ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ପୁଣି ଓଡ଼ିଶା ପରାସ୍ତ, ହାଇଦ୍ରାବାଦଠୁ ୬ ରନ୍‌ରେ ହାରିଲା

ଭୁବନେଶ୍ବର: କୋଲ୍‌କାତାର ଯାଦବପୁର ବିଶ୍ବବିଦ୍ୟାଳୟ ପଡ଼ିଆରେ ଚାଲିଥିବା ସୟଦ ମୁସ୍ତାକ୍ ଅଲ୍ଲୀ ଅନ୍ତଃରାଜ୍ୟ ଟି-୨୦ ପ୍ରତିଯୋଗିତାରେ ଓଡ଼ିଶା ପୁଣି ହାରିଯାଇଛି। ପ୍ରଥମ ମ୍ୟାଚ୍‌ରେ ବେଙ୍ଗଲ୍ ନିକଟରୁ ୯ ୱିକେଟରେ ହାରିଥିବା ଓଡ଼ିଶା ମଙ୍ଗଳବାର ହାଇଦ୍ରାବାଦଠୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ୬ ରନ୍‌ରେ ପରାଜୟ ବରଣ କରିଛି। ୧୫୪ ରନ୍‌କୁ ପିଛା କରିଥିବା ଓଡ଼ିଶା ପାଇଁ ଗୋବିନ୍ଦ ପୋଦ୍ଦାର (୫୦, ୩୩ ବଲ୍‌, ୫ ଚୌକା, ୨ ଛକା) ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଓଡ଼ିଶା ବିଜୟ ସୁଯୋଗ ହାତଛଡ଼ା କରିଥିଲା। ବିଶେଷ କରି ଦୁଇ ସେଟ୍ ବ୍ୟାଟ୍ସମ୍ୟାନ୍‌ ଅଧିନାୟକ ଶୁଭ୍ରାଂଶୁ ସେନାପତି (୪୩*, ୩୬ ବଲ୍‌, ୪ ଚୌକା) ଏବଂ ୱିକେଟରକ୍ଷକ ରାଜେଶ ଧୂପର (୩୦*, ୨୬ ବଲ୍‌, ୧ ଚୌକା, ୧ ଛକା) ଅପରାଜିତ ରହିଥିଲେ ମଧ୍ୟ ବିଜୟ ଦେଇପାରିନଥିଲେ। ଓଡ଼ିଶା ନିର୍ଧାରିତ ୨୦ ଓଭରରେ ୧୪୭/୪ରେ ସୀମିତ ରହିଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରାରମ୍ଭିକ ଯୋଡ଼ି ଆଦିତ୍ୟ ରାଉତ (୨) ଏବଂ ଶାନ୍ତନୁ ମିଶ୍ର (୧୩) ଭଲ ଆରମ୍ଭ ଦେଇପାରିନଥିଲେ। ଅଭିଜ୍ଞ ବିପ୍ଳବ ସାମନ୍ତରାୟ ମାତ୍ର ୫ ରନ୍ କରିଥିଲେ। ଗୋବିନ୍ଦ ଓ ବିପ୍ଳବଙ୍କ ୱିକେଟ୍ ନେଇଥିଲେ ମଧ୍ୟମଗତି‌ ବୋଲର ଟି ରବି ତେଜା। ବାମହାତୀ ସିମର୍‌ ଚାମା ମିଲିନ୍ଦ ମଧ୍ୟ ଦୁଇ ୱିକେଟ୍ ନେଇଥିଲେ।
ପୂର୍ବରୁ ଓଡ଼ିଶା ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା। ତିଲକ ବର୍ମା (୪୪, ୩୫ ବଲ୍‌), ତନ୍ମୟ ଅଗ୍ରୱାଲ୍ (୩୪, ୩୦ ବଲ୍‌), ହିମାଳୟ ଅଗ୍ରୱାଲ୍ (୨୨, ୨୭ ବଲ୍‌), ରାହୁଲ ବୁଦ୍ଧି (୧୯*, ୮ ବଲ୍‌)ଙ୍କ ବଳରେ ହାଇଦ୍ରାବାଦ ୮ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ (୩/୩୪) ଏବଂ ଅଙ୍କିତ ଯାଦବ (୨/୨୩) ସଫଳ ବୋଲର ଥିଲେ। ରାଜେଶ ମହାନ୍ତି ଓ ପପୁ ରୟ ଗୋଟିଏ‌ ଲେଖାଏଁ ୱିକେଟ୍ ନେଇଥିଲେ।
ସଂକ୍ଷିପ୍ତ ସ୍କୋର: ହାଇଦ୍ରାବାଦ ୨୦ ଓଭରରେ ୧୫୩/୮ (ତିଲକ ବର୍ମା-୪୪, ତନ୍ମୟ ଅଗରୱାଲ୍‌-୩୪, ସୂର୍ଯ୍ୟକାନ୍ତ ପ୍ରଧାନ-୩/୩୪, ଅଙ୍କିତ ଯାଦବ-୨/୨୩, ପପୁ ରୟ-୧/୨୨, ରାଜେଶ ମହାନ୍ତି-୧/୩୬)। ଓଡ଼ିଶା: ୨୦ ଓଭରରେ ୧୪୭/୪ (ଗୋବିନ୍ଦ ପୋଦ୍ଦାର-୫୦, ଶୁଭ୍ରାଂଶୁ ସେନାପତି-୪୩*, ରାଜେଶ ଧୂପର-୩୦*, ଚମା ସି ମିଲିନ୍ଦ-୨/୨୪, ତେଲୁକୁପଲ୍ଲୀ ରବି ତେଜା-୨/୪୦)।

ସମ୍ବନ୍ଧିତ ଖବର