ଭୁବନେଶ୍ବର: ଭାଇଜାଗ୍ରେ ଚାଲିଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ଗ୍ରୁପ୍ ଡି’ ମ୍ୟାଚ୍ରେ ଓଡ଼ିଶା ହ୍ୟାଟ୍ରିକ୍ ପରାଜୟର ସାମ୍ନା କରିଛି। ବିଦର୍ଭ ଓ ରେଳବାଇଠୁ ହାରିଥିବା ଗୋବିନ୍ଦ ପୋଦ୍ଦାରଙ୍କ ଦଳ ଶୁକ୍ରବାର ତୃତୀୟ ମ୍ୟାଚ୍ରେ ପୁଡୁଚେରୀଠୁ ୧୬ ରନ୍ରେ ପରାସ୍ତ ହୋଇଛି। ବର୍ଷା ବାଧାପ୍ରାପ୍ତ ଯୋଗୁଁ ଏହି ମ୍ୟାଚ୍କୁ ୬ ଓଭର ବିଶିଷ୍ଟ କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ପୁଡୁଚେରୀ ୨ ୱିକେଟ୍ ବିନିମୟରେ ୯୧ ରନ୍ କରିଥିଲା। ଜବାବରେ ଓଡ଼ିଶା ଧାର୍ଯ୍ୟ ଓଭର ସୁଦ୍ଧା ୩ ୱିକେଟ୍ ହରାଇ ୭୫ ରନ୍ କରିପାରିଥିଲା। ସ୍ବସ୍ତିକ ସାମଲ ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲା ବେଳେ ଅନ୍ୟମାନେ ଦ୍ରୁତ ରନ୍ ବାହାର କରିବାକୁ ସଂଘର୍ଷ କରିଥିଲେ। ଗୌରବ ଚୌଧୁରୀ ୮ ବଲ୍ରୁ ଦୁଇଟି ଛକା ସହ ୧୭ ରନ୍ କରି ଅପରାଜିତ ଥିବା ବେଳେ ଅଭିଷେକ ୟାଦବ ୧୩ ବଲ୍ରୁ ୧୮ ଏବଂ ରାକେଶ ପଟ୍ଟନାୟକ ୨ ବଲ୍ରୁ ୨ ରନ୍ କରିପାରିଥିଲେ। ଅଧିନାୟକ ପୋଦ୍ଦାର ଆକ୍ରମଣାତ୍ମକ ଖେଳିବା ସହ ୧୨ ବଲ୍ରୁ ୫ ଛକା ସହାୟତାରେ ୩୩* ରନ୍ ଉଠାଇଥିଲେ। ଶେଷ ଓଭରରେ ୩୦ ରନ୍ ଆବଶ୍ୟକ ହେଉଥିଲା ବେଳେ ପୋଦ୍ଦାର ୨ ଛକା ସହାୟତାରେ ୧୩ ରନ୍ ସଂଗ୍ରହ କରିପାରିଥିଲେ। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍ ୧ ତାରିଖରେ ଛତିଶଗଡ଼ ବିପକ୍ଷରେ ଖେଳିବ।
ଦିଲ୍ଲୀର ୧୧ ଜଣ ବୋଲିଂ କଲେ
ମୁମ୍ବାଇ: ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଦିଲ୍ଲୀ ଶୁକ୍ରବାର ଏକ ନୂଆ କୀର୍ତ୍ତିମାନ କରିଛି। ଏହି ଫର୍ମାଟ୍ରେ ପ୍ରଥମ ଦଳ ଭାବେ ଦିଲ୍ଲୀ ଏହାର ସମସ୍ତ ୧୧ ଜଣ ଖେଳାଳିଙ୍କୁ ବୋଲିଂ କରାଇଛି। ୱାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯାଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମଣିପୁର ବିପକ୍ଷରେ ଏହି ଘଟଣା ଘଟିଥିଲା। ୧୧ ଜଣ ବୋଲିଂ କରିବା ପରେ ମଣିପୁର ୨୦ ଓଭରରେ ୧୨୦/୮ରେ ସୀମିତ ରହିଥିଲା। ଦିଲ୍ଲୀ ଏହି ମ୍ୟାଚ୍କୁ ୧୮.୩ ଓଭରରେ ଜିତିନେଇଥିଲା। ପୂର୍ବରୁ ଆନ୍ତର୍ଜାତିକ ଟେଷ୍ଟ୍ ମ୍ୟାଚ୍ରେ ୨୦୦୨ରେ ଏଭଳି ଘଟଣା ଘଟିଥିଲା। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଖେଳିଥିଲା ବେଳେ ୧୧ ଜଣ ଭାରତୀୟ ବୋଲର ବୋଲିଂ କରିଥିଲେ।