ଟେ୍ଵଣ୍ଟି-୨୦ କ୍ରିକେଟ୍‌: ୫୦୦୦ ରନ୍‌ କ୍ଲବ୍‌ରେ କାର୍ତିକ

କୋଲ୍‌କାତା: ଭାରତୀୟ ଦଳର ଓ୍ଵିକେଟ୍‌ରକ୍ଷକ ଦୀନେଶ କାର୍ତିକ ଚଳିତ ଆଇପିଏଲ୍‌ ଅବସରରେ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। କୋଲ୍‌କାତା ନାଇଟ୍‌ ରାଇଡର୍ସର ନେତୃତ୍ୱ ନେଉଥିବା କାର୍ତିକ ବୁଧବାର ଐତିହାସିକ ଇଡେନ୍‌ ଗାର୍ଡେନ୍‌ସରେ ରାଜସ୍ଥାନ ରୟାଲ୍‌ସ ବିପକ୍ଷ ଏଲିମିନେଟର୍‌ ମ୍ୟାଚ୍‌ରେ ୩୮ ବଲ୍‌ରୁ ୫୨ ରନ୍‌ କରିଥିଲେ। ଏହି ଅବସରରେ ସେ ଟେ୍ଵଣ୍ଟି-୨୦ କ୍ରିକେଟ୍‌ରେ ୫୦୦୦ ରନ୍‌ ଅତିକ୍ରମ କରିଥିଲେ। କ୍ରିକେଟ୍‌ର ଏହି ଫଟାଫଟ୍‌ ଫର୍ମାଟ୍‌ରେ କାର୍ତିକଙ୍କ ମୋଟ ରନ୍‌ ସଂଖ୍ୟା ୫୦୧୬ରେ ପହଞ୍ଚିଯାଇଛି। ଏଥିପାଇଁ କାର୍ତିକ ମୋଟ ୨୬୯ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳି ସାରିଲେଣି। ଏଥି ସହିତ କାର୍ତିକ ଅଷ୍ଟମ ଭାରତୀୟ ଭାବେ ୫୦୦୦ ରନ୍‌ କ୍ଲବ୍‌ରେ ସାମିଲ ହୋଇଥିଲା ବେଳେ ବିଶ୍ୱର ୩୯ତମ ଖେଳାଳି ଭାବେ ଏଭଳି ସଫଳତା ପାଇଛନ୍ତି। କାର୍ତିକଙ୍କ ପୂର୍ବରୁ ଅନ୍ୟତମ ଭାରତୀୟ ଭାବେ ସୁରେଶ ରାଇନା (୭୭୯୧), ବିରାଟ କୋହଲି (୭୬୨୫), ରୋହିତ ଶର୍ମା (୭୩୧୬), ଗୌତମ ଗମ୍ଭୀର (୬୪୦୨), ମହେନ୍ଦ୍ର ସିଂହ ଧୋନି (୬୦୩୨), ଶିଖର ଧାଓ୍ଵନ୍‌ (୫୯୨୨) ଏବଂ ରବିନ୍‌ ଉଥପ୍ପା (୫୮୯୩) ଏହି କ୍ଲବ୍‌ର ସଦସ୍ୟ ରହି ସାରିଛନ୍ତି।

ସମ୍ବନ୍ଧିତ ଖବର