ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ସିଡ୍‌ନି ଟେଷ୍ଟ୍: ୧୨ ବର୍ଷ ପରେ ୩ ରନ୍‌ ଆଉଟ୍‌

ଚିନ୍ତା ବଢ଼ିଲା: ଜାଦେଜା ବାଦ୍‌; ପନ୍ତ୍‌ ଆଶଙ୍କାରେ

ସିଡ୍‌ନି: ସିଡ୍‌ନି ସମରରେ କ୍ରମଶଃ ଦୁର୍ବଳ ହେବା‌ରେ ଲାଗିଛି ଭାରତ। ତୃତୀୟ ଦିନର ଅପ୍ରତ୍ୟାଶିତ ତଥା ନାଟକୀୟ ବିପର୍ଯ୍ୟୟ ପରେ ମ୍ୟାଚ୍ ରାହାଣେ ସେନା ହାତରୁ ଧୀରେଧୀରେ ଖସିଖସି ଯାଉଛି। ଶନିବାର ତୃତୀୟ ଦିନର ପ୍ରଥମ ଦୁଇ ଅଧିବେଶନରେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୯ ରନ୍‌ରେ ୬ ୱିକେଟ୍ ହରାଇବା ସହ ପ୍ରଥମ ପାଳିରେ ମାତ୍ର ୨୪୪ ରନ୍‌ରେ ଅଲଆଉଟ୍ ହୋଇଯାଇଛି ଟିମ୍ ଇଣ୍ଡିଆ। ଫଳରେ ଆଧିପତ୍ୟଭରା ଅଷ୍ଟ୍ରେଲିଆକୁ ୯୪ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ମିଳିଛି। ମ୍ୟାଚ୍ ମଧ୍ୟ ଏହି ଦଳ ଆଡ଼କୁ ପୂରା ଢଳି ଯାଇଛି। ସେପଟେ ଦୁଇ ପ୍ରମୁଖ ତାରକା ରବୀନ୍ଦ୍ର ଜାଦେଜା ଏବଂ ଋଷବ ପନ୍ତ ଆହତ ହେବା ଭାରତର ସମସ୍ୟାକୁ ଦ୍ବିଗୁଣିତ କରିଛି। ଜାଦେଜାଙ୍କ ଅନୁପସ୍ଥିତି ପାଇଁ ଲଗାତାର ନିମ୍ନକ୍ରମ ବିଫଳତାର ସମ୍ମୁଖୀନ ହୋଇ ଆସୁଥିବା ଭାରତର ବୋଲିଂ ବାହିନୀ ବି ଅପେକ୍ଷାକୃତ ଦୁର୍ବଳ ହୋଇଛି। କରୋନା କଟକଣା ସହ ବ୍ରିସବେନ୍‌ର ସମ୍ଭାବ୍ୟ ସଙ୍ଗରୋଧକୁ ନେଇ ଚାପରେ ଥିବା ଭାରତୀୟ କ୍ରିକେଟ୍ ଦଳକୁ ସିଡ୍‌ନି ଦର୍ଶକ ତୃତୀୟ ଦିନରେ ଲଗାତାର ଜାତିଆଣ କଟାକ୍ଷ କରିବା ରାହାଣେ ବାହିନୀ ଉପରେ ଅତିରିକ୍ତ ମନସ୍ତାତ୍ତ୍ବିକ ଚାପ ସୃଷ୍ଟି କରିଛି। ପିଚ୍‌ରୁ ସଂପ୍ରତି ମିଳୁଥିବା ଅସମତଳ ଉଚ୍ଛାଳ ଏବଂ ବୋଲରଙ୍କ ଦ୍ବାରା ସୃଷ୍ଟି ହୋଇଥିବା ବଂଧୁର ଚଟାଣ ପାଇଁ ଚତୁର୍ଥ ଏବଂ ପଞ୍ଚମ ଦିନରେ ବ୍ୟାଟିଂ କରିବା ଭାରତ ପାଇଁ ଅତ୍ୟନ୍ତ କଷ୍ଟକର ହେବ ବୋଲି କ୍ରିକେଟ୍ ପଣ୍ଡିତମାନେ ଏବେଠୁ ଭବିଷ୍ୟବାଣୀ କରିସାରିଲେଣି। ଆଜିର ଖେଳ ବନ୍ଦ ବେଳକୁ ଦ୍ବିତୀୟ ପାଳିରେ ୨ ୱିକେଟ୍‌ରେ ୧୦୩ ରନ୍ କରିନେଇ ଅଷ୍ଟ୍ରେଲିଆ ଦୃଢ଼ ସ୍ଥିତିରେ ରହିଛି।

ଆଜି ଦ୍ବିତୀୟ ପାଳିରେ ଡେଭିଡ୍ ୱାର୍ଣ୍ଣର (୧୩) ଏବଂ ୱିଲ ପକସ୍କି (୧୦)ଙ୍କୁ ମାତ୍ର ୩୫ ରନ୍ ଭିତରେ ଆଉଟ୍ କରିବା ତୃତୀୟ ଦିନରେ ଭାରତ ପାଇଁ ସମ୍ଭବତଃ ଏକମାତ୍ର ଉତ୍ସାହଜନକ ଖବର ଥିଲା। ଏଥିପାଇଁ ଯେଉଁ ଆଶା ସଂଚାର ହୋଇଥିଲା, ତାହା କିନ୍ତୁ ମାର୍ନସ ଲାବୁସେନ (୪୭*) ଓ ଷ୍ଟିଭେନ୍ ସ୍ମିଥ୍ (୨୯*)ଙ୍କ ଲଢ଼ୁଆ ବ୍ୟାଟିଂ ପରେ ଉଭେଇ ଯାଇଥିଲା। ଉଭୟ ଅବିଭା‌ଜିତ ଦ୍ବିତୀୟ ୱିକେଟ୍‌ରେ ୬୮ ରନ୍ ଯୋଡ଼ିବା ପରେ ତୃତୀୟ ଦିନର ସବୁ ସମ୍ମାନ ଆପାତତଃ ଘରୋଇ ଅଷ୍ଟ୍ରେଲିଆ ଖାତାକୁ ଯାଇଥିଲା। କଙ୍ଗାରୁ ଦଳ ହାତରେ ଏବେ ଆଉ ୮ ୱିକେଟ୍ ଥିଲା ବେଳେ ଦଳ ତୃତୀୟ ଦିନ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ମୋଟ ଉପରେ ୧୯୭ ରନ୍‌ର ଆତ୍ମବିଶ୍ବାସ ଭରା ଅଗ୍ରଣୀ ଲାଭ କରିଛି।

ଅଷ୍ଟ୍ରେଲିଆଠାରୁ ଯଥେଷ୍ଟ ମନ୍ଥର ରନ୍ କରିବା ମଧ୍ୟ ଭାରତ ପାଇଁ କାଳ ହୋଇଛି। ଅଷ୍ଟ୍ରେଲିଆ ତା’ ପ୍ରଥମ ପାଳିରେ ୧୦୫ ଓଭର ଖେଳି ୩ରୁ ଅଧିକ ହାରରେ ୩୩୮ ରନ୍ କରିଥିଲା। ଭାରତ ଅନ୍ୟପକ୍ଷରେ ୧୦୦.୪ ଓଭର ଖେଳି ୨୪୪ ରନ୍ କରିଛି। ଟିମ୍ ଇଣ୍ଡିଆର ରନ୍ ସଂଗ୍ରହ ହାର ୨.୪୪ରୁ ବି କମ୍। ଅବଶ୍ୟ ଏହାର ପ୍ରମୁଖ କାରଣ ଥିଲା ପ୍ୟାଟ୍ କମିନ୍ସ (୪/୨୯) ଓ ଜୋସ୍ ହାଜେଲଉଡ୍‌ (୨/୪୩)ଙ୍କ ଅହରହ ଅଗ୍ନିବର୍ଷୀ ବୋଲିଂ। ଏଥିଲାଗି ଭାରତ ପାଇଁ ସମସ୍ୟାର ପାହାଡ଼ ସୃଷ୍ଟି ହୋଇଛି। ୯୬/୨ରୁ ଶନିବାର ଖେଳ ଆରମ୍ଭ କରିଥିବା ଭାରତର ସବୁ ଆଶା ବରିଷ୍ଠ ଖେଳାଳିଙ୍କ ଉପରେ ନିର୍ଭର କରୁଥିଲା। ହେଲେ ଅଧିନାୟକ ଅଜିଙ୍କ୍ୟ ରହାଣେ (୨୨) ଦିନର ପ୍ରଥମ ୱିକେଟ୍ ଭାବେ ଆଉଟ୍ ହେବା ଏବଂ ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା (୫୦) ଭଲ ଆରମ୍ଭକୁ ବଡ଼ ସ୍କୋରରେ ରୂପାନ୍ତର କରିନପାରିବା ପରେ ଦଳ ପୂରା ପଥଚ୍ୟୁତ ହୋଇଥିଲା।

ପଞ୍ଚମ ସ୍ଥାନରେ ଖେଳିଥିବା ହନୁମା ବିହାରୀ (୪)ଙ୍କ ସମେତ ୩ ଜଣ ରନ୍‌ଆଉଟ୍ ହେବା ଭାରତୀୟ ଖେଳାଳିଙ୍କ ରନ୍ ଆକଳନ ଦୁର୍ବଳତା, ଖରାପ ଫିଟନେସ୍ ଏବଂ ଦାୟିତ୍ବହୀନତାକୁ ପଦାରେ ପକାଇଥିଲା। ଦୀର୍ଘ ୧୨ ବର୍ଷର ବ୍ୟବଧାନ ପରେ ପ୍ରଥମ ଥର ପାଇଁ ଭାରତର ୩ ଜଣ ବ୍ୟା‌ଟ୍ସମ୍ୟାନ୍ କୌଣସି ଟେଷ୍ଟ୍‌ର ଗୋଟିଏ ପାଳିରେ ରନ୍‌ଆଉଟ୍ ‌ହୋଇଥିଲେ। ଶେଷ ଆଡ଼କୁ ଅଲରାଉଣ୍ଡର ଜାଦେଜା ପ୍ରତିଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସାଥୀ ଅଭାବରୁ ଅପରାଜିତ ରହି ନିରାଶାର ସହ ପ୍ୟାଭିଲିୟନ ଫେରିଥିଲେ। ଭାରତ ପାଳି ୧୦୦.୪ ଓଭରରେ ଅଟକି ଯାଇଥିଲା। ପୂଜାରା ଶନିବାର ନିଜର ୨୬ତମ ଟେଷ୍ଟ୍ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ତାଙ୍କ ମାତ୍ରାଧିକ ରକ୍ଷଣଶୀଳ ଏବଂ ମନ୍ଥର ବ୍ୟାଟିଂକୁ ରିକି ପଣ୍ଟିଂଙ୍କ ଭଳି ସଫଳ କ୍ରିକେଟର ତୀବ୍ର ସମାଲୋଚନା କରିଥିଲେ। ଅର୍ଦ୍ଧଶତକ ଅର୍ଜନ କରିବାର ଠିକ୍ ପରେ ପରେ ପ୍ୟାଟ୍ କମିନ୍ସଙ୍କ ଏକ ଘାତକ ବଲ୍‌ରେ ଟିମ୍ ପେନଙ୍କୁ କ୍ୟାଚ୍ ଦେଇ ସେ କ୍ରିଜ୍ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଶୃଙ୍ଖଳାରେ କମିନ୍ସ ଚତୁର୍ଥ ଥର ପାଇଁ ପୂଜାରାଙ୍କୁ ଶିକାର କରିଥିଲେ। ଚଳିତ ଶୃଙ୍ଖଳାରେ ପୂଜାରା ଏହି ଦୁର୍ଦ୍ଧର୍ଷ ଦ୍ରୁତ ବୋଲରଙ୍କର ୧୨୯ଟି ବଲ୍‌ର ସମ୍ମୁଖୀନ ହୋଇ ୧୧୯ ଡଟ୍ ସହ ମାତ୍ର ୧୯ ରନ୍ କରିବା ତାଙ୍କ ପ୍ରଶଂସକଙ୍କୁ ବିସ୍ମିତ କରିଛି। ଏହା ପୂର୍ବରୁ ମେଲବର୍ଣ୍ଣର ଶତକ ହାସଲକାରୀ ରାହା‌ଣେ ଅଫ୍‌ଷ୍ଟମ୍ପ୍ ବାହାରେ ଥିବା ଏକ ଲେନ୍ଥ୍‌ ବଲ୍‌କୁ କଟ୍ କରିବାକୁ ଚେଷ୍ଟା କରୁଥିଲା ବେଳେ ବଲ୍ ତାଙ୍କ ବ୍ୟାଟ୍‌ରେ ବାଜି ଷ୍ଟମ୍ପ୍‌ ଭିତରକୁ ପଶି ଯାଇଥିଲା। ଆଉ ଭାରତକୁ ସବୁଠାରୁ ବଡ଼ ଝଟ୍‌କା ଲାଗିଥିଲା।

ସିଡନି: ଏସ୍‌ସିଜିରେ ଶନିବାର ଭାରତୀୟ ପାଳିର ୩ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କ ରନ୍‌ ଆଉଟ୍‌ ଅନ୍ୟତମ ନିର୍ଣ୍ଣାୟକ ହେବାକୁ ଯାଉଛି। ଭାରତକୁ ଶୁକ୍ରବାର ମିଳିଥିବା ସୁବର୍ଣ୍ଣ ସୁଯୋଗ ଶନିବାର ଏକପ୍ରକାର ହାତଛଡ଼ା ହୋଇଯାଇଛି। ୧୨ ବର୍ଷ ପରେ ଭାରତ ଏକ ଟେଷ୍ଟ୍ ପାଳିରେ ୩ ଜଣ ବ୍ୟାଟ୍ସମ୍ୟାନଙ୍କୁ ରନ୍‌ ଆଉଟ୍ ରୂପରେ ହରାଇଛି। ଶେଷ ଥର ପାଇଁ ୨୦୦୮ ମସିହାରେ ଇଂଲଣ୍ଡ ବିପକ୍ଷ ମୋହାଲି ଟେଷ୍ଟ୍‌ରେ ୩ ଭାରତୀୟ ଗୋଟିଏ ପାଳିରେ ରନ୍‌ ଆଉଟ୍ ହୋଇଥିଲେ। ମୋଟ ଉପରେ ସପ୍ତମ ଥର ପାଇଁ ଭାରତ ଏଭଳି ଦଶା ଭୋଗିଛି। ପୂର୍ବର ସମସ୍ତ ୬ ଉଦାହରଣ ମଧ୍ୟରୁ ଗୋଟିଏ ବି ଟେଷ୍ଟ୍ ଭାରତ ଜିତିପାରିନଥିଲା।

ଶନିବାର ଭାରତର ୩ ରନ୍‌ ଆଉଟ୍‌କୁ ତିନି ପାପ ଆଖ୍ୟା ଦିଆଯାଇଛି। ପ୍ରଥମ ରନ୍‌ ଆଉଟ୍‌ଟି ଥିଲା ହନୁମା ବିହାରୀଙ୍କର। ଜୋସ୍ ହାଜେଲ୍‌ଉଡ୍‌ଙ୍କ ଏକ ଅବିଶ୍ବସନୀୟ ସିଧାସଳଖ ‌ଥ୍ରୋରେ ବିହାରୀ ରନ୍‌ ଆଉଟ୍ ହୋଇଥିଲେ। ୧୬ ଓଭର ବୋଲିଂ କରିବା ପରେ ମିଡ୍‌ ଅଫ୍‌ରେ ଛିଡ଼ା‌ ହୋଇଥିବା ହାଜେଲଉଡ୍‌ଙ୍କ ଏହି ଥ୍ରୋ କାରଣରୁ ପାଳି ଗଢ଼ିବାରେ ଲାଗି ପଡ଼ିଥିବା ପୂଜାରା-ବିହାରୀଙ୍କ ଭାଗୀଦାରି ଭାଙ୍ଗିଯାଇଥିଲା। ଭାରତ ସେତେବେଳେ ୧୪୨/୪ରେ ସୀମିତ ରହିଥିଲା। ଦ୍ବିତୀୟ ପାପଟି କିଏ କରିଥିଲେ ଆକଳନ କରିବା କଷ୍ଟକର। ରବୀନ୍ଦ୍ର ଜାଦେଜା ଡାକିବାର ନଥିଲା, ରବିଚନ୍ଦ୍ରନ ଅଶ୍ବିନ୍‌ ଦ୍ରୁତ ସିଙ୍ଗଲ୍ ରନ୍‌ ଚୋରାଇବା ଭଳି ଖେଳାଳି ବି ନୁହନ୍ତି। ଡାଇଭ୍ ନମାରିବା ଫଳରେ ସେ ରନ୍‌ ଆଉଟ୍ ହୋଇଥିଲେ। ମିଡ୍‌ ଅଫ୍‌ରୁ ପ୍ୟାଟ୍ କମିନ୍ସଙ୍କ ଥ୍ରୋ’କୁ ଲାବୁସେନ୍‌ ଧରିନେବା ସହ ରନ୍‌ ଆଉଟ୍ କରି ଦେଇଥିଲେ। ଏଥି ସହିତ ଭାରତ ୧୯୫/୫ରୁ ହଠାତ୍‌ ୨୦୬/୭ରେ ପହଞ୍ଚିଯାଇଥିଲା। ଭାରତୀୟ ପାଳିର ତୃତୀୟ ରନ୍‌ ଆଉଟ୍‌ ହୋଇଥିଲେ ଯଶପ୍ରୀତ୍ ବୁମରା। ଜାଦେଜାଙ୍କ ସମ୍ଭାବ୍ୟ ଭୁଲ୍ କାରଣରୁ ବୁମରା ରନ୍‌ ଆଉଟ୍‌ ହୋଇଥିଲେ। ଜାଦେଜା ଦ୍ବିତୀୟ ରନ୍‌ ପାଇଁ ଡାକିଥିଲେ କିନ୍ତୁ ବୁମରାଙ୍କୁ ଏଥିପାଇଁ ମୂଲ୍ୟ ଦେବାକୁ ପଡ଼ିଥିଲା। ଜାଦେଜାଙ୍କ ଫ୍ଲିକ୍ ପରେ ବଲ୍‌ ସର୍ଟ ଲେଗ୍ ଅଞ୍ଚଳ ଦେଇ ଯାଇଥିଲା। ଲାବୁସେନ୍‌ ଏହା ପଛରେ ‌ଧାବକଙ୍କ ଭଳି ଦୌଡ଼ି କାବୁ କରିବା ସହ ବୋଲରଙ୍କ ପାର୍ଶ୍ବ ଷ୍ଟମ୍ପ୍‌ ଭାଙ୍ଗି ଦେଇଥିଲେ। ଭାରତ ୨୧୬/୯ରେ ପହଞ୍ଚିଯାଇଥିଲା।

ସୂଚନାଯୋଗ୍ୟ, ଚଳିତ ଶୃଙ୍ଖଳାରେ ରନ୍‌ ଆଉଟ୍ ଧାରା ଭାରତ ପାଇଁ ନୂଆ ନୁହେଁ। ପୂର୍ବରୁ ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ ଏବଂ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ମଧ୍ୟ ଏଭଳି ଶିକାର ହୋଇଛନ୍ତି। ଶେଷ ଥର ପାଇଁ ଭାରତୀୟ ଶୀର୍ଷ ୮ ଜଣଙ୍କ ମଧ୍ୟରୁ ୪ କିମ୍ବା ତଦୁର୍ଦ୍ଧ ରନ୍‌ ଆଉଟ୍ ହେବା ନଜର ୧୯୮୯-୯୦ ପାକିସ୍ତାନ ବିପକ୍ଷ ଶୃଙ୍ଖଳାରେ ଦେଖିବାକୁ ମିଳିଥିଲା। ସଚିନ ତେନ୍ଦୁଲକରଙ୍କ ଏହି ପଦାର୍ପଣ ଶୃଙ୍ଖଳାରେ ସଞ୍ଜୟ ମଞ୍ଜରେକର, ମହମ୍ମଦ ଆଝାରୁଦ୍ଦିନ୍, ନଭଜୋତ ସିଂହ ସିଦ୍ଧୁ, ମନୋଜ ପ୍ରଭାକର ଏବଂ ନିଜେ ସଚିନ ତେନ୍ଦୁଲକର ଶୃଙ୍ଖଳା ଅବସରରେ ରନ୍‌ ଆଉଟ୍ ହୋଇଥିଲେ।

ସିଡନି: ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭରୁ ହିଁ ଭାରତୀୟ ଦଳକୁ ଆହତ ସମସ୍ୟା ପିଛା କରୁଛି। ଚଳିତ ତୃତୀୟ ଟେଷ୍ଟ୍‌ରେ ଭାରତ ହାତରୁ ସୁଯୋଗ ହାତଛଡ଼ା ହୋଇଥିବା‌ ବେଳେ ଚୂଡାନ୍ତ ଏକାଦଶର ୨ ଜଣ ଖେଳାଳି ଶନିବାର ଆହତ ହେବା ଚିନ୍ତା ବଢ଼ାଇ ଦେଇଛି। ଏହି ଦୁଇ ପ୍ରମୁଖ ଖେଳାଳି ହେଲେ ଯୁବ ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷବ ପନ୍ତ ଏବଂ ଅଭିଜ୍ଞ ଅଲରାଉଣ୍ଡର୍‌ ରବୀନ୍ଦ୍ର ଜାଦେଜା। ଜାଦେଜା ପୂରା ଶୃଙ୍ଖଳାରୁ ବାଦ୍‌ ପଡ଼ିଥିଲା ବେଳେ ପନ୍ତ୍‌ଙ୍କୁ ନେଇ ଆଶଙ୍କା ଜାରି ରହିଛି। ଶନିବାର ଉଭୟ ବ୍ୟାଟିଂ ବେଳେ ଆହତ ହୋଇଥିଲେ। ଆହତର ପ୍ରକୃତି ତଥା ଗଭୀରତାକୁ ପରଖିବା ଲାଗି ଉଭୟଙ୍କର ସ୍କାନ୍‌ କରାଯାଇଥିଲା।

ପ୍ୟାଟ୍ କମିନ୍ସଙ୍କୁ ପୁଲ୍‌ ସଟ୍‌ ଖେଳିବାକୁ ଚେଷ୍ଟା କରୁଥିବା ବେଳେ ବଲ୍‌ ପନ୍ତଙ୍କ ବାମ କହୁଣୀରେ ଆଘାତ‌ ଦେଇଥିଲା। ସେ ଯନ୍ତ୍ରଣା ପାଇବା ସହ ସାମୟିକ ଚିକିତ୍ସା ପରେ ବ୍ୟାଣ୍ଡେଜ୍‌ ବାନ୍ଧି ଆଉଟ୍ ହେବା ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। ରବୀନ୍ଦ୍ର ଜାଦେଜା ମଧ୍ୟ ସମାନ ପରିସ୍ଥିତିରେ ପଡ଼ିଥିଲେ। ମିଚେଲ୍ ଷ୍ଟାର୍କଙ୍କ ଏକ ସର୍ଟ ବଲ୍‌ ଜାଦେଜାଙ୍କ ବାମ ହାତ ବୁଢ଼ା ଆଙ୍ଗୁଠିରେ ଜୋରଦାର ଭାବେ ଲାଗିଥିଲା। ଭାରତୀୟ ପାଳି ଶେଷ ପର୍ଯ୍ୟନ୍ତ ସେ ବ୍ୟାଣ୍ଡେଜ୍‌ ଆଙ୍ଗୁଠିରେ ବ୍ୟାଟିଂ କରି ମଧ୍ୟ ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆର ଦ୍ବିତୀୟ ପାଳି ବ୍ୟାଟିଂ ଆରମ୍ଭ ବେଳକୁ ଭାରତୀୟ ଦଳ ସହ ଉଭୟ ପନ୍ତ୍‌ ଏବଂ ଜାଦେଜା କ୍ଷେତ୍ରରକ୍ଷଣ କରିବାକୁ ଆସିପାରିନଥିଲେ। ପନ୍ତଙ୍କ ବଦଳରେ ଋଦ୍ଧିମାନ ସାହା ୱିକେଟରକ୍ଷଣ ଦାୟିତ୍ବ ତୁଲାଇ ଏକ ଚମତ୍କାର କ୍ୟାଚ୍‌ (ପୁକସ୍କି) ମଧ୍ୟ ନେଇଥିଲେ। ଏହି ଦୁଇ ଆହତ ସମସ୍ୟା ଭାରତକୁ କରୋନା କାଳରେ ଅଡୁଆରେ ପକାଇ ଦେଇଛି। ପୂର୍ବରୁ ମହମ୍ମଦ ସାମି, ଉମେଶ ଯାଦବ, କେଏଲ୍ ରାହୁଲ ଶୃଙ୍ଖଳା ଅବସରରେ ଆହତ ହୋଇ ଦଳରୁ ବାଦ୍‌ ପଡ଼ିସାରିଛନ୍ତି। ଈଶାନ୍ତ ଶର୍ମା ଏବଂ ରୋହିତ ଶର୍ମା ମଧ୍ୟ ଏହି କାରଣରୁ ଭାରତୀୟ ଦଳରେ ପ୍ରଥମରୁ ସ୍ଥାନ ପାଇନଥିଲେ। ଏନ୍‌ସିଏ (ନ୍ୟାସ୍‌ନାଲ କ୍ରିକେଟ୍‌ ଏକାଡେମି)ରେ ସମୟ କାଟିବା ପରେ ରୋହିତ ଚଳିତ ଟେଷ୍ଟ ଜରିଆରେ ପ୍ରଥମ ମ୍ୟାଚ୍‌ ଖେଳୁଛନ୍ତି।

ସିଡ୍‌ନିରେ ଚାଲିଥିବା ତୃତୀୟ ଟେଷ୍ଟ୍‌ର ଅବଶିଷ୍ଟ ଭାଗରେ ଋଷବ ପନ୍ତଙ୍କ ଖେଳିବା ସମ୍ଭାବନା କ୍ଷୀଣ ରହିଛି। ପନ୍ତଙ୍କ ସ୍କାନ୍ କରାଯାଇଥିବାରୁ ଆଇସିସି ନିୟମ ଅନୁସାରେ ଋଦ୍ଧିମାନ ସାହା ଚୂଡାନ୍ତ ଏକାଦଶରେ ବଦଳ ଖେଳାଳି ଭାବେ ଖେଳିଛନ୍ତି। ରବୀନ୍ଦ୍ର ଜାଦେଜାଙ୍କ ପାଇଁ ମୟଙ୍କ ଅଗ୍ରୱାଲ୍ ‌କ୍ଷେତ୍ରରକ୍ଷଣ କରିଥିଲେ। ପନ୍ତ୍‌ ଶନିବାର ୬୭ ବଲ୍‌ରୁ ୩୬ ରନ୍ କରିଥିଲେ। ଜାଦେଜା କିନ୍ତୁ ୩୭ ବଲ୍‌ରୁ ୨୮* ରନ୍ କରିଥିଲେ। ପନ୍ତ୍‌ଙ୍କ ଆହତ ସମସ୍ୟା ଗୁରୁତର ନଥିବାରୁ ସେ ଭାରତର ଦ୍ବିତୀୟ ପାଳିରେ ବ୍ୟାଟିଂ କରିବା ସମ୍ଭାବନା ରହିଛି‌ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର