କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ, ଅଷ୍ଟ୍ରେଲିଆ ବିପକ୍ଷରେ ୬ ଓ୍ଵିକେଟ୍‌ରେ ଭାରତ ବିଜୟୀ, ଶୃଙ୍ଖଳା ବରାବର

ସିଡନୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ରବିବାର ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ୧୬୫ ରନ୍‌ ବିଜୟ ଲକ୍ଷ୍ୟ ନେଇ ଭାରତ ଏହାକୁ ୧୯.୪ ଓଭରରେ ୪ ଓ୍ଵିକେଟ୍‌ ହରାଇ ପୂରା କରିଛି। ଭାରତ ୧୬୮ ରନ୍‌ ସଂଗ୍ରହ କରିଛି। ବିରାଟ କୋହଲି (୬୧ ରନ୍‌, ୪୧ ବଲ୍‌, ୪ ଚୌକା, ୨ ଛକା)ଙ୍କ ଅପରାଜିତ ବ୍ୟାଟିଂ ଟିମ୍‌ ଇଣ୍ଡିଆକୁ ବିଜୟ ଦେଇଛି। ଏଥି ସହିତ ଟି-୨୦ ଶୃଙ୍ଖଳା ବରାବର ହୋଇଛି।

ବ୍ରିସ୍‌ବେନ୍‌ରେ ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ଜିତିଥିବା ବେଳେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ବର୍ଷା ଯୋଗୁଁ ମ୍ୟାଚ ରଦ୍ଦ କରାଯାଇଥିଲା। ଅନ୍ତିମ ଟି-୨୦ରେ ଭାରତ ବିଜୟୀ ହେବା ପରେ ଶୃଙ୍ଖଳା ବରାବର ହୋଇଛି।

ଭାରତର ଅନ୍ୟ ବ୍ୟାଟସ୍‌ମ୍ୟାନ୍‌ ଓପନର୍‌ ରେହିତ ଶର୍ମା ୨୩ ରନ୍‌ ସଂଗ୍ରହ କରି ଆଦାମ୍‌ ଜାମ୍ପାଙ୍କ ଦ୍ୱାରା ବୋଲଡ୍‌ ହୋଇଥିଲେ। ସେ ୧୬ ଟି ବଲ ଖେଳି ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଶିଖର ଧାଓ୍ଵନ ୨୨ଟି ବଲ ଖେଳି ୪୧ ରନ୍‌ ଯୋଡିବା ପରେ ଷ୍ଟାର୍କଙ୍କ ବଲରେ ଏଲ୍‌ବିଡବ୍ଲୁ ହୋଇଥିଲେ। ଲୋକେଶ ରାହୁଲ ଟିମ୍‌ ପାଇଁ ୧୪ ରନ୍‌ ଯୋଗଦାନ ଦେଇଥିବା ବେଳେ ଋଷଭ ପନ୍ତ କୌଣସି ରନ୍‌ ନକରି ପାଭଲିଅନ୍‌କୁ ଫେରି ଯାଇଥିଲେ। ଦିନେଶ କାର୍ତ୍ତିଙ୍କ ଅପରାଜିତ ୨୨ ରନ୍‌ କୋହଲିଙ୍କୁ ଭଲ ସମର୍ଥନ ଯୋଗାଇଥିଲା।

୩ ଟି-୨୦ ମ୍ୟାଚ ଶୃଙ୍ଖଳାର ଶେଷ ମୁକାବିଲାରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୧୬୪ ରନ୍‌ ସଂଗ୍ରହ କରିଥିଲା। ଫଳରେ ଭାରତକୁ ୧୬୫ ରନ୍‌ ଟାର୍ଗେଟ ମିଳିଥିଲା।

ସମ୍ବନ୍ଧିତ ଖବର