ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନ୍ ଟେନିସ୍ ପ୍ରତିଯୋଗିତାର ଦ୍ବିତୀୟ ଦିବସରେ ୨୦୧୯ ୟୁଏସ୍ ଓପନ୍ ବିଜୟିନୀ ବିଏଙ୍କା ଆଣ୍ଡ୍ରିସ୍କୁ ଏବଂ ୨୦୧୬ ସେମିଫାଇନାଲିଷ୍ଟ କିକି ବର୍ତେନ୍ସ ବିଦାୟ ନେଇଛନ୍ତି। ସୋମବାର ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ଷଷ୍ଠ ମାନ୍ୟତାପ୍ରାପ୍ତ କାନାଡ଼ାର ଆଣ୍ଡ୍ରିସ୍କୁ ୭-୬, ୬-୭, ୯-୭ ସେଟ୍ରେ ସ୍ଲୋଭନିଆର ତମରା ଜିଦାନସେକଙ୍କଠୁ ଏବଂ ଷୋଡ଼ଶ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡ୍ସର ବର୍ତେନ୍ସ ୧-୬, ୬-୩, ୪-୬ ସେଟ୍ରେ ସ୍ଲୋଭନିଆର ପୋଲୋନା ହର୍କଗଙ୍କଠୁ ହାରିଯାଇଥିଲେ। ଅନ୍ୟ ମହିଳା ଏକକରେ ବାର୍ଥ ଡେ ଗର୍ଲ ଅଷ୍ଟମ ମାନ୍ୟତାପ୍ରାପ୍ତ ଇଗା ସ୍ବିତେକ, ଚତୁର୍ଦଶ ମାନ୍ୟତାପ୍ରାପ୍ତ ଏଲିସ ମର୍ତେନ୍ସ, ବିଂଶ ମାନ୍ୟତାପ୍ରାପ୍ତ ମୋର୍କେଟା ଭୋଣ୍ଡ୍ରୁସୋଭା, ୨୩ ମାନ୍ୟତାପ୍ରାପ୍ତ ମାଡିସନ କିଜ୍ ବିଜୟରୁ ଅଭିଯାନ କରିଛନ୍ତି। ପୋଲାଣ୍ଡର ସ୍ବିତେକ ୬-୦, ୭-୫ ସେଟ୍ରେ ସ୍ଲୋଭନିଆର କାଜି ଜୁଭାନଙ୍କୁ ମାତ୍ ନିଜର ୨୦ତମ ଜନ୍ମଦିନକୁ ସ୍ମରଣୀୟ କରିଛନ୍ତି। ସେହିଭଳି ବେଲ୍ଜିୟମର ମର୍ତେନ୍ସ ୬-୪, ୬-୧ ସେଟ୍ରେ ଅଷ୍ଟ୍ରେଲିଆର ଷ୍ଟ୍ରମ ସାଣ୍ଡର୍ସଙ୍କୁ, ଚେକ୍ ଗଣରାଜ୍ୟର ଭୋଣ୍ଡ୍ରୁସୋଭା ୪-୬, ୬-୩, ୬-୦ ସେଟ୍ରେ ଇସ୍ତୋନିଆର କାଜା କାନେପିଙ୍କୁ ଏବଂ ଆମେରିକା କିଜ୍ ୬-୩, ୩-୬, ୬-୧ ସେଟ୍ରେ ଫ୍ରାନ୍ସର ଓସେନ୍ ଡୋଡିନଙ୍କୁ ପରାସ୍ତ କରିଥିଲେ।
ପୁରୁଷ ଏକକରେ ଅଷ୍ଟମ ମାନ୍ୟତାପ୍ରାପ୍ତ ରୋଜର ଫେଡେରର, ଦ୍ବିତୀୟ ମାନ୍ୟତାପ୍ରାପ୍ତ ଡାନିଲ ମେଦଭେଦେଭ, ପଞ୍ଚମ ମାନ୍ୟତାପ୍ରାପ୍ତ ଷ୍ଟିଫୋନାସ ସିସିପାସ, ପଞ୍ଚଦଶ ମାନ୍ୟତାପ୍ରାପ୍ତ କାସପର ରୁଡ୍ ଏବଂ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ଜାନିକ ସିନର ପ୍ରଥମ ପର୍ଯ୍ୟାୟ ଅତିକ୍ରମ କରିଛନ୍ତି। ଫେଡେରର ଇଜବେକିସ୍ତାନର ଡେନିସ୍ ଇସ୍ତୋମିନଙ୍କୁ ୬-୨, ୬-୪,୬-୩ରେ ହରାଇ ବିଦାୟର ପଥ ଦେଖାଇ ଦେଇଥିଲେ।
ମେଦଭେଦେଭ ୬-୩, ୬-୩, ୭-୫ ସେଟ୍ରେ କାଜଖସ୍ତାନର ଆଲେକଜାଣ୍ଡର ବୁବଲିକ୍ଙ୍କୁ, ଗ୍ରିସ୍ର ସିସପାସ ୭-୬, ୬-୩, ୬-୧ ସେଟ୍ରେ ଫ୍ରାନ୍ସର ଜେରେମି ଚାର୍ଡିଙ୍କୁ, ନରୱେର ରୁଡ୍ ୫-୭, ୬-୨, ୬-୧, ୭-୬ ସେଟ୍ରେ ଫ୍ରାନ୍ସର ବେନଟ ପାଇରେଙ୍କୁ ଏବଂ ଇଟାଲିର ସିନର ୬-୧, ୪-୬, ୬-୭, ୭-୫, ୬-୪ ସେଟ୍ରେ ଫ୍ରାନ୍ସର ପିଏରେ-ହ୍ୟୁଗୁସ ହର୍ବର୍ଟଙ୍କୁ ପରାସ୍ତ କରିଥିଲେ।