ଟି-୨୦ ଶୃଙ୍ଖଳା ୧-୧, ବିଶ୍ବକପ୍ ପରେ କୋହଲି ସେନାର ପ୍ରଥମ ପରାଜୟ
ବେଙ୍ଗାଲୁରୁ: ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ଭାରତକୁ ଭ୍ରମଣକାରୀ ଅନଭିଜ୍ଞ ଦକ୍ଷିଣ ଆଫ୍ରିକା ୯ ୱିକେଟ୍ରେ ହରାଇ ଦେଇଛି। ୫୦ ଓଭର ବିଶ୍ବକପ୍ ସେମିଫାଇନାଲ୍ ପରେ ବିରାଟ କୋହଲିଙ୍କ ଦଳ ମଧ୍ୟ ପ୍ରଥମ ଥର ଏକ ମ୍ୟାଚ୍ ହାରିଛି। ଏଥି ସହିତ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ମଧ୍ୟ ୧-୧ରେ ଅମୀମାଂସିତ ରହିଛି। ପ୍ରଥମ ଟି-୨୦ ବର୍ଷା ଧୋଇ ନେଇଥିଲା। ରବିବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କୃନାଲ ପାଣ୍ଡ୍ୟାଙ୍କ ବିଫଳତା କାରଣରୁ ଲଢ଼ୁଆ ସ୍କୋର୍ କରି ପାରିନଥିଲା। ଶିଖର ଧାୱନ (୩୬, ୨୫ ବଲ, ୪ ଚୌକା, ୨ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ପରେ ମଧ୍ୟକ୍ରମରେ ଋଷବ ପନ୍ତ୍ (୧୯, ୨୦ ବଲ) ଏବଂ ନିମ୍ନକ୍ରମରେ ହାର୍ଦିକ ପାଣ୍ଡ୍ୟା (୧୪, ୧୮ ବଲ) ଓ ରବୀନ୍ଦ୍ର ଜାଦେଜା (୧୯, ୧୭ ବଲ) କେବଳ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଭାରତ ୧୩୪/୯ରେ ସୀମିତ ରହିଥିଲା। କାଗିସୋ ରବାଦା ମ୍ୟାଚ୍ର ଦ୍ବିତୀୟ ଓଭରରେ ହ୍ୟାଟ୍ରିକ୍ ୱାଇଡ୍ ସହ ୨୨ ରନ୍ ବ୍ୟୟ କରିଥିଲେ ମଧ୍ୟ ଚମତ୍କାର ପ୍ରତ୍ୟାବର୍ତନ କରି ସଫଳତମ ବୋଲର (୪-୦-୩୯-୩) ସାବ୍ୟସ୍ତ ହୋଇଥିଲେ। ବାମହାତୀ ସ୍ପିନର୍ ବିୟନ ଫର୍ଟୁନ୍ ଏବଂ ବାମହାତୀ ଦ୍ରୁତ ବୋଲର ବିଉନ୍ ହେଣ୍ଡ୍ରିକ୍ସ ମଧ୍ୟ ୨-୨ ୱିକେଟ୍ ନେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଜବାବରେ ରିଜା ହେଣ୍ଡ୍ରିକ୍ସ (୨୮, ୨୬ ବଲ)ଙ୍କୁ ହାର୍ଦିକ ପାଣ୍ଡ୍ୟା ଆଉଟ୍ କରିଥିଲେ ମଧ୍ୟ ଅଧିନାୟକ କ୍ବିଣ୍ଟନ୍ ଡି’କକ୍ (୭୯*, ୫୯ ବଲ, ୭ ଚୌକା, ୬ ଛକା) ଏବଂ ତେମ୍ବା ବାଭୁମା (୨୭*, ୨୩ ବଲ, ୨ ଚୌକା, ୧ ଛକା) ଦକ୍ଷିଣ ଆଫ୍ରିକାକୁ ୧୯ ବଲ୍ ପୂର୍ବରୁ ୯ ୱିକେଟ୍ରେ ବିଜୟୀ କରାଇଥିଲେ। କୃନାଲ ପାଣ୍ଡ୍ୟାଙ୍କୁ ଛକା ମାରି ବାଭୁମା ମ୍ୟାଚ୍ ଶେଷ କରିଥିଲେ। ଏହା ପରେ ଅକ୍ଟୋବର ୨ରୁ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳାଯିବ।