ଟ୍ବେଣ୍ଟି-୨୦ ମାନ୍ୟତା: ବାବରଙ୍କୁ ହଟାଇ ଶୀର୍ଷରେ ମଲାନ, ନବମରେ କୋହଲି

ମାଞ୍ଚେଷ୍ଟର: ଇଂଲଣ୍ଡର ବାମହାତୀ ବ୍ୟାଟ୍ସମ୍ୟାନ ଦାୱିଦ ମଲାନ୍‌ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ୧୨୯ ରନ୍‌ କରି ‌ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ଫଳରେ ସେ ପାକିସ୍ତାନର ବାବର ଆଜମ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ପୂର୍ବରୁ ମଲାନ୍‌ ଗତବର୍ଷ ନଭେମ୍ବରରେ ତାଙ୍କର ଶ୍ରେଷ୍ଠ ମାନ୍ୟତା ଭାବେ ଦ୍ବିତୀୟକୁ ଉଠିଥିଲେ। ଭାରତର କେଏଲ୍‌ ରାହୁଲ ୬ ମାସ ଧରି କ୍ରିକେଟ୍‌ ଖେଳିନଥିବାରୁ ଦୁଇଟି ସ୍ଥାନ ଖସି ଚତୁର୍ଥ ସ୍ଥାନରେ ଏବଂ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି ନବମରେ ରହିଛନ୍ତି। ମଲାନ୍‌ଙ୍କ ସାଥୀ ଖେଳାଳି ଜନି ବେୟାରଷ୍ଟୋ ଓ ଜୋସ୍‌ ବଟଲରଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ବେୟାରଷ୍ଟୋ ତିନିଟି ସ୍ଥାନ ଉପରକୁ ଉଠି ଜୀବନର ଶ୍ରେଷ୍ଠ ୧୯ତମ ସ୍ଥାନରେ ପହଞ୍ଚିଥିଲା ବେଳେ ବଟଲର ୪୦ତମ ସ୍ଥାନରୁ ସିଧା ୨୮ତମ ସ୍ଥାନକୁ ଲମ୍ଫ ମାରିଛନ୍ତି।

ଅଷ୍ଟ୍ରେଲିଆ ପାଇଁ ଅଧିନାୟକ ଆରୋନ୍‌ ଫିଞ୍ଚ ଗତ ଶୃଙ୍ଖଳାରେ ୧୨୫ ରନ୍‌ ସଂଗ୍ରହ କରିଥିବାରୁ ସେ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି। ଗ୍ଲେନ୍‌ ମ୍ୟାକ୍ସୱେଲ ମଧ୍ୟ ଷଷ୍ଠ ସ୍ଥାନରେ ତିଷ୍ଠି ରହିଥିଲା ବେଳେ ଅଲ୍‌ରାଉଣ୍ଡରଙ୍କ ତାଲିକାରେ ଗୋଟିଏ ପାହ୍ୟା ଉପରକୁ ଉଠି ଆଫଗାନିସ୍ତାନର ମହମ୍ମଦ ନବିଙ୍କ ତଳକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ବୋଲରଙ୍କ ମଧ୍ୟରୁ ଇଂଲଣ୍ଡ ଲେଗ୍‌ ସ୍ପିନର ଆଦିଲ ରସିଦ୍‌ ଦୁଇଟି ସ୍ଥାନ ପାର୍‌କରି ସପ୍ତମରେ ପହଞ୍ଚିଥିଲା ବେଳେ ଅଷ୍ଟ୍ରେଲିଆର ବାମହାତୀ ସ୍ପିନର ଆଷ୍ଟନ ଅଗରଙ୍କ ୫ ୱିକେଟ୍‌ ସଫଳତା ତାଙ୍କୁ ତୃତୀୟ ସ୍ଥାନରେ ବଜାୟ ରଖିଛି। ଅ‌ାଫଗାନିସ୍ତାନର ଦୁଇ ସ୍ପିନ୍‌ ଯୋଡ଼ି ରସିଦ ଖାନ୍‌ ଓ ମୁଜିବୁର ରହମାନ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟରେ ରହିଛନ୍ତି। ଅଷ୍ଟ୍ରେଲିଆର ଦ୍ରୁତ ବୋଲର କେନ୍‌ ରିଚାର୍ଡସନ୍‌ ପ୍ରଥମ ଥର ପାଇଁ ଶ୍ରେଷ୍ଠ ୧୦ ଜଣଙ୍କ ଭିତରେ ରହିଥିଲା ବେଳେ ମିଚେଲ୍‌ ‌ଷ୍ଟାର୍କ ୧୮ତମ ଓ ଇଂଲଣ୍ଡର ମାର୍କ ଉଡ୍‌ ୭୯ତମ ସ୍ଥାନରେ ପହଞ୍ଚିଛନ୍ତି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳଗତ ମାନ୍ୟତା ମଧ୍ୟରେ ଶୀର୍ଷ ସ୍ଥାନ ବଜାୟ ରଖିଛି। ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ପୂର୍ବରୁ ଅଷ୍ଟ୍ରେଲିଆ ପ୍ରତିପକ୍ଷଙ୍କଠୁ ୧୦ ପଏଣ୍ଟ୍‌ ଆଗରେ ରହିଥିଲା। ହେଲେ ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜିତ ହେବା ପରେ ଇଂଲଣ୍ଡ ପଏଣ୍ଟ୍‌ରେ ଆଗେଇ ଯାଇଥିଲା। ଗତ ମେ’ ମାସରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ମାନ୍ୟତାର ଶୀର୍ଷରେ ପହଞ୍ଚିଥିଲା ବେଳେ ଏବେ ୨୭୫ ପଏଣ୍ଟ୍‌ ପାଇଛି। ଏହାପଛକୁ ଇଂଲଣ୍ଡ ୨୭୧ ପଏଣ୍ଟରେ ଦ୍ବିତୀୟ ସ୍ଥାନରେ ରହିଛି।

କୋହଲିଙ୍କ ସମକକ୍ଷ ନୁହେଁ: ମଲାନ୍
ମାଞ୍ଚେଷ୍ଟର: ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଦାୱିଦ ମଲାନ୍‌ଙ୍କ ସ୍ଥିର ପ୍ରଦର୍ଶନକୁ ଭାରତୀୟ ଅଧିନାୟକ ତଥା ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ସହ ତୁଳନା କରାଯାଉଛି। ପ୍ରତ୍ୟେକ ଶୃଙ୍ଖଳାରେ ସେ ୫୦ରୁ ଉର୍ଦ୍ଧ୍ବ ହାରରେ ରନ୍‌ ସଂଗ୍ରହ କରିଚାଲିଛନ୍ତି। ସେ ଖେଳିଥିବା ୧୬ ପାଳିମଧ୍ୟରେ ୭ ଅର୍ଧଶତକ ଅନ୍ତର୍ଭୁକ୍ତ। ହେଲେ ଏହାସତ୍ତ୍ବେ ଦାୱିଦ କୌଣସିମତେ କୋହଲିଙ୍କ ସମକକ୍ଷ ନୁହଁନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି। ଯଦି ୫୦ଟି ମ୍ୟାଚ୍‌ ଖେଳିବାପରେ ଏଭଳି ହାରରେ ରନ୍‌ ସଂଗ୍ରହ କରୁଥିବେ ତାହେଲେ ତାଙ୍କୁ କୋହଲିଙ୍କ ସହ ତୁଳନା କରାଯାଇପାରେ ବୋଲି ସେ କହିଛନ୍ତି। ତଥାପି ମଲାନ୍‌ ବାସ୍ତବତାଠାରୁ ଦୂରରେ ନାହାନ୍ତି। ବର୍ତ୍ତମାନ ମଲାନ୍‌, କୋହଲିଙ୍କ ହାରାହାରି ରନ୍‌ଠୁ ମାତ୍ର ଅଳ୍ପକିଛି ଦୂରରେ ଅଛନ୍ତି। କୋହଲି ୭୬ ପାଳିରୁ ୫୦.୮ ହାରରେ ୨୭୯୪ ରନ୍‌ ସଂଗ୍ରହ କରିଛନ୍ତି। ତୃତୀୟ ସ୍ଥାନରେ ବ୍ୟାଟିଂ କରୁଥିବା ମଲାନ୍‌ ୪୮.୭୧ ହାରରେ ୬୮୨ରନ୍‌ ସଂଗ୍ରହ କରିସାରିଲେଣି। ନିକଟରେ ଜାସନ୍‌ ରଏ ଓ ବେନ୍‌ ଷ୍ଟୋକ୍ସଙ୍କ ଅନୁପସ୍ଥିତିରେ ମଲାନ୍‌ଙ୍କୁ ପାକିସ୍ଥାନ ଓ ଅଷ୍ଟ୍ରେଲିଆ ବିପକ୍ଷରେ ନିୟମିତ ଭାବେ ଖେଳିବାକୁ ସୁ‌େଯାଗ ମିଳିଥିଲା।

ସମ୍ବନ୍ଧିତ ଖବର