ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ଶୃଙ୍ଖଳା ଲାଗି କେରଳ ୱିକେଟରକ୍ଷକ ସଂଜୁ ସାମସନ୍ଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିବାରୁ ଏହା ଯୁବ ତାରକା ଋଷବ ପନ୍ତ୍ଙ୍କ ପାଇଁ ପରୋକ୍ଷ ଚେତାବନୀ। ଏଭଳି ମର୍ମରେ ଟିପ୍ପଣୀ ଦେଇଛନ୍ତି ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ। ଦଳୀୟ ପରିଚାଳକ ଏବଂ ଚୟନକର୍ତା ଏ ଦିଗରେ ପନ୍ତ୍ଙ୍କୁ ଦୃଢ଼ ବାର୍ତ୍ତା ଦେଇଛନ୍ତି। ତାଙ୍କୁ ବହୁ ସୁଯୋଗ ମିଳିସାରିଥିବାରୁ ଚୟନକର୍ତାମାନେ ନିଶ୍ଚିତ କଥା ହୋଇଥିବେ। ଏବେ ତାଙ୍କୁ ପ୍ରଦର୍ଶନ ଜରିଆରେ ପ୍ରମାଣିତ କରିବାକୁ ପଡ଼ିବ, ନତୁବା ବିଦାୟ ନେବାକୁ ପଡ଼ିବ। ବେଶି ଲମ୍ବା ସମୟ ନ ହେଲେ ବି ସବୁ ଫର୍ମାଟରେ ପନ୍ତ୍ ବର୍ତମାନ ଏକ ନମ୍ବର, କିନ୍ତୁ ତାଙ୍କ ଅସ୍ଥିର ପ୍ରଦର୍ଶନ ଚିନ୍ତାର କାରଣ ହୋଇଛି। ଋଦ୍ଧିମାନ ସାହାଙ୍କ ପ୍ରତ୍ୟାବର୍ତନ ପରେ ପନ୍ତ୍ ଟେଷ୍ଟ୍ ଦଳରେ ସ୍ଥାନ ହରାଇଛନ୍ତି। ଏବେ ସୀମିତ ଓଭର ଦଳରେ ସଂଜୁ ସାମସନ୍ଙ୍କୁ ସାମିଲ କରାଯାଇଥିବାରୁ ପନ୍ତ୍ଙ୍କ ଉପରେ ନିଶ୍ଚିତ ଖଣ୍ଡା ଝୁଲିଲା। ‘ଋଷବଙ୍କ ଉପରେ ଦଳ ଯେଭଳି ବିନିଯୋଗ କରିଥିଲା ତାହାକୁ ସେ ଯଥାର୍ଥ ସାବ୍ୟସ୍ତ କରିନାହାନ୍ତି, ସମୟ ଗଡ଼ିଯାଉଛି’ ବୋଲି ଲକ୍ଷ୍ମଣ ପ୍ରକାଶ କରିଛନ୍ତି। ଏବେ ଚୂଡାନ୍ତ ଏକାଦଶରେ ନିଜ ସ୍ଥାନ ସୁରକ୍ଷିତ ରଖିବା ଲାଗି ପନ୍ତ୍ ନିଶ୍ଚିତ ପ୍ରବଳ ଚାପରେ ରହିବେ ବୋଲି ଲକ୍ଷ୍ମଣ କହିଥିଲେ। ତଥାପି ଆସନ୍ତାବର୍ଷର ଟି-୨୦ ବିଶ୍ବକପ୍ ପାଇଁ ସେ ପ୍ରଥମ ପସନ୍ଦ ୱିକେଟରକ୍ଷକ। ମହେନ୍ଦ୍ର ସିଂହ ଧୋନି ମଧ୍ୟ ଦୌଡ଼ରେ ରହିଛନ୍ତି। ଋଷବ ପନ୍ତ୍ ଏବଂ ସଂଜୁ ସାମସନଙ୍କ ପ୍ରଦର୍ଶନ ହିଁ ଧୋନିଙ୍କ ସମ୍ପର୍କରେ ଚୁଡାନ୍ତ ନିଷ୍ପତ୍ତି ଆଣିବ ବୋଲି ସେ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp