ଟେ୍ଵଣ୍ଟି-୨୦ରେ ବି ଶ୍ରୀଲଙ୍କା ହାରିଲା

ପ୍ରଥମ ମ୍ୟାଚ୍‌ ଜିତି ପାକିସ୍ତାନ ୧-୦ରେ ଆଗୁଆ

ଆବୁଧାବି: ଦିନିକିଆ ଭଳି ପାକିସ୍ତାନ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ମଧ୍ୟ ଶ୍ରୀଲଙ୍କା ଶୋଚନୀୟ ପରାଜୟ ବରଣ କରିଛି। ଦିନିକିଆ ଶୃଙ୍ଖଳାକୁ ୦-୫ରେ ହାରିଥିବା ଶ୍ରୀଲଙ୍କା ଗୁରୁବାର ପ୍ରଥମ ଟେ୍ଵଣ୍ଟି-୨୦ରେ ପକିସ୍ତାନଠାରୁ ୭ ଓ୍ଵିକେଟ୍‌ରେ ହାରି ଲାଗାତାର ଷଷ୍ଠ ପରାଜୟ ବରଣ କରିଛି। ସେପଟେ ପାକିସ୍ତାନ ସହଜ ବିଜୟରୁ ତା’ର ଟେ୍ଵଣ୍ଟି-୨୦ ଅଭିଯାନ ଆରମ୍ଭ କରିଛି। ତା’ସହ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇ ଯାଇଛି। ଆଜିର ଏହି ଏକତରଫା ମ୍ୟାଚ୍‌ରେ ଶ୍ରୀଲଙ୍କା ପୁଣି ଥରେ ଘୋର ବ୍ୟାଟିଂ ବିପର୍ଯ୍ୟାୟର ସମ୍ମୁଖୀନ ହୋଇ ସମସ୍ତ ଓ୍ଵିକେଟ୍‌ ବିନିମୟରେ ୧୮.୩ ଓଭରରେ ମାତ୍ର ୧୦୨ ରନ୍‌ କରି ପାରିଥିଲା। ମହମ୍ମଦ ହାଫିଜ (୨/୧୦) ଓ ଉସମାନ ଖାନ୍‌ (୨/୨୦) ସିଂହଳୀ ଦଳର ମେରୁଦଣ୍ଡ ଭାଙ୍ଗିବା ପରେ ହାସନ ଅଲ୍ଲୀ (୩/୨୩) ୯ ବଲ୍‌ ପୂର୍ବରୁ ଏହି ଦଳର ପାଳି ଶେଷ କରି ଦେଇଥିଲେ। ଶ୍ରୀଲଙ୍କା ପକ୍ଷରୁ ସେକୁଗେ ପ୍ରସନ୍ନା ସର୍ବାଧିକ ୨୩* ରନ୍‌ କରିଥିଲେ। ଅଧିନାୟକ ଥିସାରା ପେରେରାଙ୍କ ସହ ଶ୍ରୀଲଙ୍କାର ୭ ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ୧୦୩ ରନର ଛୋଟିଆ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ପାକିସ୍ତାନ ୧୮ ରନ୍‌ରେ ୨ ଓ୍ଵିକେଟ୍‌ ହରାଇଥିଲା। ତେବେ ସୋଏବ ମଲ୍ଲିକ (୪୨*, ୩୧ ବଲ୍‌, ୪ ଚୌକା) ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ ପାଇଁ ୧୭.୨ ଓଭରରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର