ସିଡ୍ନି: ପଡ଼ିଆ ଭିତର ଓ ବାହାର କୋଳାହଳ ଭିତରେ ଭାରତୀୟ ଦଳ ଶୁକ୍ରବାରଠାରୁ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଶେଷ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଛି। ପ୍ରଥମ ଦିନରେ ପ୍ରଥମେ ଟସ୍ ଜିତିବା ଏବଂ ଶେଷ ବଲ୍ରେ ୱିକେଟ୍ ନେବାଠାରୁ ଭାରତ ପାଇଁ ଆଉ ଅଧିକ କିଛି ଭଲ ସମ୍ବାଦ ରହିନାହିଁ। ଘାସୁଆ ପିଚ୍ରେ ଲୟହୀନ ଭାରତୀୟ ଦଳ ପ୍ରଥମ ପାଳିରେ ମାତ୍ର ୧୮୫ ରନ୍ କରି ସମସ୍ତ ୱିକେଟ୍ ହରାଇ ଦେଇଛି। ପୂର୍ବ ସୂଚନା ଅନୁସାରେ ରୋହିତ ଶର୍ମା ଓହରିଯିବାର ଝଡ଼ ଭିତରେ ଭାରତୀୟ ଦଳର ନେତୃତ୍ବ ଭାର ଯଶପ୍ରୀତ ବୁମ୍ରା ନେଇଛନ୍ତି। ଅଷ୍ଟ୍ରେଲିଆର ପେସ୍ ବୋଲିଂ କିନ୍ତୁ ସ୍କଟ୍ ବୋଲାଣ୍ଡ୍ଙ୍କ ନେତୃତ୍ବରେ ଭ୍ରମଣକାରୀ ଦଳକୁ ପ୍ରଥମ ଦିନରୁ ଏକପ୍ରକାର ପଛକୁ ଠେଲି ଦେଇଛି। ତଥାପି ଅଷ୍ଟ୍ରେଲିଆ ଭଲରେ ପାଳି ଆରମ୍ଭ କରିପାରିନାହିଁ। ପ୍ରଥମ ଦିନ ଖେଳିଥିବା ୩ ଓଭର ଭିତରେ ଉସମାନ୍ ଖୱଜା (୨)ଙ୍କୁ ହରାଇ ଘରୋଇ ଦଳ ମାତ୍ର ୯ ରନ୍ କରିଛି।
ଭାରତୀୟ ଦଳ ଦୁଇଟି ପରିବର୍ତ୍ତନ କରି ପଡ଼ିଆକୁ ଓହ୍ଲାଇଥିଲା। ନିଜ ଆଡୁ ଓହରିଯାଇଥିବା ରୋହିତ ଶର୍ମାଙ୍କ ବଦଳରେ ଗତ ଟେଷ୍ଟ୍ରେ ଖେଳିନଥିବା ଶୁବମନ ଗିଲ୍ ଫେରିଥିବା ବେଳେ ଆହତ ଆକାଶ ଦୀପଙ୍କ ସ୍ଥାନରେ ପ୍ରସିଦ୍ଧ କୃଷ୍ଣଙ୍କୁ ପ୍ରଥମ ସୁଯୋଗ ମିଳିଛି। ପ୍ରଥମ ଦିନର ସମ୍ମାନକୁ କିନ୍ତୁ ଅଷ୍ଟ୍ରେଲିଆ ନିଜ ପାଖରେ ରଖିଛି। ପ୍ରଥମ ସ୍ପେଲ୍ରେ ଜୟସ୍ବାଲ (୧୦)ଙ୍କୁ ଶିକାର କରିବାଠାରୁ ଆରମ୍ଭ କରି ଚମତ୍କାର ବୋଲିଂ ଚିତ୍ର (୨୦-୮-୩୧-୪) ପାଇ ଭାରତର ସର୍ବାଧିକ କ୍ଷତି ଘଟାଇଛନ୍ତି। ନୂଆ ଓ ପୁରୁଣା ବଲ୍ରେ ଠିକଣା ଲାଇନ୍ ଓ ଲେନ୍ଥରେ ବୋଲିଂ କରି ଭାରତକୁ ପ୍ରତ୍ୟାବର୍ତ୍ତନର କୌଣସି ସୁଯୋଗ ଦେଇ ନଥିଲେ। ସିଡ୍ନିର ଘାସୁଆ ପିଚ୍ରୁ ସର୍ବାଧିକ ଫାଇଦା ଉଠାଇଛନ୍ତି। ରାହୁଲ (୪)ଙ୍କୁ କିନ୍ତୁ ମିଚେଲ୍ ଷ୍ଟାର୍କ ପ୍ରଥମେ ଆଉଟ୍ କରିଥିଲେ। ଏହି ସମୟରେ ଶୁବମନ ଗିଲ୍ ଓ ବିରାଟ କୋହଲି ପ୍ରାୟ ଏକ ଘଣ୍ଟା ଧରି ଲଢ଼େଇ କରି ୪୦ ରନ୍ ଭାଗୀଦାରି କରିଥିଲେ। କିନ୍ତୁ ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ଗିଲ୍ (୬୪ ବଲ୍ରୁ ୨୦ ରନ୍) ନାଥନ୍ ଲାୟନଙ୍କ ଶିକାର ହୋଇ ଫେରିଯାଇଥିଲେ। ମଧ୍ୟାହ୍ନ ବିରତିରୁ ଚା’ପାନ ଭିତରେ ଭାରତ ଗୋଟିଏ ମାତ୍ର ୱିକେଟ୍ ହରାଇଥିଲେ ମଧ୍ୟ ୨୫ ଓଭରରେ ୫୦ ରନ୍ ଯୋଡ଼ି କେବଳ ବିରାଟ କୋହଲିଙ୍କ ୱିକେଟ୍ ହରାଇଥିଲା। ଚଳିତ ଶୃଙ୍ଖଳାରେ ସପ୍ତମ ଥର ପାଇଁ କୋହଲି ସେହି ପୁରୁଣା ଭୁଲ୍କୁ ଦୋହରାଇ ବୋଲାଣ୍ଡଙ୍କ ଅଫଷ୍ଟମ୍ପ୍ ବାହାରକୁ ଖେଳି ସ୍ଲିପ୍ରେ ନବାଗତ ବିଉ ୱେବ୍ଷ୍ଟର୍ଙ୍କ ହାତରେ ଧରାପଡ଼ିଥିଲେ।
ଏହି ସମୟରେ କୋହଲି ଓ ଋଷଭ ପନ୍ତ୍ଙ୍କ ଭିତରେ ୪୮ ରନ୍ର ସମ୍ମାନରକ୍ଷାକାରୀ ଭାଗୀଦାରି ହୋଇଥିଲା। ଚା’ପାନ ବିରତି ପରେ ପନ୍ତ୍ଙ୍କ ସଂଗ୍ରାମୀ ପାଳିର ଅନ୍ତ ଘଟିଥିଲା। ଭାରତ ପାଳିର ସର୍ବାଧିକ ବଲ୍ ଖେଳିବା ସହ ସେ ସର୍ବାଧିକ ୪୦ ରନ୍ କରିଥିଲେ। କିନ୍ତୁ ପନ୍ତ୍ ଓ ମେଲ୍ବର୍ଣ୍ଣରେ ଶତକ ମାରିଥିବା ନୀତୀଶ କୁମାର ରେଡ୍ଡୀଙ୍କୁ ଲଗାତାର ବଲ୍ରେ ଆଉଟ୍ କରି ବୋଲାଣ୍ଡ୍ ପୁଣି ଭାରତକୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ। ଶେଷ ୪ ୱିକେଟ୍କୁ ପ୍ୟାଟ୍ କମିନ୍ସ ଓ ମିଚେଲ୍ ଷ୍ଟାର୍କ ସମାନ ଭାବେ ବାଣ୍ଟି ନେଇଥିଲେ। ମେଲ୍ବର୍ଣ୍ଣରେ ଜୟସ୍ବାଲଙ୍କ ଭଳି ସିଡ୍ନିରେ ୱାସିଂଟନ୍ ସୁନ୍ଦର (୧୪) ବି ତୃତୀୟ ଅମ୍ପାୟରଙ୍କ ତ୍ରୁଟିର ଶିକାର ହୋଇଥିଲେ। ଫିଲ୍ଡ ଅମ୍ପାୟାର୍ ଆଉଟ୍ ଦେଇ ନଥିଲେ କି ସ୍ନିକୋ ମିଟର୍ ସ୍ପଷ୍ଟ ଚିତ୍ର ଦେଇନଥିଲା ତଥାପି ସେ ଆଉଟ୍ ଘୋଷିତ ହୋଇ ଡିଆର୍ଏସ୍ ଭରସାକୁ କ୍ରମେ ଗୌଣ କରିଦେଇଥିଲେ ତୃତୀୟ ଅମ୍ପାୟାର। ଶେଷ ଭାଗରେ ଅଧିନାୟକ ଯଶପ୍ରୀତ ବୁମରା୍ ୧୭ ବଲ୍ରୁ ୨୨ ରନ୍ (୩ ଚୌକା ଓ ୧ ଛକା) ସଂଗ୍ରହ କରି ଭାରତକୁ ୧୮୫ ରନ୍ରେ ପହଞ୍ଚାଇ ଦେଇଥିଲେ। ବୁମ୍ରାଙ୍କ ପାଇଁ ଭାରତ ଶେଷ ଦୁଇ ଭାଗୀଦାରିରୁ ୩୭ ରନ୍ ବି ଯୋଡ଼ିପାରିଥିଲା।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୭୨.୨ ଓଭରରେ ୧୮୫/୧୦ (ଋଷଭ ପନ୍ତ୍-୪୦, ରବୀନ୍ଦ୍ର ଜାଡ଼େଜା-୨୬, ଯଶପ୍ରୀତ୍ ବୁମ୍ରା-୨୨, ସ୍କଟ୍ ବୋଲାଣ୍ଡ-୪/୩୧, ମିଚେଲ୍ ଷ୍ଟାର୍କ-୩/୪୯, ପ୍ୟାଟ୍ କମିନ୍ସ-୨/୩୭, ନାଥନ୍ ଲାୟନ୍-୧/୧୯)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୩ ଓଭରରେ ୯/୧ (ସାମ୍ କନ୍ଷ୍ଟାସ୍-୭*, ଯଶପ୍ରୀତ୍ ବୁମ୍ରା-୧/୭)।
ବୁମ୍ରା-କନ୍ଷ୍ଟାସ୍ ମୁହାଁମୁହିଁ
ସିଡ୍ନିରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଦିନରେ ହାଇଡ୍ରାମା ଦେଖିବାକୁ ମିଳିଛି। ଭାରତର ତାରକା ବ୍ୟାଟର୍ ବିରାଟ କୋହଲି ଗୋଲ୍ଡେନ୍ ଡକ୍ରୁ ବର୍ତ୍ତିବା ଏବଂ ପ୍ରଥମ ଦିନର ଶେଷ ବେଳକୁ ଅଧିନାୟକ ଯଶପ୍ରୀତ୍ ବୁମ୍ରା ଓ ଯୁବ ଅଷ୍ଟ୍ରେଲୀୟ ବ୍ୟାଟର୍ଙ୍କ ମଧ୍ୟରେ ବାକ୍ଯୁଦ୍ଧ ଏହି ମ୍ୟାଚ୍ର ମାହୋଲକୁ ସରଗରମ କରିଦେଇଥିଲା। ମେଲ୍ବର୍ଣ୍ଣରେ ପଦାର୍ପଣ କରିଥିବା ୧୯ ବର୍ଷୀୟ ସାମ୍ କନ୍ଷ୍ଟାସ୍ ପ୍ରଥମ ପାଳିରେ ଭଲ କରିଥିଲେ। ହେଲେ ଦ୍ବିତୀୟ ପାଳିରେ ବିଫଳ ହୋଇଥିଲେ। ଦ୍ବିତୀୟ ଟେଷ୍ଟ୍ ଖେଳୁଥିବା ଏହି ଯୁବ ବ୍ୟାଟର୍ କିନ୍ତୁ ପଡ଼ିଆରେ ନିଜ ଔଧତ୍ୟର ସୀମା ଟପିଛନ୍ତି। ଅଷ୍ଟ୍ରେଲିଆ ପାଳିର ତୃତୀୟ ଓଭରରେ ବୁମ୍ରାଙ୍କୁ ବଲ୍ ପକାଇବାରେ ଓପନର୍ ଉସ୍ମାନ ଖୱାଜ ଡେରି କରିଥିଲେ। ବୁମ୍ରା ବଲ୍ ପକାଇବାକୁ ରନ୍ଅପ୍ ଆରମ୍ଭ କଲା ବେଳକୁ ଖୱାଜା ଷ୍ଟ୍ରାଇକ୍ କରିବାକୁ ପ୍ରସ୍ତୁତ ନଥିବା ସୂଚାଇ ଥିଲେ। ଏହି ସମୟରେ କନ୍ଷ୍ଟାସ୍ ଅଯଥା ହସ୍ତକ୍ଷେପ କରି ବୁମ୍ରାଙ୍କୁ ଅଟକାଇଥିଲେ। ଏହା ଦେଖି ବୁମ୍ରା ବିରକ୍ତିର ସହ କନ୍ଷ୍ଟାସ୍ଙ୍କୁ ପଚାରିଥିଲେ, ‘ତୁମର ଅସୁବିଧା କ’ଣ?’। କନ୍ଷ୍ଟାସ୍ ବି ଏଥିରେ ଚିହିଁକି ଆସିଥିଲେ। ଏହି ସମୟରେ ଅମ୍ପାୟାର ହସ୍ତକ୍ଷେପ କରି ଉଭୟଙ୍କୁ ଅଲଗା କରିଥିଲେ। ଏହି ଘଟଣାର ଠିକ୍ ପର ବଲ୍ରେ ଖୱାଜାଙ୍କୁ ସ୍ଲିପ୍ରେ କେଏଲ୍ ରାହୁଲ୍ଙ୍କ ହାତରେ କ୍ୟାଚ୍ କରାଇ ପ୍ୟାଭିଲିୟନ୍ ପଠାଇଥିଲେ। ୱିକେଟ୍ ନେବା ପରେ ବୁମ୍ରା ଉତ୍ସବ ପାଳନ ନ କରି କନ୍ଷ୍ଟାସ୍ଙ୍କୁ ଅନାଇ ଥଣ୍ଡା ରହିବାକୁ ଇସାରା ଦେଇଥିଲେ। ଭାରତୀୟ ଖେଳାଳି ଏହି ସମୟରେ ଯେଭଳି ଏକାଠି ହୋଇଥିଲେ ତାହା ମଧ୍ୟ ଚଳିତ ଶୃଙ୍ଖଳାରେ ବିରଳ ଲାଗୁଥିଲା।
ପ୍ରଥମ ଦିନ ରେକର୍ଡ ଦର୍ଶକ
ସିଡ୍ନି କ୍ରିକେଟ୍ ଗ୍ରାଉଣ୍ଡ (ଏସ୍ସିଜି)ରେ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍ର ପ୍ରଥମ ଦିନରେ ରେକର୍ଡ ଦର୍ଶକ ହୋଇଛନ୍ତି। ଉଦ୍ଘାଟନୀ ଦିବସରେ ୪୭, ୫୬୬ ଦର୍ଶକ ଷ୍ଟାଡିୟମ୍ରେ ଉପସ୍ଥିତ ରହି ମ୍ୟାଚ୍ ଉପଭୋଗ କରିଛନ୍ତି। ଯାହା ଉଭୟ ଦେଶ ମଧ୍ୟରେ ଏସ୍ସିଜିରେ ଖେଳାଯାଇଥିବା ଟେଷ୍ଟ୍ର ଉଦ୍ଘାଟନୀ ଦିବସରେ ସର୍ବାଧିକ। ପୂର୍ବରୁ ଏହି ରେକର୍ଡ ୪୫୦୦୦ ଥିଲା ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ଟ୍ବିଟ୍ କରିଛି। ଏହି ଶୃଙ୍ଖଳାରେ ମେଲ୍ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମ୍ସିଜି) ଦର୍ଶକରେ ସର୍ବକାଳୀନ ରେକର୍ଡ ଭାଙ୍ଗିଥିଲା। ଏସ୍ସିଜିରେ ମଧ୍ୟାହ୍ନ ବିରତି ବେଳକୁ ଦର୍ଶକ ସଂଖ୍ୟା ୪୫,୪୬୫ ଥିଲା। ଯାହା ପୂର୍ବ ରେକର୍ଡ ୪୪, ୯୦୧ (୨୦୦୩/୦୪)କୁ ଟପିଥିଲା। ମେଲ୍ବର୍ଣ୍ଣରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ୍ରେ ମଧ୍ୟ ୪୭ ବର୍ଷର ରେକର୍ଡ ପଛରେ ପଡ଼ିଥିଲା।
ପନ୍ତ୍ଙ୍କ ସାହସୀ ପାଳି
ନିଜ ବ୍ୟାଟିଂ ଆଭିମୁଖ୍ୟ ପାଇଁ ଚଳିତ ଶୃଙ୍ଖଳାରେ ବେଶ୍ ସମାଲୋଚିତ ହୋଇଥିବା ଗତ ଗସ୍ତର ନାୟକ ଋଷଭ ପନ୍ତ୍ ଶୁକ୍ରବାର ସାହସିକ ପାଳି ଖେଳି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟକୁ ସଜାଡ଼ିବାକୁ ପନ୍ତ୍ ଅତ୍ୟନ୍ତ ଶାନ୍ତ ସ୍ବଭାବର ସହ ଚୁପ୍ଚାପ ବ୍ୟାଟିଂ କରିଥିଲେ। ଅଷ୍ଟ୍ରେଲୀୟ ପେସ୍ ବାହିନୀ କିନ୍ତୁ ପନ୍ତ୍ଙ୍କ ୱିକେଟ୍ ପାଇଁ ଦମ୍ ଲଗାଇ ଦେଇଥିଲେ। ବାଉଁସର ପରେ ବାଉଁସର ଫିଙ୍ଗି ପନ୍ତ୍ଙ୍କ ଶରୀରର ଏକାଧିକ ସ୍ଥାନରେ ଘାଇଲା କରି ଦେଇଥିଲେ। ବଲ୍ ବାହୁରେ ଘସି ହୋଇଯିବାରୁ ରକ୍ତ ଜମାଟ ବାନ୍ଧିବା ପରେ ସେ ପଟି ବାନ୍ଧି ଖେଳିଥିଲେ। ହେଲମେଟ୍, କାନ୍ଧ ଓ ଜାନୁରେ ବି ବଲ୍ ମାଡ଼ ହୋଇଥିଲା। ସେ ଯନ୍ତ୍ରଣା ଅନୁଭବ କରୁଥିଲେ ମଧ୍ୟ କ୍ରିଜ୍ ଛାଡ଼ି ନଥିଲେ। ବାରମ୍ବାର ଭାରତୀୟ ଦଳର ଡାକ୍ତର ଫିଜିଓ ପଡ଼ିଆକୁ ଯାଇ ଚିକିତ୍ସା କରିବା ଓ ବରଫ ଲଗାଇବା କାମ କରିଥିଲେ। ମିଚେଲ୍ ଷ୍ଟାର୍କ, ସ୍କଟ୍ ବୋଲାଣ୍ଡ୍ ଓ ପ୍ୟାଟ୍ କମିନ୍ସଙ୍କ ମିଳିତ ବାହିନୀ କିନ୍ତୁ ପନ୍ତ୍ଙ୍କ ବଡି ଲାଇନ୍ରେ ବୋଲିଂ କରିବାର କୌଶଳକୁ ଛାଡ଼ି ନଥିଲେ। ଶେଷରେ ପନ୍ତ୍ଙ୍କ ୯୮ ବଲ୍ ୪୦ ରନ୍ ପାଳିକୁ ବୋଲାଣ୍ଡ୍ ଶେଷ କରିଥିଲେ। ଭାରତକୁ ବଡ଼ ବିପର୍ଯ୍ୟୟରୁ ରକ୍ଷା କରିବାରେ କିନ୍ତୁ ପନ୍ତ୍ ଓ ରବୀନ୍ଦ୍ର ଜାଡ଼େଜା (୯୫ ବଲ୍ରୁ ୨୬ ରନ୍)ଙ୍କ ଉପଯୋଗୀ ଯୋଗଦାନ ରହିଥିଲା। ସାମ୍ବାଦିକ ସମ୍ମିଳନୀରେ ପନ୍ତ୍ ସ୍ବାଭାବିକ ଭାବେ କହିଥିଲେ, ‘‘ପ୍ରଥମ ଥର ମୋତେ ଏତେ ଆକ୍ରମଣର ଶିକାର ହେବାକୁ ପଡ଼ିଲା। କ୍ରିକେଟ୍ ଖେଳୁଥିଲେ କିଛି କଥା ଆଗରୁ ଯୋଜନା କରିହୁଏ ନାହିଁ। ଖେଳ ଜୀବନରେ କେବେ ନା କେବେ କିଛି ପ୍ରଥମ ଥର ଘଟିବ ମୁଁ ନିଶ୍ଚିତ ଥିଲି। ଏଥି ପାଇଁ ମୁଁ ବିଶେଷ କିଛି ଚିନ୍ତା କରୁନାହିଁ। ଶୃଙ୍ଖଳାରେ ଭଲ କରୁ ନଥିବାବେଳେ ସାଧାରଣ ଭାବେ ଚେଷ୍ଟା କରିଛି। ପଡ଼ିଆରେ ୨୦୦ ପ୍ରତିଶତ ଦେବାକୁ ପ୍ରୟାସ କରିଛି। ଏହା ମୋ କ୍ରିକେଟ୍ ଖେଳିବାର ବିଚାର’’।