ସ୍ବିସ୍‌ ଓପନ୍‌: ସାତ୍ତ୍ବିକ-ଚିରାଗଙ୍କୁ ଯୁଗଳ ଟ୍ରଫି

ନୂଆଦିଲ୍ଲୀ : ସ୍ବିଜରଲାଣ୍ଡ୍‌ର ବାସେଲଠାରେ ଚାଲିଥିବା ସ୍ବିସ୍‌ ଓପନ୍‌ ସୁପର ସିରିଜ୍‌ ୩୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡୀ ଓ ଚିରାଗ ସେଟ୍ଟୀ ପୁରୁଷ ଯୁଗଳ ବିଜେତା ହୋଇଛନ୍ତି। ଏହି ବିଶ୍ବ ଚାମ୍ପିଅନ୍‌ସିପ୍‌ କାଂସ୍ୟ ପଦକ ବିଜେତା ଯୋଡ଼ି ରବିବାର ସ୍ବିସ୍‌ ଓପନ୍‌ ପୁରୁଷ ଯୁଗଳ ଫାଇନାଲ୍‌ରେ ଚୀନ୍‌ ଯୋଡ଼ି ରେନ୍‌ ଜିଆଙ୍ଗ୍‌ ୟୁ-ଟାନ୍‌ କ୍ବିଆଙ୍ଗ୍‌ଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରିଛନ୍ତି।

ଏଠାରେ ଦ୍ବିତୀୟ ସିଡ୍‌ ମାନ୍ୟତା ପାଇଥିବା ସାତ୍ତ୍ବିକ-ଚିରାଗ ଫାଇନାଲ୍‌ରେ ୫୪ ମିନିଟ୍‌ ଧରି ଲଢ଼ିବା ପରେ ୨୧-୯ ଓ ୨୪-୨୨ରେ ବିଶ୍ବ ମାନ୍ୟତାର ୨୧ ଚୀନ୍‌ ଯୋଡ଼ିକୁ ପରାସ୍ତ କରି ଟ୍ରଫି କରାୟତ କରିଥିଲେ। ଏଥି ସହିତ ଗତ ଅଲ୍‌ ଇଂଲଣ୍ଡ ଚାମ୍ପିଅନ୍‌ସିପ୍‌ର ଦ୍ବିତୀୟ ରାଉଣ୍ଡରୁ ନୈରାଶ୍ୟଜନକ ବିଦାୟ ନେଇଥିବା ସାତ୍ତ୍ବିକ-ଚିରାଗ ଯୋଡ଼ି ଚଳିତ ଋତୁରେ ପ୍ରଥମ ଟ୍ରଫି ଜିତିଛନ୍ତି। ମୋଟାମୋଟି ଭାବେ ଏହି ଯୋଡ଼ି କ୍ୟାରିୟରର ପଞ୍ଚମ ବିଶ୍ବ ଟୁର୍‌ ଟ୍ରଫି ହାସଲ କରିଛନ୍ତି। ଏହା ପୂର୍ବରୁ ଦୁହେଁ ୨୦୧୮ ହାଇଦ୍ରାବାଦ ଓପନ୍‌, ୨୦୧୯ ଥାଇଲାଣ୍ଡ ଓପନ୍‌ ବ୍ୟତୀତ ଗତବର୍ଷ ଇଣ୍ଡିଆନ୍‌ ଓପନ୍‌ ଏବଂ ଫ୍ରେଞ୍ଚ୍‌ ଓପନ୍‌ ଟ୍ରଫି ଜିତିଥିଲେ। ଏହା ବାଦ୍‌ ସାତ୍ତ୍ବିକ-ଚିରାଗ ମଧ୍ୟ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ହୋଇଥି‌ଲେ।

ସମ୍ବନ୍ଧିତ ଖବର