ବିଶ୍ବର ଶୀର୍ଷ ମାନ୍ୟତା: ସ୍ବିତେକଙ୍କ ଅଭିଯାନ ଶେଷ; ପ୍ରିକ୍ବାର୍ଟରରୁ ଓସ୍ତାପେଙ୍କୋ, ଗାର୍ସିଆ ବିଦା

କ୍ରମାଗତ ୩୭ତମ ମ୍ୟାଚ୍‌ ବିଜୟ ଧାରା ଅଟକିଲା, ଦଶମ ଥର ପାଇଁ ପ୍ରିକ୍ବାର୍ଟର ଫାଇନାଲ୍‌ରେ ନାଦାଲ

ଲଣ୍ଡନ: ମହିଳା ଏକକ ବର୍ଗରେ ଦ୍ବାଦଶ ମାନ୍ୟତା ପାଇଥିବା ଜେଲେନା ଓସ୍ତାପେଙ୍କୋ ଚଳିତ ୱିମ୍ବଲଡନ୍‌ ଟେନିସ୍‌ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ରବିବାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ଏହି ଲାଟିଭିଆ ମହିଳା ପ୍ରବଳ ସଂଘର୍ଷ କରିବା ସତ୍ତ୍ବେ ଅଣମାନ୍ୟତାପ୍ରାପ୍ତ ତାତ୍‌ଜାନା ମାରିଆଙ୍କ ନିକଟରୁ ୭-୫, ୫-୭ ଓ ୫-୭ ସେଟ୍‌ରେ ହାରି ଅଭିଯାନ ଶେଷ କରିଥିଲେ। ରବିବାର ଅନ୍ୟ ଏକ ପ୍ରିକ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଫ୍ରାନ୍‌ସର କାରୋଲିନେ ଗାର୍ସିଆଙ୍କୁ ସିଧାସଳଖ ୭-୫ ଓ ୬-୨ ସେଟ୍‌ରେ ପରାସ୍ତ କରି ୨୩ ବର୍ଷିୟା ଚେକ୍‌ ଗଣରାଜ୍ୟର ମାରି ବୋଜ୍‌କୋଭା ନିଜର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ କ୍ବାର୍ଟର ଫାଇନାଲ୍‌ ପ୍ରବେଶର ଗୌରବ ବହନ କରିଛନ୍ତି।

ଅନ୍ୟପକ୍ଷରେ ବିଶ୍ବ ମାନ୍ୟତାର ଶୀର୍ଷ ମହିଳା ତାରକା ଈଗା ସ୍ବିତେକଙ୍କ ୱିମ୍ବଲଡନ୍‌ ଅଭିଯାନ ତୃତୀୟ ରାଉଣ୍ଡରୁ ଶେଷ ହୋଇଯାଇଛି। ପୋଲାଣ୍ଡ ତାରକା ସ୍ବିତେକଙ୍କୁ ସିଧାସଳଖ ୬-୪ ଓ ୬-୨ ସେଟ୍‌ରେ ପରାସ୍ତ କରି ଫ୍ରାନ୍‌ସର ଆଲିଜେ କୋର୍ନେଟ୍‌ ବିଦାୟ ରାସ୍ତା ଦେଖାଇ ଦେଇଥିଲେ। ଏଥି ସହିତ ସ୍ବିତେକଙ୍କ କ୍ରମାଗତ ୩୭ ମ୍ୟାଚ୍‌ ବିଜୟ ଧାରା ମଧ୍ୟ ଅଟକିଯାଇଥିଲା। ଚଳିତ ୱିମ୍ବଲଡନ୍‌ କ୍ବାର୍ଟର ଫାଇନାଲ୍‌ ସ୍ଥାନ ପାଇଁ କୋର୍ନେଟ୍‌ଙ୍କ ମୁକାବିଲା ଅଷ୍ଟ୍ରେଲିଆର ଆଜଲା ଟମ୍‌ଜାନୋଭିକ୍‌ଙ୍କ ସହ ହେବ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମୁକାବିଲାରେ ଟମ୍‌ଜାନୋଭିକ୍‌ ତ୍ରୟୋଦଶ ମାନ୍ୟତାପ୍ରାପ୍ତ ବାର୍ବୋରା କ୍ରେସିକୋଭାଙ୍କୁ ୨-୬, ୬-୪ ଓ ୬-୩ ସେଟ୍‌ରେ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଥିଲେ। ସେହିପରି ୭ ଥର ୱିମ୍ବଲଡନ୍‌ ବିଜୟିନୀ ସେରେନା ୱିଲିୟମ୍‌ସଙ୍କୁ ପ୍ରଥମ ରାଉଣ୍ଡରୁ ବିଦା କରିଦେଇଥିବା ଫ୍ରାନ୍‌ସ ଲଳନା ହାର୍ମୋନି ଟାନ୍‌ ମହିଳା ଏକକ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପହଞ୍ଚି ନିଜର ୱିମ୍ବଲଡନ୍‌ ପଦାର୍ପଣକୁ ସ୍ମରଣୀୟ କରିଛନ୍ତି। ତୃତୀୟ ରାଉଣ୍ଡରେ ୨୪ ବର୍ଷୀୟା ଟାନ୍‌ ବ୍ରିଟେନ୍‌ର କାଟି ବୋଲ୍‌ଟରଙ୍କୁ ୬-୧, ୬-୧ ସେଟ୍‌ରେ ପରାସ୍ତ କରିଥିଲେ। ପ୍ରିକ୍ବାର୍ଟର ଫାଇନାଲ୍‌ରେ ତାଙ୍କର ମୁକାବିଲା ଆମେରିକାର ବିଂଶତମ ମାନ୍ୟତାପ୍ରାପ୍ତ ଅମନ୍ଦା ଆନିଶିମୋଭାଙ୍କ ସହ ହେବ। ଆନିଶିମୋଭା ନିଜ ଦେଶର ଏକାଦଶ ମାନ୍ୟତାପ୍ରାପ୍ତ କୋକୋ ଗଫ୍‌ଙ୍କୁ ୬-୭, ୬-୨ ଓ ୬-୧ ସେଟ୍‌ରେ ପରାସ୍ତ କରିଥିଲେ। ତେବେ ୧୬ତମ ମାନ୍ୟତାପ୍ରାପ୍ତ ସିମୋନା ହାଲେପ ବିଜୟ ଧାରା ଜାରି ରଖି ପ୍ରିକ୍ବାର୍ଟରରେ ପହଞ୍ଚି ଯାଇଛନ୍ତି। ତୃତୀୟ ରାଉଣ୍ଡରେ ସେ ମାଗ୍‌ଡେଲେନା ଫ୍ରେଚ୍‌ଙ୍କୁ ୬-୪ ଓ ୬-୧ ସେଟ୍‌ରେ ପରାସ୍ତ କରିଥିଲେ।

ଦଶମ ଥର ପାଇଁ ପ୍ରିକ୍ବାର୍ଟର ଫାଇନାଲ୍‌ରେ ନାଦାଲ
ପୁରୁଷ ଏକକରେ ସ୍ପେନ୍‌ ତାରକା ରାଫେଲ ନାଦାଲ ତୃତୀୟ ରାଉଣ୍ଡ ଅତିକ୍ରମ କରିଯାଇଛନ୍ତି। ଏହି ରାଉଣ୍ଡରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ନାଦାଲ ଇଟାଲି ପ୍ରତିଦ୍ବନ୍ଦ୍ବୀ ଲୋରେଞ୍ଜୋ ସୋନେଗୋଙ୍କୁ ସିଧାସଳଖ ୬-୧, ୬-୨ ଓ ୬-୪ ସେଟ୍‌ରେ ପରାସ୍ତ କରି ପ୍ରିକ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ୨୦୦୮ ଓ ୧୦୧୦ ବିଜେତା ନାଦାଲ ଏଥି ସହିତ ଦଶମ ଥର ପାଇଁ ୱିମ୍ବଲଡନ୍‌ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। କେବଳ ସେତିକି ନୁହେଁ, ଅଷ୍ଟ୍ରେଲିଆନ ଓପନ୍‌ ଏବଂ ଫ୍ରେଞ୍ଚ୍‌ ଓପନ୍‌ ଜିତି ସାରିଥିବା ନାଦାଲ ଚଳିତ ବର୍ଷ ୱିମ୍ବଲଡନ୍‌ ବିଜେତା ହେଲେ ୧୯୬୯ରେ ରଡ୍‌ ଲାଭେରଙ୍କ ପରେ ପ୍ରଥମ ଖେଳାଳି ଭାବେ ପୁରୁଷ ବର୍ଗରେ କ୍ୟାଲେଣ୍ଡର ଗ୍ରାଣ୍ଡ୍ ସ୍ଲାମ୍‌ ହାସଲ କରିବେ। ପ୍ରିକ୍ବାର୍ଟର ଫାଇନାଲ୍‌ରେ ନାଦାଲଙ୍କ ମୁକାବିଲା ୨୧ତମ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡ୍‌ ତାରକା ବୋଟିକ୍‌ ଭାନ୍‌ ଡି ଜାଣ୍ଡ୍‌ଶ୍ଚୁଲ୍‌ପଙ୍କ ସହ ହେବ। ବୋଟିକ୍‌ ତୃତୀୟ ରାଉଣ୍ଡରେ ଫ୍ରାନ୍‌ସର ରିଚାର୍ଡ ଗାସ୍‌କ୍ବେଟ୍‌ଙ୍କୁ ୭-୫, ୨-୬, ୭-୬ ଓ ୬-୧ ସେଟ୍‌ରେ ପରାସ୍ତ କରି ଅଲ୍‌ ଇଂଲଣ୍ଡ କ୍ଲବ୍‌ରେ ପ୍ରଥମ ଥର ଲାଗି ପ୍ରିକ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି।

ସୋନେଗୋଙ୍କୁ କ୍ଷମା ମାଗିଲେ ନାଦାଲ
ରାଫେଲ ନାଦାଲ ତୃତୀୟ ରାଉଣ୍ଡ ଶେ‌ଷରେ ବିପକ୍ଷ ଖେଳାଳି ଲରେଞ୍ଜୋ ସୋନେଗୋଙ୍କ ସହ ହାତ ମିଳାଇ‌ବା ବେଳେ କ୍ଷମା ମାଗିଛନ୍ତି। ତୃତୀୟ ସେଟ୍‌ ବେଳେ ଇଟାଲିର ସୋନେଗୋ ପଏଣ୍ଟ ପାଇବା ପରେ ଖୁସି ମନାଇଥିଲେ। ଏଥିପାଇଁ ନାଦାଲ ତାଙ୍କୁ ନେଟ୍‌ ପାଖକୁ ଡାକି ବିରକ୍ତ ହୋଇଥିଲେ। ‌ଯାହା ଜଣେ କ୍ରୀଡ଼ାବିତ୍‌ ପାଇଁ ଠିକ୍‌ ନଥିଲା। ପରବର୍ତ୍ତୀ ସମୟରେ ନାଦାଲ ଏହି ଭୁଲ୍‌କୁ ବୁଝି ନେଇ ସୋନେଗୋଙ୍କୁ କ୍ଷମା ମାଗିଥିଲେ। ‘‘ମୁଁ ତାଙ୍କୁ କହିଲି, ଭୁଲ୍‌ କରିଛି। ତାଙ୍କୁ ନେଟ୍‌ ପାଖକୁ ଡାକିବା ଉଚିତ ନଥିଲା। ସେଥିପାଇଁ କ୍ଷମା ମାଗିଥିଲି। ଏଥିରେ କିଛି ଅସୁବିଧା ନାହିଁ। ‌ସେ ମତେ ଜାଣିଛନ୍ତି। ଏହି କଥା ସେହିଠାରେ ହିଁ ରହିଯାଇଛି। ବ୍ୟକ୍ତିଗତ ଭାବେ ତାଙ୍କୁ ସାକ୍ଷାତ କରିଥିଲି। ତାଙ୍କୁ ହଇରାଣ କରିବା ଉଦେଶ୍ୟ ନଥିଲା’’ ବୋଲି ନାଦାଲ କହିଛନ୍ତି।

କ୍ବାର୍ଟରରେ ସାନିଆ
ମହିଳା ଯୁଗଳ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଯାଇଥିବା ଭାରତୀୟ ମହିଳା ଟେନିସ ତାରକା ସାନିଆ ମିର୍ଜା ଚଳିତ ୱିମ୍ବଲଡନ୍‌ ପ୍ରତିଯୋଗିତାର ମିଶ୍ରିତ ଯୁଗଳ କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। କ୍ରୋଏସିଆର ମେଟ୍‌‌ ପେଭିକ୍‌ଙ୍କୁ ସାଥୀ କରି ଖେଳୁଥିବା ସାନିଆ ରବିବାର ମ୍ୟାଚ୍‌ ନଖେଳି ପ୍ରିକ୍ବାର୍ଟର ଫାଇନାଲ୍‌ ବାଧା ଅତିକ୍ରମ କରିଛନ୍ତି। ବିପକ୍ଷ ଖେଳାଳି ତାଇୱାନର ଲତିଶା ଚାନ୍‌ ଓ ‌କ୍ରୋଏସିଆର ଏଭାନ ଡୋଡିକ୍‌ ଓହରି ଯିବାରୁ ୱାକ୍‌ଓଭର ପାଇ ସାନିଆ-ପେଭିକ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର