ଭୁବନେଶ୍ବର: ଲକ୍ଷ୍ନୌରେ ଖେଳାଯିବାକୁ ଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଅଭିଷେକ ରାଉତଙ୍କ ନେତୃତ୍ବରେ ଓଡ଼ିଶା ଦଳର ଘୋଷଣା ହୋଇଛି। ଦଳରେ ଅନେକ ପରିବର୍ତ୍ତନ କରାଯାଇଥିଲା ବେଳେ ୪ ଜଣ ନୂଆ ଖେଳାଳିଙ୍କୁ ସ୍ଥାନ ମିଳିଛି। ଅଭିଷେକଙ୍କୁ ପ୍ରଥମ ଥର ଦଳର ନେତୃତ୍ବ ଦିଆଯାଇଥିଲା ବେଳେ ଆଶୀର୍ବାଦ ସ୍ବାଇଁ, ଓମ୍ ମୁଣ୍ଡେ, ସୁଶୀଲ ବାରିକ ଓ ମୁସ୍ତାକ ବେଗ୍ ନୂଆ ମୁହଁ ଭାବେ ସ୍ଥାନ ପାଇଛନ୍ତି। ଏହାବାଦ୍ ଗତ ଋତୁରେ ଆହତ ଯୋଗୁଁ ଦଳରୁ ବାଦ୍ ପଡ଼ିଥିବା ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ସହ ସୁଜିତ ଲେଙ୍କା, ଶାନ୍ତନୁ ମିଶ୍ର, ସମୀର ମହାନ୍ତି, ରାକେଶ ପଟ୍ଟନାୟକ, ତାରିଣୀ ସ’ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଗତ ଋତୁର ଖେଳାଳିମାନଙ୍କ ମଧ୍ୟରୁ ଏଥର ୧୧ ଜଣଙ୍କୁ ରାଜ୍ୟ ଦଳରୁ ବାଦ୍ ଦିଆଯାଇଛି। ରାଜେଶ ଧୂପର, ବିକାଶ ରାଉତ, ଗୋବିନ୍ଦ ପୋଦ୍ଦାର, ପ୍ରତୀକ ଦାସ, ଅଭିଷେକ ଯାଦବ, ସର୍ବେଶ୍ବର ମହାନ୍ତି, ପ୍ରୟାସ ସିଂ, ସନ୍ଦୀପ ପଟ୍ଟନାୟକ, ଆଶିଷ ରାଏ, ହର୍ଷିତ ରାଥୋଡ଼, ବି. ଶିବା ଏଥର ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ପାଇପାରିନାହାନ୍ତି। ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ମ୍ୟାଚ୍ ୧୧ ତାରିଖରେ ସିକିମ୍, ୧୨ରେ ତାମିଲନାଡ଼ୁ, ୧୪ରେ ବେଙ୍ଗଲ, ୧୬ରେ ଚଣ୍ଡୀଗଡ଼, ୨୦ରେ ଝାଡ଼ଖଣ୍ଡ ଓ ୨୨ ତାରିଖରେ ଚଣ୍ଡୀଗଡ଼ ବିପକ୍ଷରେ ଖେଳିବ। ଖେଳାଳିଙ୍କୁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଂଜୟ ବେହେରା ଶୁଭେଚ୍ଛା ଜଣାଇଛନ୍ତି।
ଓଡ଼ିଶା ଦଳ:ଅଭିଷେକ ରାଉତ (ଅଧିନାୟକ), ଆଶୀର୍ବାଦ ସ୍ବାଇଁ, ଶାନ୍ତନୁ ମିଶ୍ର, ଓମ୍ ମୁଣ୍ଡେ, ଅଂଶୁମାନ ରଥ, ଶୁଭ୍ରାଂଶୁ ସେନାପତି, ସୁଜିତ ଲେଙ୍କା, ସମୀର ମହାନ୍ତି, ରାକେଶ ପଟ୍ଟନାୟକ, ସୁଶୀଲ ବାରିକ, ମୁସ୍ତାକ ବେଗ୍, ଜୟନ୍ତ ବେହେରା, ସୂର୍ଯ୍ୟକାନ୍ତ ପ୍ରଧାନ, ତାରିଣୀ ସ’, ଦେବବ୍ରତ ପ୍ରଧାନ, ରାଜେଶ ମହାନ୍ତି।