ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତାର ଗୁରୁବାର ମହିଳା ଏକକ ସେମିଫାଇନାଲ୍‌ରେ ପୋଲାଣ୍ଡର ଇଗା ସ୍ବିତେକ ଓ ବ୍ରାଜିଲର ବିତ୍ରିଜ ହାଡାଡ ମାୟା ମୁହାଁମୁହିଁ ହେବେ। ବୁଧବାର କ୍ବାର୍ଟର ଫାଇନାଲ୍‌ରେ ବିଶ୍ବର ଏକ ନମ୍ବର ୨୨ ବର୍ଷୀୟା ସ୍ବିତେକ ସିଧାସଳଖ ୬-୪, ୬-୨ ସେଟ୍‌ରେ ଗତ ଥରର ଫାଇନାଲିଷ୍ଟ ଷଷ୍ଠ ମାନ୍ୟତାପ୍ରାପ୍ତ ଆମେରିକାର କୋକୋ ଗଫ୍‌ଙ୍କୁ ପରାସ୍ତ କରିଛନ୍ତି। ଏଥିସହ ସ୍ବିତେକ ହ୍ୟାଟ୍ରିକ ରୋଲାଁ ଗାରୋସ ଟ୍ରଫି ଏବଂ ଚତୁର୍ଥ ଗ୍ରାଣ୍ଡ ସ୍ଲାମ୍‌ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। ଅନ୍ୟ ଏକ କ୍ବାର୍ଟର ଫାଇନାଲ୍‌ରେ ୧୪ ମାନ୍ୟତାପ୍ରାପ୍ତ ବାମହାତୀ ମାୟା ୩-୬, ୭-୬ (୫), ୬-୧ ସେଟ୍‌ରେ ସପ୍ତମ ମାନ୍ୟତାପ୍ରାପ୍ତ ଟ୍ୟୁନିସିଆର ଓନ୍‌ସ ଜାବିଉରଙ୍କୁ ହରାଇଛନ୍ତି। ଏଥିସହ ମାୟା ଜୀବନର ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ କ୍ବାର୍ଟର ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ସେ ମଧ୍ୟ ୧୯୬୮ ମସିହା (ମାରିଆ ବୁଏନୋ) ପରେ ପ୍ରଥମ ବ୍ରାଜିଲୀୟ ମହିଳା ଭାବେ ଗ୍ରାଣ୍ଡ ସ୍ଲାମ୍‌ ସେମିଫାଇନାଲ୍‌ରେ ପହଞ୍ଚିବାର ଗୌରବ ପାଇଛନ୍ତି।

Advertisment

ପୁରୁଷ ଏକକର ପ୍ରଥମ ସେମିଫାଇନାଲ୍‌ ସ୍ପେନୀୟ ଯୁବ ତାରକା କାର୍ଲୋସ ଆଲକାରାଜ ଏବଂ ୨୨ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ସର୍ବିୟା ତାରକା ନୋଭାକ ଜୋ କୋଭିକଙ୍କ ମଧ୍ୟରେ ଖେଳାଯିବ। ଗତବର୍ଷର ୟୁଏସ୍‌ ଓପନ୍ ବିଜେତା ବିଶ୍ବର ଏକ ନମ୍ବର ଆଲକାରାଜ ମଙ୍ଗଳବାର ୬-୨, ୬-୧, ୬-୨ରେ ପଞ୍ଚମ ସିଡ୍‌ ଗ୍ରିକ୍ ତାରକା ଷ୍ଟିଫାନସ୍ ସିସିପାସଙ୍କୁ ପରାସ୍ତ କରିଛନ୍ତି। ଏଥି ସହ ୨୦ ବର୍ଷୀୟ ଆଲକାରାଜ ତୃତୀୟ ପ୍ରୟାସରେ ପ୍ରଥମ ଥର ଏହି କ୍ଲେ କୋର୍ଟ ଗ୍ରାଣ୍ଡ୍ ସ୍ଲାମ୍‌ର ସେମିଫାଇନାଲ୍ ଉଠିଛନ୍ତି। ପୂର୍ବରୁ ତୃତୀୟ ମାନ୍ୟତାପ୍ରାପ୍ତ ଜୋକୋଭିକ ୪-୬, ୭-୬, ୬-୨, ୬-୪ ସେଟ୍‌ରେ ଏକାଦଶ ମାନ୍ୟାତାପ୍ରାପ୍ତ ରୁଷୀୟ ଖେଳାଳି କରେନ କାଚାନୋଭଙ୍କୁ ପରାସ୍ତ କରି ଦ୍ବାଦଶ ଥର ପାଇଁ ଏଠାରେ ସେମିଫାଇନାଲ୍ ଉଠିଛନ୍ତି। ଏହି ବିଜୟ ସହ ଜୋକୋଭିକ ତୃତୀୟ ରୋଲାଁ ଗାରୋସ ଏବଂ କୀର୍ତ୍ତିମାନଭରା ୨୩ତମ ଗ୍ରାଣ୍ଡ ସ୍ଲାମ୍‌ ଦି‌ଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି।