କଟକ/ଭୁବନେଶ୍ବର: ରଣଜୀ ଟ୍ରଫିରେ ପ୍ରଥମ ଶତକ ଅର୍ଜନ କରିଥିବା ସ୍ବସ୍ତିକ ସାମଲ (୧୧୮ ରନ୍ ବନାମ ମହାରାଷ୍ଟ୍ର) ଏହାର ୧୨ ଦିନ ପରେ ଟ୍ବେଣ୍ଟି-୨୦ରେ ପ୍ରଥମ ଶତକ ଅର୍ଜନ କରିଛନ୍ତି। ସୋମବାର ବିଜୟନଗରରେ ଖେଳାଯାଇଥିବା ମ୍ୟାଚ୍ରେ ରେଳବାଇ ବିପକ୍ଷରେ ସେ ୬୩ ବଲ୍ରୁ ୮ ଚୌକା ଓ ୬ ଛକା ସହାୟତାରେ ୧୦୫ ରନ୍ ସଂଗ୍ରହ କରିଥିଲେ। ଏଭଳି ଆକ୍ରମଣାତ୍ମକ ପାଳି ସତ୍ତ୍ବେ ସେ ଦଳକୁ ଜିତାଇପାରି ନଥିଲେ। ଓଡ଼ିଶାର ୧୯୪/୫ ସ୍କୋର୍ ଜବାବରେ ରେଳବାଇ ୭ ବଲ୍ ପୂର୍ବରୁ ୭ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଫଳରେ ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଏହା ଓଡ଼ିଶାର ଲଗାତାର ଦ୍ବିତୀୟ ପରାଜୟ। ସମର୍ଥ ବ୍ୟାସ (୩୧)ଙ୍କୁ ରାକେଶ ପଟ୍ଟନାୟକ ଓ ବିବେକ ସିଂହ (୫୯)ଙ୍କୁ ଗୋବିନ୍ଦ ପୋଦ୍ଦାର ଆଉଟ୍ କରିଥିଲା ବେଳେ ପ୍ରଥମ ସିଂହ (୫୬)ଙ୍କୁ ଅଭିଷେକ ୟାଦବ ରନ୍ଆଉଟ୍ କରିଥିଲେ। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍ ୨୯ ତାରିଖରେ ପୁଡୁଚେରୀ ବିପକ୍ଷରେ ଖେଳିବ।
ଓଡ଼ିଶା ପାଇଁ ଅଲ୍ରାଉଣ୍ଡର ସମ୍ବିତ ବରାଳ ଏହି ମ୍ୟାଚ୍ରେ ପଦାର୍ପଣ କରିଥିଲେ। ସ୍ବସ୍ତିକ ଆରମ୍ଭରୁ ଦ୍ରୁତ ରନ୍ ବାହାର କରୁଥିଲା ବେଳେ ଗୌରବ ଚୌଧୁରୀ ମଧ୍ୟ ତାଙ୍କୁ ଭଲ ସହଯୋଗ ଦେଉଥିଲେ। ପ୍ରଥମ ୱିକେଟ୍ରେ ୩୨ ବଲ୍ରୁ ୫୨ ରନ୍ର ଭାଗୀଦାରି ହେବା ପରେ ୧୯ ରନ୍ କରି ବ୍ୟାଟିଂ କରୁଥିବା ଗୌରବ ଆଉଟ୍ ହେବାରୁ ଯୋଡ଼ି ଭାଙ୍ଗିଥିଲା। ସନ୍ଦୀପ ପଟ୍ଟନାୟକ ୫ ରନ୍ରେ ବ୍ୟାଟିଂ କରୁଥିଲା ବେଳେ ଏକ ପୁଲ୍ ସଟ୍ ଖେଳିବାକୁ ଯାଇ ତାଙ୍କ ପିଠି ମାଂସପେଶୀରେ ଆଘାତ ଲାଗିଥିଲା। ଫଳରେ ସେ ରିଟାୟର୍ଡ ହର୍ଟ ହୋଇ ପଡ଼ିଆ ଛାଡ଼ିଥିଲେ। ତଥାପି ସ୍ବସ୍ତିକ ସମସ୍ତ ସୁଯୋଗର ଭରପୂର ଫାଇଦା ଉଠାଇ ଗୋଟିଏ ପଟରୁ ଶତକ ହାସଲ କରିଥିଲା ବେଳେ ଅନ୍ୟ ପଟରେ ଗୋବିନ୍ଦ ପୋଦ୍ଦାର (୧୮), ଅଭିଷେକ ୟାଦବ (୧୧) ବଡ଼ ସଟ୍ ଖେଳିବାରେ ବିଫଳ ହୋଇଥିଲେ। ସ୍ବସ୍ତିକ ଶେଷ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲା ବେଳେ ପଦାର୍ପଣକାରୀ ସମ୍ବିତ ବରାଳ ଡେଥ୍ ଓଭରରେ ବ୍ୟାଟିଂକୁ ଆସି ଦ୍ରୁତ ରନ୍ ସଂଗ୍ରହ କରିଥିଲେ। ସମ୍ବିତ ୧୩ ବଲ୍ରୁ ୩ ଛକା ଓ ୧ ଚୌକା ସହାୟତାରେ ୨୭* ରନ୍ ଉଠାଇବାରୁ ଦଳ ୨୦୦ ନିକଟତର ହୋଇପାରିଥିଲା।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ୨୦ ଓଭରରେ ୧୯୪/୫ (ସ୍ବସ୍ତିକ ସାମଲ-୧୦୫, ସମ୍ବିତ ବରାଳ-୨୭*, ଗୌରବ ଚୌଧୁରୀ-୧୯, କୁନାଲ ୟାଦବ-୨/୩୭)। ରେଳବାଇ ୧୮.୫ ଓଭରରେ ୧୯୮/୩ (ବିବେକ ସିଂହ-୫୯, ପ୍ରଥମ ସିଂହ-୫୬, ଉପେନ୍ଦ୍ର ୟାଦବ-୪୬*, ରାକେଶ ପଟ୍ଟନାୟକ-୧/୨୨, ଗୋବିନ୍ଦ ପୋଦ୍ଦାର-୧/୩୬)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/26/BDtwAXNSTa5QiET1Vote.jpg)