ରୋହିତଙ୍କ ପାଇଁ ସୁଇଙ୍ଗ୍‌ ବଲ୍‌ ସମସ୍ୟା, ଅଶ୍ବିନ-ଜାଦେଜା ଖେଳିବା ଉଚିତ୍: ପ୍ରସାଦ

ଲଣ୍ଡନ: ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ ଫାଇନାଲ୍‌ ମ୍ୟାଚ୍‌ରେ ବଲ୍‌ ଯଦି ସର୍ବଦା ଗତିଶୀଳ ରହିବ ତେବେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ନିଶ୍ଚିତ ସଂଘର୍ଷ କରିବେ। ଏହା କହିଛନ୍ତି ପୂର୍ବତନ ନ୍ୟୁଜିଲାଣ୍ଡ୍‌ ଅଲରାଉଣ୍ଡର୍‌ ସ୍କଟ୍ ଷ୍ଟାଇରିସ୍। ଏଜିସ୍ ବାୱେଲ୍ ପିଚ୍‌ରୁ ପେସ୍‌ ଓ ବାଉନ୍ସ ମିଳିବ ବୋଲି ମୁଖ୍ୟ କ୍ୟୁରେଟର୍‌ ସାଇମନ୍ ଲି ସୂଚନା ଦେବା ପରେ ଷ୍ଟାଇରିସ୍‌ ଏଭଳି ଆକଳନ କରିଛନ୍ତି। ପିଚ୍‌ ଉପରେ ସବୁ କିଛି ନିର୍ଭରଶୀଳ। ପାଳିର ପ୍ରାରମ୍ଭରେ ରୋହିତଙ୍କ ପାଦ ଏତେ ଭଲ ଚାଲେନି, ଏଭଳି ‌କ୍ଷେତ୍ରରେ ରୋହିତଙ୍କୁ ସୁଇଙ୍ଗ୍ ବଲ୍ ଆଡୁଆ‌ ଆଣିପାରିବ ବୋଲି ଷ୍ଟାଇରିସ୍‌ ପ୍ରକାଶ କରିଛନ୍ତି। ଷ୍ଟାର ସ୍ପୋର୍ଟସର ଗେମ୍ ପ୍ଲାନ୍‌ କାର୍ଯ୍ୟକ୍ରମରେ ଭାଗନେଇ ଷ୍ଟାଇରିସ୍‌ ଏଭଳି ଆକଳନ କରିଛନ୍ତି।

ନ୍ୟୁଜିଲାଣ୍ଡର ପେସ୍‌ ବୋଲିଂ ଦକ୍ଷତାକୁ ନେଇ ଷ୍ଟାଇରିସ୍‌ କହିଥିଲେ ‘ଦଳର ଦ୍ରୁତ ବୋଲିଂ ଯୋଜନାରେ କୌଣସି ଗୋପନୀୟତା ନାହିଁ। ଟିମ୍ ସାଉଦି, ଟ୍ରେଣ୍ଟ୍‌ ବୋଲ୍ଟଙ୍କ ପରେ କାଇଲ୍ ଜାମିସନ୍‌ କିମ୍ବା କଲିନ୍ ଗ୍ରାଣ୍ଡହୋମଙ୍କ ମଧ୍ୟରୁ ଜଣେ ତୃତୀୟ ସିମର୍‌ ଦାୟିତ୍ବ ତୁଲାଇଲେ ଏମାନେ ନୂଆ ବଲରେ ୨୨ରୁ ୨୮ ଓଭର ପର୍ଯ୍ୟନ୍ତ ବୋଲିଂ କରିପାରିବେ। ନିଲ୍ ୱାଗନରଙ୍କୁ ଯଦି ଖେଳାଗଲା ତେବେ ସେ ମଧ୍ୟକ୍ରମରେ ବିରାଟ କୋହଲିଙ୍କ ୱିକେଟ୍‌ ବି ନେବାର ଦକ୍ଷତା ରଖନ୍ତି। ସୂଚନାଯୋଗ୍ୟ, ଭାରତୀୟ ଦଳ ଫାଇନାଲ୍ ପୂର୍ବରୁ ସୀମିତ ଅଭ୍ୟାସର ସ‌ୁଯୋଗ ପାଇଥିବାବେଳେ ନ୍ୟୁଜିଲାଣ୍ଡ୍‌ ଘରୋଇ ଇଂଲଣ୍ଡ ବିପକ୍ଷରେ ୨ ମ୍ୟାଚ୍‌ ଶୃଙ୍ଖଳା ଖେଳି ୧-୦ରେ ବିଜୟୀ ହୋଇ ମନସ୍ତାତ୍ବିକ ବିଜୟ ହାସଲ କରିଛି। ପୂର୍ବତନ ଭାରତୀୟ ୱିକେଟରକ୍ଷକ ପାର୍ଥିବ ପଟେଲ୍ କହିଛନ୍ତି ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ତାଙ୍କ ୨୦୧୮ ଇଂଲଣ୍ଡ ଗସ୍ତରୁ ପ୍ରେରଣା ନେଇ ଖେଳିବା ଶ୍ରେୟସ୍କର ହେବ। ବ୍ୟକ୍ତିଗତ ଭାବେ ଏକାଧିକ ଶତକ ସହିତ ସେହି ଗସ୍ତରେ ସେ ସଫଳତା ପାଇଥିଲେ। ତଥାପି ବିବିଧ ଦ୍ରୁତ ବୋଲର ଥିବାରୁ ଫାଇନାଲ୍ ମ୍ୟାଚ୍‌ ନିଶ୍ଚିତ ଆହ୍ବାନଭରା ରହିବ ବୋଲି ପାର୍ଥିବ ପ୍ରକାଶ କରିଛନ୍ତି।

ଅଶ୍ବିନ-ଜାଦେଜା ଖେଳିବା ଉଚିତ୍: ପ୍ରସାଦ

ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ ଫାଇନାଲ୍‌ରେ ବ୍ୟାଟ୍ସମ୍ୟାନଙ୍କୁ ତୁରନ୍ତ ପରିସ୍ଥିତି ସହିତ ଖାପ ଖୁଆଇନେବାକୁ ପଡ଼ିବ। ସେହିଭଳି କେଉଁ ବୋଲର ପିଚ୍‌ ଓ ପରିବେଶ ସହିତ ଅଧିକ ଉପଯୁକ୍ତ ହେବ ତାହାକୁ ଧାର୍ଯ୍ୟ କରିବାକୁ ପଡ଼ିବ। ଫାଇନାଲ୍ ମ୍ୟାଚ୍‌ ପୂର୍ବରୁ ଭାରତ ସବୁ ଦିଗରୁ ଆତ୍ମବିଶ୍ବାସ ରଖିଛି ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ। ଆମ ସମୟ ତୁଳନାରେ ଏବେ ଭାରତୀୟ ଦଳ ନିକଟରେ ତୃତୀୟ କିମ୍ବା ଚତୁର୍ଥ ସିମର୍‌ ରହିଛନ୍ତି ଯିଏ ଚାପ ସୃଷ୍ଟି କରିପାରୁଛନ୍ତି। ସମାନ ସମୟରେ ପରିସ୍ଥିତି ଯାହା ରହୁ ପଛେ ବୋର୍ଡରେ ୩୫୦ ରନ୍‌ କରିବା ଭଳି ଦକ୍ଷତା ଭାରତର ରହିଛି। ବିଶ୍ବର ଦୁଇ ଶ୍ରେଷ୍ଠ ଦଳ ଫାଇନାଲ୍ ଖେଳିବାକୁ ଯାଉଛନ୍ତି। ଭାରତ ନିକଟରେ କିନ୍ତୁ‌ ଶ୍ରେଷ୍ଠ ବିକଳ୍ପମାନ ରହିଛି ବୋଲି ପ୍ରସାଦ ସୋମବାର ପ୍ରକାଶ କରିଛନ୍ତି। ନବେ ଦଶକ ଓ ୨୦୦୦ ଦଶକରେ ବ୍ୟାଟିଂ ହେଉ କି ସିମିଂ ଟ୍ରାକ୍‌ ହେଉ ଭାରତ ସାଧାରଣ କଥା ପାଇଁ ଭଲ ସ୍ଥିତିରେ ରହୁଥିଲା। କିନ୍ତୁ ତୃତୀୟ ଓ ଚତୁର୍ଥ ପେସ୍‌ ବୋଲିଂ ବିକଳ୍ପ ରହୁନଥିଲା।

ଏବେ ସେ ସମସ୍ୟା ନଥିବା ବେଳେ କିଛି ଭଲ ଅଲରାଉଣ୍ଡର୍‌ ଓ ବିଶ୍ବଶ୍ରେଣୀୟ ରହିଛନ୍ତି। ୨୨ ବର୍ଷ ପରେ ଇଂଲଣ୍ଡ ମାଟିରେ ଟେଷ୍ଟ୍ ଶୃଙ୍ଖଳା ଜିତିଥିବା ନ୍ୟୁଜିଲାଣ୍ଡ୍ ବିପକ୍ଷ ଫାଇନାଲରେ ଭାରତ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ପ୍ରସାଦ ପୂର୍ବାନୁମାନ କରିଛନ୍ତି। ଭାରତୀୟ ଦଳର ଚୂଡାନ୍ତ ଏକାଦଶ ସମ୍ପର୍କରେ ପ୍ରସାଦ କହିଥିଲେ ବିରାଟ କୋହଲି ନିଶ୍ଚିତ ସିଧାସଳଖ ନିଷ୍ପତ୍ତି ନେଇଯିବେ। ଦୁଇ ଅଭିଜ୍ଞ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ବିନ ଏବଂ ରବୀନ୍ଦ୍ର ଜାଦେଜାଙ୍କୁ ଖେଳାଇବା ସହ ପେସ୍‌ ବିଭାଗରେ ଈଶାନ୍ତ ଶର୍ମା, ମହମ୍ମଦ ସାମି ଏବଂ ଯଶପ୍ରୀତ ବୁମରାଙ୍କୁ ନିଆଯିବ ବୋଲି ସେ କହିଥିଲେ। ଅଶ୍ବିନ-ଜାଦଜୋଙ୍କ ସହ ଏହି ୩ ପେସ୍‌ ବୋଲର ଶ୍ରେଷ୍ଠ ସମନ୍ବୟ। ବିଭିନ୍ନ ପରିବେଶରେ ଖେଳିଥିବାରୁ ସେମାନେ ସବୁକିଛି ମୁକାବିଲା କରିପାରିବେ। ୧୦୦ ଟେଷ୍ଟ୍ ଖେଳିବା ପରେ ବି ଈଶାନ୍ତଙ୍କୁ ତୃତୀୟ ନମ୍ବର ପେସର୍‌ ଭାବେ ବ୍ୟବହାର କରାଯିବାକୁ ପ୍ରସାଦ ନାପସନ୍ଦ କରିଥିଲେ। ଫାଇନାଲ୍ ମ୍ୟାଚ୍‌ ମଧ୍ୟ ପଞ୍ଚମ ଦିନକୁ ଯିବ ବୋଲି ସ‌େ ପୂର୍ବାନୁମାନ ଲଗାଇଛନ୍ତି। ଶାସ୍ତ୍ରୀଙ୍କ ବେଷ୍ଟ୍ ଅଫ୍‌ ଥ୍ରୀ ଫାଇନାଲ୍ ମତକୁ ସେ ଏଡ଼ାଇଯାଇଥିଲେ। ଅଧିକାଂଶ ଖେଳରେ ଗୋଟିଏ ଫାଇନାଲ୍ ରହିଛି, ଏମିତି ବି ୩ ଟିକିଆ ଟେଷ୍ଟ୍ ଫାଇନାଲ୍‌ ପାଇଁ ୨୫ ଦିନର ସମୟ ପାଇଁ ଗବାକ୍ଷ ନାହିଁ ବୋଲି ଭାରତ ପାଇଁ ୩୩ ଟେଷ୍ଟ୍ ଓ ୧୬୧ ଦିନିକିଆ ଖେଳିଥିବା ୫୧ ବର୍ଷୀୟ ପ୍ରସାଦ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର