ନ୍ୟୁଜିଲାଣ୍ଡ ମାଟିରେ ଭାରତ ରଚିଲା ନୂଆ ଇତିହାସ, ଟି-୨୦ ଶୃଙ୍ଖଳାକୁ ୫-୦ରେ ପୋଛିନେଲା ଟିମ୍‌ ଇଣ୍ଡିଆ

ତେରଙ୍ଗା: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଆଜି ଏକ ଐତିହାସିକ ବିଜୟ ହାସଲ କରିଛି। ଭାରତୀୟ କ୍ରିକେଟ୍‌ ଟିମ୍‌ ପ୍ରଥମ ଥର ପାଇଁ ଟି-୨୦ ଶୃଙ୍ଖଳାକୁ ‘୫-୦’ ହାତେଇ ନେବା ସହ ନ୍ୟୁଜିଲାଣ୍ଡକୁ ମାଟି ଚଟାଇ ଦେଇଛି। ଆଜି ଅନୁଷ୍ଠିତ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ମୁକାବିଲାକୁ ୭ ରନ୍‌ରେ ଜିତିବା ପରେ ଭାରତ ଏହି ଐତିହାସିକ ସଫଳତା ହାସଲ କରିଛି।

ରବିବାର ମାଉଣ୍ଟମଙ୍ଗନୁଇରେ ଖେଳାଯାଇଥିବା ଶେଷ ମୁକାବିଲାରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତର ଦାୟିତ୍ୱ ରୋହିତ ଶର୍ମାଙ୍କୁ ମିଳିଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ଦମ୍‌ଦାର ଅର୍ଦ୍ଧଶତକ ବଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ଵିକେଟ୍‌ ହରାଇ ୧୬୩ ରନ୍‌ କରିବା ପରେ ଆୟୋଜକ ନ୍ୟୁଜିଲାଣ୍ଡକୁ ୧୬୪ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ଜବାବରେ କ୍ୱିଓ୍ଵି ଦଳ ସମସ୍ତ ଓ୍ଵିକେଟ୍‌ ହରାଇ ୧୫୬ ରନ୍‌ କରିବାକୁ ସମର୍ଥ ହୋଇଥିଲା।

Photo: Hindustan Times

ଭାରତୀୟ ବୋଲରମାନେ ମଧ୍ୟ ଆଜି ନ୍ୟୁଜିଲାଣ୍ଡ ବିରୋଧରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। ବିଶେଷ ଭାବରେ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ବଲରେ ନ୍ୟୁଜିଲାଣ୍ଡର ବିପର୍ଯ୍ୟୟ ଘଟିଥିଲା। ବୁମରା ୪ ଓଭର ବୋଲିଂ କରି ମାତ୍ର ୧୨ ରନ୍‌ ଖର୍ଚ୍ଚ କରିଥିଲେ। ସେ ୩ଟି ଓ୍ଵିକେଟ୍‌ ନେଇ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇପାରିଥିଲେ। ଯୁବ ବୋଲର ନଭଦୀପ ସଇନି ଓ ଶାର୍ଦ୍ଦୁଲ ଠାକୁରଙ୍କୁ ୨-୨ ଓ୍ଵିଟେକ ମିଳିଥିଲା ବେଳେ ଓ୍ଵାସିଂଟନ୍‌ ସୁନ୍ଦର ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

ନ୍ୟୁଜିଲାଣ୍ଡ ପାଇଁ ଟିମ୍‌ ସିଫର୍ଟ (୫୦ ରନ୍‌) ଓ ରସ ଟେଲର (୫୩ ରନ୍‌) ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଏହା ମ୍ୟାଚ୍‌ ବିଜୟ ପାଇଁ କୌଣସି କାମକୁ ଆସି ନ ଥିଲା। କୋଲିନ ମୁନ୍‌ରୋ ୧୫ ରନ୍‌, ଇସ୍‌ ସୋଢ଼ୀ ଅପରାଜିତ ୧୬ ରନ୍‌ କ୍ୱିଓ୍ଵି ଦଳ ପାଇଁ ଯୋଡ଼ିଥିଲେ। ନ୍ୟୁଜିଲାଣ୍ଡର ଅନ୍ୟ ବ୍ୟାଟ୍‌ସମ୍ୟାନଙ୍କ ସ୍କୋର ଉତ୍ସାହଜନକ ନ ଥିଲା।

ଭାରତର ଇନିଂସରେ ଓପନର ଲୋକେଶ ରାହୁଲ ଦ୍ୱିତୀୟ ସର୍ବାଧିକ ଇନିଂସ ଖେଳିଥିଲେ। ସେ ୩୩ଟି ବଲ ଖେଳି ୪୫ ରନ୍‌ ଦଳ ପାଇଁ ଯୋଡ଼ିଥିଲେ। ଏଥିରେ ୪ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଯୁବ ବ୍ୟାଟ୍‌ସମ୍ୟାନ୍‌ ଶ୍ରେୟସ୍‌ ଆୟର ୩୧ଟି ବଲ ଖେଳି ୩୩ ରନ୍‌ କରି ଅପରାଜିତ ପାଭଲିଅନ୍‌କୁ ଫେରିଥିଲେ। ମନୀଷ ପାଣ୍ଡେ ମଧ୍ୟ ୪ଟି ବଲ ଖେଳି ଅପରାଜିତ ୧୧ ରନ୍‌ ସଂଗ୍ରହ କରିଥିଲେ।

BCCI

ସୂଚନାଯୋଗ୍ୟ, ଅକଲାଣ୍ଡରେ ଭାରତ ପ୍ରଥମ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟ୍‌ ଓ ଦ୍ୱିତୀୟ ଟି-୨୦କୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଥିଲା। ସେହିପରି ହାମିଲଟନ୍‌ରେ ୩ୟ ଓ ୱେଲିଂଟନ୍‌ରେ ୪ର୍ଥ ଟି-୨୦କୁ ସୁପର ଓଭରରେ ମ୍ୟାଚ୍‌ ବିଜୟ ହାସଲ କରିଥିଲା ବିରାଟ ବାହିନୀ।

ସମ୍ବନ୍ଧିତ ଖବର