନା ଯୋଗୁଁ ସବୁ ବାତିଲ ହୋଇଯାଇଛି। ଯାହାଫଳରେ ଦୀର୍ଘ ଅଢେଇ ବର୍ଷ ପରେ ପରିବାର ସହ ସମୟ ବିତାଇବାକୁ ଏତେଗୁଡ଼ିଏ ସମୟ ମିଳିଥିବା ଋତୁପର୍ଣ୍ଣା କହିଛନ୍ତି।

publive-image

ହାଇଦ୍ରାବାଦସ୍ଥିତ ଏକାଡେମୀରେ ରହି ଅଭ୍ୟାସ କରୁଥିବା ଋତୁପର୍ଣ୍ଣା ଶେଷଥର ପାଇଁ ୨୦୧୭ ମସିହାରେ ଘରେ ଅଧକ ଦିନ ରହିଥିଲେ। ଏହାପରଠୁ ମଝିରେ ମଝିରେ ମାତ୍ର ଅଳ୍ପ କିଛି ଦିନ ପାଇଁ ସେ ଘରକୁ ଆସି ପୁଣି ହାଇଦ୍ରାବାଦ ଫେରିଯାଉଥିଲେ। ଏବେ କରୋନା ତାଙ୍କ ପରିବାରକୁ ପୁଣି ଥରେ ଏକାଠି ହୋଇ ଅଧିକ ଦିନ ସମୟ ବିତାଇବାକୁ ସୁଯୋଗ ଆଣି ଦେଇଛି। ତେବେ ତାଲାବନ୍ଦ ସମୟରେ ବାହାରକୁ ଯିବା ସମ୍ଭବ ନଥିବାରୁ ଛାତ ଉପରେ ଭଉଣୀ ଶ୍ବେତପର୍ଣ୍ଣା ସହ ବ୍ୟାଡମିଣ୍ଟନ ଖେଳିବାକୁ ଭଲପାଅନ୍ତି ବୋଲି ଋତୁପର୍ଣ୍ଣା କହିଛନ୍ତି। ଘରେ ଦୁଇ ଭଉଣୀ ମିଳିତ ଭାବେ ବାରଣ୍ଡାରେ ସ୍କିପିଂ, ଆବ୍‌ସ ୱାର୍କଆଉଟ, ମେଡିଟେସନ୍‌ ଇତ୍ୟାଦି କରି ନିଜକୁ ସୁସ୍ଥ ରଖିବାକୁ ଚେଷ୍ଟା କରୁଛନ୍ତି। ଘରେ ରହୁଥିବା ବେଳେ ସକାଳେ ଓ ସନ୍ଧ୍ୟାରେ ଫୁଲଗଛରେ ପାଣିଦେବା ଅଭ୍ୟାସ କରିଛନ୍ତି। ଏହାବାଦ୍‌ ଯଦିଓ ସେ ରୋଷେଇ ଜାଣିନାହାନ୍ତି, ତଥାପି ମା’ଙ୍କ ସହ ମିଶି ତାଙ୍କୁ ‌େରାଷେଇ କାର୍ଯ୍ୟରେ ସହାୟତା କରୁଛନ୍ତି। ମା’ଙ୍କଠୁ ନୂଆ ବ୍ୟଞ୍ଜନ ପ୍ରସ୍ତୁତ ପ୍ରଣାଳି ତାଲିମ ନେଉଥିବା ସେ ସୂଚନା ଦେଇଛନ୍ତି। ଶ୍ବେତପର୍ଣ୍ଣା ଭଲ ନାଚ ଜାଣିଥିବାରୁ, ସମୟ ହେଲେ ଦୁଇ ଭଉଣୀ ମନଖୋଲା ନାଚ ନାଚିବାର ପାଗଳାମି ମଧ୍ୟ କରନ୍ତି। ସାନ ଭଉଣୀର ଦଶମ ଶ୍ରେଣୀ ପରୀକ୍ଷା ଶେଷ ହୋଇଥିବାରୁ ଏବେ ଚାପମୁକ୍ତ ଭାବେ ଦୁଇ ଭଉଣୀ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଉଥିବା ସେ କହିଛନ୍ତି। ଏପରିକି ବାପା ମା’ଙ୍କ ସହ ମିଶି ଏହି ଦୁଇ ଭଉଣୀ କ୍ୟାରମ, ଲୁଡୁ ‌ଖେଳିବାରେ ମଜ୍ଜିଯାଉଛନ୍ତି।

ବର୍ତ୍ତମାନ ହାଇଦ୍ରାବାଦ ଯିବା ସମ୍ଭବ ନଥିବାରୁ ସାଥୀ ଖେଳାଳିଙ୍କ ସହ ଅନ୍‌ଲାଇନ୍‌ରେ ଯୋଗାଯୋଗ ରଖୁଛନ୍ତି। ଦିନେ ଛଡ଼ା ଦିନେ ଅଲ୍‌ଲାଇନ୍‌ରେ ବ୍ୟାୟାମ ଚାଲେଞ୍ଜ କରୁଛୁ। ପ୍ରଶିକ୍ଷକଙ୍କ ସହିତ ଯଦିଓ ସିଧାସଳଖ କଥା ହୋଇନାହାନ୍ତି, ତଥାପି ଗ୍ରୁପ୍‌ ମେସେଜ୍‌ରେ ସେ ଯାହା ପରାମର୍ଶ ଦେଉଛନ୍ତି, ସେହି ଅନୁଯାୟୀ କାର୍ଯ୍ୟକରୁଥିବା ଋତୁପର୍ଣ୍ଣା କହିଛନ୍ତି। ତେବେ ତାଲାବନ୍ଦ ସମୟରେ ଡାଏଟ୍‌ ନିୟନ୍ତ୍ରଣରେ ରଖିବା ଗୁରୁତ୍ବପୂର୍ଣ୍ଣ। ତେଣୁ ସେ ଯଥାସମ୍ଭବ ଆମିଷ ଖାଦ୍ୟଠୁ ଦୂରେଇ ରହିବାକୁ ‌ଚାହୁଁଛନ୍ତି। ନିରାମିଷ ଖାଦ୍ୟକୁ ସେ ପସନ୍ଦ କରୁଥିଲା ବେଳେ ଅଧିକାଂଶ ସମୟରେ ଫଳ ଖାଉଥିବା ସୂଚନା ଦେଇଛନ୍ତି। ଋତୁପର୍ଣ୍ଣା ବର୍ତ୍ତମାନ ବିଶ୍ବ ଯୁଗଳ ମାନ୍ୟତାର ୫୪ ଓ ମିଶ୍ରିତ ଯୁଗଳର ୧୦୪ ନମ୍ବର ସ୍ଥାନରେ ରହିଛନ୍ତି। ସେହିପରି ଶ୍ବେତପର୍ଣ୍ଣା ଗତବର୍ଷ ୧୫ ବର୍ଷରୁ କମ୍‌ ଭାରତୀୟ ଦଳସହ ଇଣ୍ଡୋନେସିଆ ଖେଳିବାକୁ ଯାଇଥିଲେ।