କଟକ, ୧୬ା୧(ଇମିସ): ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡ଼ିଶା ଲଗାତାର ଚତୁର୍ଥ ପରାଜୟ ବରଣ କରିଛି। କୋଲ୍କାତାର ଇଡେନ ଗାର୍ଡେନ୍ସରେ ଶନିବାର ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ଝାଡ଼ଖଣ୍ତ ୫୪ ରନ୍ରେ ଓଡ଼ିଶାକୁ ହରାଇଛି। ଏଥିପୂର୍ବରୁ ବେଙ୍ଗଲ, ହାଇଦ୍ରାବାଦ ଏବଂ ତାମିଲନାଡୁଠୁ ମଧ୍ୟ ଓଡ଼ିଶା ପରାସ୍ତ ହୋଇଥିଲା। ଏବେ ଶେଷ ଲିଗ୍ ମ୍ୟାଚ୍ ୧୮ ତାରିଖରେ ଆସାମ ବିପକ୍ଷରେ ଯାଦବପୁର ବିଶ୍ବବିଦ୍ୟାଳୟ ପଡ଼ିଆରେ ଖେଳିବ।
ଶନିବାର ମ୍ୟାଚ୍ରେ ଝାଡ଼ଖଣ୍ତ ଟସ୍ ଜିତି ପ୍ରଥମେ ବ୍ୟାଟି˚ କରିଥିଲା। ଓଡ଼ିଶା ପାଇଁ ତାରିଣୀ ସ’ ଓ ଵାଲ୍ଟର ଟପ୍ପୋ ଏବ˚ ଝାଡ଼ଖଣ୍ତ ପାଇଁ ବାଲ୍କ୍ରିଷ୍ଣା, ବିକାଶ ବିଶାଲ ପଦାର୍ପଣ କରିଥିଲେ। ଝାଡ଼ଖଣ୍ତ ୪ ଵିକେଟ୍ ବିନିମୟରେ ୧୮୨ ରନ୍ କରିଥିଲା। ଆରମ୍ଭରୁ ଈଶାନ କିଶାନ ଓ ପ୍ରଥମ ମ୍ୟାଚ୍ ଖେଳୁଥିବା ବିକାଶ ବିଶାଲ ଆକ୍ରମଣାତ୍ମକ ଖେଳିବା ସହ ଅର୍ଧଶତକୀୟ ଭାଗୀଦାରି ଗଢ଼ିଥିଲେ। ୮.୪ ଓଭରରେ ଉଭୟ ୭୬ ରନ୍ ସ˚ଗ୍ରହ କରିବା ପରେ ପପୁ ରଏ ଏହି ଯୋଡ଼ିକୁ ଭାଙ୍ଗିଥିଲେ। ଆଉଟ୍ ହେବା ପୂର୍ବରୁ ଈଶାନ ୩୬ ବଲ୍ରୁ ୬ ଚୌକା ଓ ୩ ଛକା ସହାୟତାରେ ୬୦ ରନ୍ କରିନେଇଥିଲେ। ପଛକୁ ପଛ ବିକାଶ ମଧ୍ୟ ୨୧ ରନ୍ କରିଥିଲା ବେଳେ ତାରିଣୀ ସ’ଙ୍କ ବଲ୍ରେ ଆଉଟ ହୋଇଯାଇଥିଲେ। ବିରାଟ ସି˚ହ ଓ ସୌରଭ ତିଵାରୀଙ୍କ ଯୋଡ଼ି ପିଚ୍ରେ ଜମି ଆସୁଥିବା ବେଳେ ୧୬ତମ ଓଭରର ଶେଷ ବଲ୍ରେ ଅଙ୍କିତ ଯାଦବ ଏହାକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ସୌରଭଙ୍କୁ ୧୭ ରନ୍ରେ ସେ ଏଲ୍ବିଡବ୍ଲୁ କରିଥିଲେ। ବିରାଟ ସି˚ହ ଦ୍ରୁତ ହାରରେ ରନ୍ ସ˚ଗ୍ରହ କରିବାରେ ଲାଗିଥିଲେ। ଏଥିମଧ୍ୟରେ ସେ ଅର୍ଧଶତକ ଅର୍ଜନ କରିବା ସହ ଶେଷ ଓଭରର ତୃତୀୟ ବଲ୍ରେ ୬୭ ରନ୍ (୩୭ ବଲ୍, ୧୦ ଚୌକା, ୧ ଛକା) କରିଥିଲା ବେଳେ ନିଜ ଵିକେଟ୍ ହରାଇଥିଲେ। ତାରିଣୀ ଏହି ଵିକେଟ୍ ପାଇଥିଲେ।
୧୮୩ ରନ୍ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଓଡ଼ିଶା ମଧ୍ୟ ଆକ୍ରମଣାତ୍ମକ ଖେଳିବା ଆରମ୍ଭ କରିଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଗୌରବ ଚୌଧୁରୀ ଓ ଗୋବିନ୍ଦ ପୋଦ୍ଦାର ପ୍ରଥମ ଵିକେଟରେ ୬୬ ରନ୍ ଉଠାଇଥିଲେ। ୩୬ ରନ୍ କରିଥିଲା ବେଳେ ଗୌରବ ଦୁର୍ଭାଗ୍ୟବଶତଃ ରନ୍ ଆଉଟ୍ ହୋଇଯାଇଥିଲେ। ଏତିକିବେଳେ ୬ ବଲ୍ ଭିତରେ ଓଡ଼ିଶା ୩ ୱିକେଟ୍ ହରାଇଥିଲା। ଏହା ପରଠୁ ଓଡ଼ିଶାର ବ୍ୟାଟି˚କ୍ରମ ଭୁଶୁଡ଼ିବାରେ ଲାଗିଥିଲା। ଅଭିଜ୍ଞ ଅଧିନାୟକ ବିପ୍ଳବ ସାମନ୍ତରାୟ ଖାତା ଖୋଲିପାରିନଥିଲା ବେଳେ ଗୋବିନ୍ଦ ୨୮, ରାଜେଶ ଧୂପର ୧୩, ଅଙ୍କିତ ଯାଦବ ୨, ଵାଲ୍ଟର ଟପ୍ପୋ ୮, ସୂର୍ଯ୍ୟକାନ୍ତ ପ୍ରଧାନ ୧୯, ଶୁଭ୍ରାଂଶୁ ସେନାପତି ୧୮ ରନ୍ କରି ଆଉଟ୍ ହୋଇଥିଲେ। ୧୭.୫ ଓଭରରେ ଓଡ଼ିଶା ୧୨୮ ରନ୍ କରି ସମସ୍ତ ଵିକେଟ୍ ହରାଇଥିଲା। ପ୍ରଥମ ମ୍ୟାଚ୍ ଖେଳୁଥିବା ବାଲ୍କ୍ରିଷ୍ଣା ୨୧ ରନ୍ ବ୍ୟୟ କରି ୪ ଵିକେଟ ନେଇଥିଲେ। ତାଙ୍କ ବ୍ୟତୀତ ଶାହାବାଜ ନଦିମ ଓ ମୋନୁ କୁମାର ୨ ଵିକେଟ୍ ଲେଖାଏଁ ନେଇଥିଲେ।
ସ˚କ୍ଷିପ୍ତ ସ୍କୋର: ଝାଡ଼ଖଣ୍ତ ୨୦ ଓଭରରେ ୧୮୨/୪ (ଈଶାନ କିଶାନ ୬୦, ବିରାଟ ସି˚ହ ୬୭, ତାରିଣୀ ସ’ ୨/୩୭, ପପୁ ରଏ ୧/୧୭, ଅଙ୍କିତ ଯାଦବ ୧/୨୪)। ଓଡ଼ିଶା ୧୭.୫ ଓଭରରେ ୧୨୮/୧୦ ( ଗୌରବ ଚୌଧୁରୀ ୩୬, ଗୋବିନ୍ଦ ପୋଦ୍ଦାର ୨୮, ଶୁଭ୍ରା˚ଶୁ ସେନାପତି ୧୮, ସୂର୍ଯ୍ୟକାନ୍ତ ପ୍ରଧାନ ୧୯, ବାଲ୍କ୍ରିଷ୍ଣା ୪/୨୧, ଶାହାବାଜ ନଦିମ ୨/୨୩, ମୋନୁ କୁମାର ୨/୨୧)।