ଭୁବନେଶ୍ବର: ସନ୍ଦୀପ ପଟ୍ଟନାୟକ ଓ ପ୍ରୟାସ ସିଂଙ୍କ ଦମ୍ଦାର ବ୍ୟାଟିଂ ପରେ ସୁନୀଲ କୁମାର ରାଉଳ ଓ ଦେବବ୍ରତ ପ୍ରଧାନଙ୍କ ଚମତ୍କାର ବୋଲିଂ ବଳରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡ଼ିଶା ଦ୍ବିତୀୟ ବିଜୟ ପାଇଛି। ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ଓଡ଼ିଶା ୧୦୪ ରନ୍ରେ ସିକ୍କିମ୍କୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଓଡ଼ିଶା ଟସ୍ ଜିତି ବ୍ୟାଟିଂ କରିଥିଲା। ୮ ଓଭର ସୁଦ୍ଧା ସ୍ବସ୍ତିକ ସାମଲ (୧୦), ଶୁଭ୍ରାଂଶୁ ସେନାପତି (୨୩) ଓ ଗୋବିନ୍ଦ ପୋଦ୍ଦାର (୩)ଙ୍କ ୱିକେଟ୍ ହରାଇ ଓଡ଼ିଶା ବିପର୍ଯ୍ୟୟରେ ପଡ଼ିଥିଲା। ତେବେ ଶୁଭ୍ରାଂଶୁଙ୍କ ବଦଳରେ ଇମ୍ପାକ୍ଟ ଖେଳାଳି ଭାବେ ପୁଣି ଥରେ ପ୍ରୟାସ ସିଂହ ବ୍ୟାଟିଂ ଆସି ଓଡ଼ିଶାକୁ ଉଦ୍ଧାର କରିଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ସନ୍ଦୀପଙ୍କ ସହ ପ୍ରୟାସ ଚତୁର୍ଥ ୱିକେଟ୍ରେ ୧୨୧ ରନ୍ ଯୋଡ଼ି ଓଡ଼ିଶାକୁ ସମ୍ମାନଜନକ ସ୍ଥାନରେ ପହଞ୍ଚାଇଥିଲେ। ପ୍ରୟାସ ୩୪ ବଲ୍ରୁ ଦ୍ରୁତ ୭୫ ରନ୍ (୭ ଚୌକା, ୫ ଛକା) ସଂଗ୍ରହ କରିବା ପରେ ଆଉଟ୍ ହୋଇଥିଲେ। ସନ୍ଦୀପ (୪୫ ବଲ୍, ୭୧ ରନ୍, ୬ ଚୌକା, ୪ ଛକା) କିନ୍ତୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଦ୍ବିଶତକ ପାର୍ କରାଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ସିକ୍କିମ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦେବବ୍ରତ ପ୍ରଧାନ ଓ ସୁନୀଲ ରାଉଳ ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇବା ପରେ ଅଭିଷେକ ଯାଦବ ଓ ହର୍ଷିତ ରାଥୋଡ଼ ମଧ୍ୟକ୍ରମ ଭାଙ୍ଗିଥିଲେ। ଶେଷରେ ସିକ୍କିମ୍ ୧୭.୨ ଓଭର ସୁଦ୍ଧା ୧୦୬ ରନ୍ କରିଥିଲା ବେଳେ ଅଲଆଉଟ୍ ହୋଇଥିଲା।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ୨୦ ଓଭରରେ ୨୧୦/୫ (ପ୍ରୟାସ ସିଂହ-୭୫, ସନ୍ଦୀପ ପଟ୍ଟନାୟକ-୭୧, ସୁମିତ ସିଂହ-୨/୨୧, ଜିତେନ୍ଦ୍ର ଶର୍ମା-୧/୩୨)। ସିକ୍କିମ୍ ୧୭.୨ ଓଭରରେ ୧୦୬/୧୦ (ନିଲେଶ ଲାମିଚାନି-୨୮, ସୁମିତ ସିଂହ-୧୯, ସୁନୀଲ ରାଉଳ-୪/୨୪, ଦେବବ୍ରତ ପ୍ରଧାନ-୩/୧୪, ଅଭିଷେକ ଯାଦବ-୨/୧୬)।