ସିଡ୍ନି: ପଞ୍ଚମ ଆସେସ୍ ଟେଷ୍ଟ୍ରେ ଅଷ୍ଟ୍ରେଲିଆ ଦୃଢ଼ ଜବାବ ଦେଇଛି। ଇଂଲଣ୍ଡ ପ୍ରଥମ ପାଳିକୁ ୩୪୬ ରନ୍ରେ ସୀମିତ ରଖି ଘରୋଇ ଦଳ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ରେ ୧୯୩ ରନ୍ ସଂଗ୍ରହ କରି ନେଇଛି। ହାତରେ ୮ ଓ୍ଵିକେଟ୍ ଥାଇ ସ୍ମିଥ୍ଙ୍କ ଦଳ ୧୫୩ ରନ୍ ପଛରେ ରହିଛି। ଏସ୍ସିଜିରେ ଶୁକ୍ରବାର ଇଂଲଣ୍ଡ ୨୩୩/୫ରୁ ଖେଳିଥିଲା। ମଲନ୍ (୬୨)ଙ୍କୁ ଷ୍ଟାର୍କ ପ୍ୟାଭିଲିଅନ୍ ପଠାଇ ଅତିଥି ଦଳକୁ ସକାଳର ପ୍ରଥମ ଝଟ୍କା ଦେଇଥିଲେ। ଏହା ପରେ ମୋଇନ୍ ଅଲୀ (୩୦, ୫୮ ବଲ୍, ୨ ଚୌକା), କୁରାନ୍ (୩୯, ୬୫ ବଲ୍, ୬ ଚୌକା) ଏବଂ ବ୍ରଡ୍ (୩୧, ୩୨ ବଲ୍, ୧ ଚୌକା, ୨ ଛକା) ଲଢ଼ିଥିଲେ ମଧ୍ୟ ବଡ଼ ଭାଗୀଦାରି କରିପାରିନଥିଲେ। ଅଲୀ ଓ କୁରାନ୍ଙ୍କ ଓ୍ଵିକେଟ୍ ସହିତ ପ୍ୟାଟ୍ କମିନ୍ସ (୪/୮୦) ସଫଳତମ ବୋଲର ରହିଥିଲେ। ଷ୍ଟାର୍କ ଓ ହାଜେଲ୍ଉଡ୍ ୨-୨ ଓ୍ଵିକେଟ୍ ବାଣ୍ଟିଥିଲେ। ଇଂଲଣ୍ଡ ପାଳି ୧୧୨.୩ ଓଭରରେ ୩୪୬ ରନ୍ରେ ଶେଷ ହୋଇଥିଲା।
ଜବାବରେ ପ୍ରଥମ ପାଳି ଆରମ୍ଭ କରିଥିବା ଅଷ୍ଟ୍ରେଲିଆକୁ ଷ୍ଟୁଆର୍ଟ ବ୍ରଡ୍ ପ୍ରଥମ ଝଟ୍କା ଦେଇଥିଲେ। ସେ ନିଜର ଦ୍ୱିତୀୟ ବଲ୍ରେ ହିଁ ବନ୍କ୍ରଫ୍ଟଙ୍କୁ ବୋଲ୍ଡ କରିଦେଇଥିଲେ। ଏହା ପରେ ୮୫ ରନ୍ର ଭାଗୀଦାରି ହୋଇଥିବାବେଳେ ଡେଭିଡ୍ ଓ୍ଵାର୍ନର (୫୬, ୧୦୪ ବଲ୍, ୬ ଚୌକା)ଙ୍କୁ ଆଣ୍ଡରସନ୍ ଓ୍ଵିକେଟ୍ ପଛପଟେ ବେୟାରଷ୍ଟୋଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ତେବେ ଉସମାନ ଖଓ୍ଵାଜା (୯୧*, ୨୦୪ ବଲ୍, ୭ ଚୌକା, ୧ ଛକା) ଏବଂ ଷ୍ଟିଭେନ୍ ସ୍ମିଥ୍ (୪୪*, ୮୮ ବଲ୍, ୩ ଚୌକା) ଅତୁଟ ତୃତୀୟ ଓ୍ଵିକେଟ୍ ପାଇଁ ୧୦୭ ରନ୍ ଯୋଡ଼ି ଇଂଲଣ୍ଡକୁ ଅଧିକ ସଫଳତାରୁ ରୋକିଥିଲେ।
ସୂଚନାଯୋଗ୍ୟ, ୫ ମ୍ୟାଚ୍ ବିଶିଷ୍ଟ ଆସେସ୍ ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ପ୍ରଥମରୁ ୩-୦ ଅଗ୍ରଣୀ ନେଇ ଜିତି ସାରିଛି। ଚତୁର୍ଥ ଟେଷ୍ଟକୁ ଇଂଲଣ୍ଡ ଅମୀମାଂସିତ ରଖିବାରେ ସକ୍ଷମ ହୋଇଥିଲା।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୧୧୨.୩ ଓଭରରେ ୩୪୬ (ଜୋ ରୁଟ୍-୮୩, ଡି ମଲନ୍-୬୨, ଟିକେ କୁରାନ୍-୩୯, ବ୍ରଡ୍-୩୧, ଅଲୀ-୩୦, ପ୍ୟାଟ୍ କମିନ୍ସ-୪/୮୦, ଜୋସ୍ ହାଜେଲଉଡ୍-୨/୬୫, ମିଚେଲ୍ ଷ୍ଟାର୍କ-୨/୮୦, ନାଥନ୍ ଲିଅନ୍-୧/୮୬)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୬୭ ଓଭରରେ ୧୯୩/୨ (ଡେଭିଡ୍ ଓ୍ଵାର୍ନର-୫୬, ଉସ୍ମାନ ଖଓ୍ଵାଜା-୯୧*, ଷ୍ଟିଭେନ୍ ସ୍ମିଥ୍-୪୪*, ଜେମ୍ସ ଆଣ୍ଡରସନ୍-୧/୨୫, ଷ୍ଟୁଆର୍ଟ ବ୍ରଡ୍-୧/୨୮)।