ସିଡ୍ନି: ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଶେଷ ଆସେସ୍ ଟେଷ୍ଟ୍ ସିଡ୍ନି କ୍ରିକେଟ୍ ପଡ଼ିଆ (ଏସ୍ସିଜି)ରେ ଗୁରୁବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନ ଇଂଲଣ୍ଡ ୫ ଓ୍ଵିକେଟ୍ରେ ୨୩୩ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଅଧିକାଂଶ ଖେଳାଳି ଭଲ ଆରମ୍ଭକୁ ବଡ଼ ସ୍କୋର୍ ସମ୍ଭାବନାରେ ରୂପାନ୍ତର କରିପାରି ନାହାଁନ୍ତି। ଜୋ ରୁଟ୍ (୮୩, ୧୪୧ ବଲ୍, ୮ ଚୌକା) ଅର୍ଧଶତକକୁ ଶତକରେ ପରିଣତ କରିପାରିନଥିଲେ। ଆଲେଷ୍ଟର୍ କୁକ୍ (୩୯, ୧୦୪ ବଲ୍) ଏବଂ ଜୋ ଭିନ୍ସ (୨୫, ୫୪ ବଲ୍) ୧୦୦ ଓ ୫୦ରୁ ଅଧିକ ବଲ୍ ଖେଳିଥିଲେ ମଧ୍ୟ ଆଉଟ୍ ହୋଇଯାଇଥିଲେ। ଷ୍ଟୋନ୍ମ୍ୟାନ୍ ୨୪ ବଲ୍ରୁ ୨୪ ରନ୍ କରିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ଆସିନଥିଲା। ଇଂଲଣ୍ଡ ୯୫ ରନ୍ରେ ୩ ଓ୍ଵିକେଟ୍ ହରାଇଥିଲା। ରୁଟ୍ ଏବଂ ମଲନ୍ (୫୫*, ୧୬୦ ବଲ୍, ୫ ଚୌକା) ୧୩୩ ରନ୍ ଭାଗୀଦାରି କରି ସ୍ଥିତି ସମ୍ଭାଳି ନେଇଥିଲେ। ହେଲେ ଦିନର ଶେଷ ୭ ବଲ୍ ଭିତରେ ରୁଟ୍ ଏବଂ ବେୟାରଷ୍ଟୋ (୫)ଙ୍କୁ ଯଥାକ୍ରମେ ମିଚେଲ ଷ୍ଟାର୍କ ଓ ଜୋସ୍ ହାଜେଲ୍ଉଡ୍ ଆଉଟ୍ କରି ଇଂଲଣ୍ଡକୁ ପୁଣି ପଛଧାଡ଼ିକୁ ଠେଲି ଦେଇଥିଲେ। ତେବେ ବର୍ଷା ଯୋଗୁଁ ପ୍ରଥମ ଦିବସ ମଧାହ୍ନବିରତି ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ୫ ମ୍ୟାଚ୍ ବିଶିଷ୍ଟ ଆସେସ୍ ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ପ୍ରଥମରୁ ୩-୦ ଅଗ୍ରଣୀ ନେଇ ଜିତି ସାରିଛି। ଚତୁର୍ଥ ଟେଷ୍ଟକୁ ଇଂଲଣ୍ଡ ଅମୀମାଂସିତ ରଖିବାରେ ସକ୍ଷମ ହୋଇଥିଲା।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୮୧.୪ ଓଭରରେ ୨୩୩/୫ (ଜୋ ରୁଟ୍-୮୩, ଆଲେଷ୍ଟର୍ କୁକ୍-୩୯, ଡି ମଲନ୍-୫୫*, ପ୍ୟାଟ୍ କମିନ୍ସ-୨/୪୪, ଜୋସ୍ ହାଜେଲଉଡ୍-୨/୪୭, ମିଚେଲ୍ ଷ୍ଟାର୍କ-୧/୬୩)।