ସିଡନି: ଗୁରୁବାରଠାରୁ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ୍‌ ଖେଳାଯିବାକୁ ଥିବା ବେଳେ ଦିନକ ପୂର୍ବରୁ ଖେଳାଳି ଚୟନ ଚର୍ଚ୍ଚା ଜୋର୍‌ ଧରିଛି। ଆଇପିଏଲ୍‌ ବେ‌ଳେ ଆହତ ଥିବା କାରଣରୁ ବିଳମ୍ବରେ ଅଷ୍ଟ୍ରେଲିଆ ଆସିଥିବା ରୋହିତ ଶର୍ମା ତୃତୀୟ ଟେଷ୍ଟ୍‌ରେ ପାଳି ଆରମ୍ଭ କରିବା ସମ୍ଭାବନା ଉଜ୍ବଳ ହୋଇଛି। ଫର୍ମକୁ ନେଇ ସଂଘର୍ଷ କରୁଥିବା ମୟଙ୍କ ଅଗ୍ରୱାଲଙ୍କ ବଦଳରେ ରୋହିତ ଶର୍ମା ଯୁବ ତାରକା ଶୁବମନ ଗିଲଙ୍କ ସହ ପାଳି ଆରମ୍ଭ କରିବେ। ଉପ ଅଧିନାୟକ ରୋହିତ ଶର୍ମା ଗତ ସପ୍ତାହରେ ଭାରତୀୟ ଶିବିରରେ ସାମିଲ ହେବା ପରଠାରୁ କେଉଁ ସ୍ଥାନରେ ଖେଳିବେ ସେ ନେଇ ଚର୍ଚ୍ଚା ଚାଲିଥିଲା। ମୟଙ୍କ ଓ ଗିଲ୍‌ ପାଳି ଆରମ୍ଭ କରିଥିଲେ ହନୁମା ବିହାରୀଙ୍କୁ ରୋହିତ ଶର୍ମାଙ୍କ ଲାଗି ବାଟ ଛାଡ଼ିବାକୁ ପଡ଼ିଥା’ନ୍ତା।

Advertisment

କିନ୍ତୁ ଅଗ୍ରୱାଲ ଚଳିତ ଟେଷ୍ଟ୍ ଶୃଙ୍ଖଳାରେ ୧୭, ୯, ୦, ୫ ରନ୍‌ କରିଥିବାରୁ ତାଙ୍କ ଉପରେ ଖଣ୍ଡା ଝୁଲୁଛି। ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର ପରାମର୍ଶ ଦେଇ କହିଥିଲେ ରୋହିତ ଏବଂ ମୟଙ୍କ ପାଳି ଆରମ୍ଭ କରିବା ଉଚିତ୍ ଏବଂ ଗିଲ୍‌ ନିମ୍ନକ୍ରମରେ ଖେଳିବା ଶ୍ରେୟସ୍କର ହେବ। ଏହାର ଅର୍ଥ ମୟଙ୍କ ନୁହେଁ ବିହାରୀ ବାଦ୍‌ ପଡ଼ିଥା’ନ୍ତେ। ୨୦୧୯ରେ ରୋହିତ ଟେଷ୍ଟ୍ କ୍ରିକେଟରେ ପାଳି ଆରମ୍ଭ କରି ସଫଳ ହୋଇଥିବାରୁ ଏବେ ଗିଲ୍‌ଙ୍କ ସହ ଯୋଗଦେବେ। ଏହାଦ୍ବାରା ହନୁମା ବିହାରୀ ନିଜ ସ୍ଥାନ ବଜାୟ ରଖିବେ। ୫ ନମ୍ବରରେ ଖେଳି ହନୁମା କିନ୍ତୁ ୩ ପାଳିରେ କ୍ରମାନ୍ବୟରେ ୧୬, ୮, ୨୧ ରନ୍ କରିଛନ୍ତି। ଭାରତୀୟ ଚୂଡାନ୍ତ ଏକାଦଶରେ ଅନ୍ୟ ବାଧ୍ୟତାମୂଳକ ପରିବର୍ତନଟି ହେଉଛି ଆହତ ଉମେଶ ଯାଦବଙ୍କ ସ୍ଥାନ। ସିଡନି ପିଚ୍‌ ପରଖିବା ପରେ ଭାରତୀୟ ଦଳ ନିଷ୍ପତ୍ତି ନେବ। ନଭଦୀପ ସୈନି, ସାର୍ଦୁଲ ଠାକୁର ଏବଂ ଟି ନଟରାଜନ ଏହି ଦୌଡ଼ରେ ରହିଛନ୍ତି। ଭାରତ ଗତ ଦୁଇ ଟେଷ୍ଟରେ ଦିନକ ପୂର୍ବରୁ ଚୂଡାନ୍ତ ଏକାଦଶ ଘୋଷଣା କରୁଥିବାରୁ ବୁଧବାର ଏହି ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

ବ୍ରିସ୍‌ବନ୍‌ ଟେଷ୍ଟ୍‌ ଖେଳାଯିବ
କୋଭିଡ୍‌ କଟକଣାକୁ ନେଇ ଭାରତୀୟ ଦଳ ଅସନ୍ତୁଷ୍ଟ ରହିଥିଲେ ମଧ୍ୟ ଜାନୁଆରି ୧୫ ତାରିଖରୁ ବ୍ରିସ୍‌ବନ୍‌ରେ ଖେଳାଯିବାକୁ ଥିବା ଚତୁର୍ଥ ତଥା ଶେଷ ଟେଷ୍ଟ୍‌ ଯଥାରୀତି ଖେଳାଯିବ ବୋଲି ଜଣାପଡିଛି। ଭାରତୀୟ ଦଳ ବ୍ରିସବନ୍‌ ଗସ୍ତ କରିବାକୁ ରାଜି ହୋଇଛି। ଭାରତୀୟ ଖେଳାଳିଙ୍କ ଦାବିକୁ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ମାନିନେଇଛି। ସେମାନେ ଆଉ ହୋଟେଲ୍ ରୁମ୍‌ ମଧ୍ୟରେ ଆବଦ୍ଧ ରହିବେ ନାହିଁ। ମ୍ୟାଚ୍‌ ଓ ଅଭ୍ୟାସରୁ ଫେରିବା ପରେ ସେମାନେ ଅବଶ୍ୟ ସିଡନି ଓ ବ୍ରିସ୍‌ବନ୍‌ ହୋଟେଲ୍‌ ପରିସରରରେ ବୁଲି ପାରିବେ।

ରାହୁଲ ଆହତ, ଘରକୁ‌ ଫେରିବେ
‌ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାରେ‌ କେଏଲ୍ ରାହୁଲଙ୍କ ‌ଖେଳିବାର ସମ୍ଭାବନା ଶେଷ ହୋଇଯାଇଛି। ଅଭ୍ୟାସ ଅବସରରେ ଆହତ କାରଣରୁ ରାହୁଲ ଶେଷ ଦୁଇ ଟେଷ୍ଟ୍‌ରୁ ବାଦ୍ ପଡ଼ିଛନ୍ତି। ଶନିବାରର ଅଭ୍ୟାସ‌ ବେଳେ ସେ ବାମ କଚଟିରେ ଆଘାତ ପାଇଥିଲେ। ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍‌ ହେବାକୁ ୩ ସପ୍ତାହ ଲାଗିବାର ଥିବାରୁ ସେ ଏବେ ଭାରତ ଫେରି ଆସିବାକୁ ସଜବାଜ ହେଉଛନ୍ତି। ଭାରତ ପାଇଁ ୩୬ ଟେଷ୍ଟ୍ ଖେଳିଥିବା ରାହୁଲ ୩୪.୫୮ ହାରରେ ୨୦୦୬ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୫ ଶତକ ଏବଂ ୧୧ ଅର୍ଧଶତକ ସାମିଲ ରହିଛି। ରାହୁଲ ଭାରତ ଫେରି ବେଙ୍ଗାଲୁରୁସ୍ଥିତ ଏନ୍‌ସିଏରେ ଯୋଗଦେବେ ବୋଲି ବିସିସିଆଇ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି।